କେଦାରନାଥରେ ପ୍ରଥମ ତୁଷାରପାତ

କେଦାରନାଥ, (ଓଡିଶା ଟାଇମ୍) : ଦେଶରେ ଶୀତ ଲହରୀ ଆରମ୍ଭ ହୋଇଛି। ଧୀରେ ଧୀରେ ଥଣ୍ଡା ବଢ଼ିବାରେ ଲାଗିଛି। ଥଣ୍ଡା ବଢିବା ସହ ପାଣିପାଗରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ଉତ୍ତରାଖଣ୍ଡରେ ବିଭିନ୍ନ ଜାଗାରେ ତୁଷାରପାତ ଆରମ୍ଭ ହୋଇଛି। ମଙ୍ଗଳବାର ସକାଳୁ କେଦାରନାଥ ଧାମରେ ତୁଷାରପାତ ହୋଇଛି। ସକାଳୁ ଲଗାତାର ତୁଷାରପାତ ଯୋଗୁଁ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ବରଫାବୃତ୍ତ ହୋଇଛି। ମନ୍ଦିର ଉପରେ ବରଫ ଆସ୍ତରଣ ଜମି ଯାଇଛି।

କେଦାରନାଥ ଧାମରେ ସକାଳୁ ତୁଷାରପାତ ହେବା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ଉତ୍ସାହ କମିନାହିଁ। ଶ୍ରଦ୍ଧାଳୁ ଉତ୍ସାହର ସହ ସେଠାରେ ପହଞ୍ଚି କେଦାରନାଥ ବାବାଙ୍କ ଦର୍ଶନ କରିଛନ୍ତି। ତୁଷାରପାତ ଯୋଗୁଁ ମନ୍ଦିର ପରିସରରେ ପାଖାପାଖି ୨ ଇଞ୍ଚର ବରଫ ଆସ୍ତରଣ ଜମିଯାଇଛି। ମନ୍ଦିର ଆଖପାଖରେ ଶ୍ରଦ୍ଧାଳୁଙ୍କ ବସିବା ପାଇଁ ରଖାଯାଇଥିବା ଚେୟାର ମଧ୍ୟ ବରଫରେ ଢାଙ୍କି ହୋଇଯାଇଛି।

ତୁଷାରପାତ ଯୋଗୁଁ ମନ୍ଦିର ଆଖପାଖ ଅଞ୍ଚଳର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଛି। ଯୁଆଡେ ଦେଖିଲେ ଖାଲି ବରଫ ଆଉ ବରଫ। ଏହି ଦୃଶ୍ୟ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିଛି। ଥଣ୍ଡା ବଢିଛି କିନ୍ତୁ ବିଶ୍ୱ ପ୍ରସିଦ୍ଧ ମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ କମିନାହିଁ। ଶ୍ରଦ୍ଧାଳୁ ବହୁତ ଉତ୍ସାହିତ ଅଛନ୍ତି।

Leave a Reply

Your email address will not be published.