ରାତି ଗୋଟାଏରେ ଜଗନ୍ନାଥ ଗାଧୋଇବାକୁ ଯିବେ!

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ଏବେ ମଣିଷର ଦୈନନନ୍ଦିନ କାର୍ଯ୍ୟକ୍ରମରେ ଯେମିତି ପରିବର୍ତ୍ତନ ଆଣିଛି ସେମିତି ଶ୍ରୀଜଗନ୍ନାଥଙ୍କ ରୀତି ନୀତିରେ ଅଭୁତପୂର୍ବ ପରିବର୍ତ୍ତନ ଆଣିଛି। ଏହିକ୍ରମରେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ତିନି ଠାକୁରଙ୍କ ପହଣ୍ଡି ରାତି ଗୋଟାଏରୁ ଆରମ୍ଭ ହେବ। ସକାଳ ୭ଟାରୁ ସ୍ନାନ ପର୍ବ ଆରମ୍ଭ ହୋଇ ୯ ଟା ସୁଦ୍ଧା ସମ୍ପନ୍ନ ହେବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। 

ବୈଠକ ଶେଷର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଛନ୍ତି, ପ୍ରଶାସନ ପକ୍ଷରୁ ସବୁକିଛି ଶୃଙ୍ଖଳିତ କରିବା ଲାଗି ପ୍ରଚେଷ୍ଟା ହୋଇଛି। ଏହିକ୍ରମରେ ସୀମିତ ସଂଖ୍ୟକ ସେବାୟତଙ୍କ ଗହଣରେ ନୀତି ହେବ। ପହଣ୍ଡି ବେଳେ କେତେ ସେବକ ରହିବେ ସେ ନେଇ ଏକ ତାଲିକା ପ୍ରସ୍ତୁତ କରିବାକୁ ନିଯୋଗକୁ ଦାୟିତ୍ଵ ଦିଆଯାଇଛି।

ତାଲିକା ମିଳିଲା ପରେ ଆସନ୍ତା ୩୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଯେଉଁ ସେବକମାନଙ୍କର ଯେଉଁ ସେବା ରହିଛି ସେମାନେ ତାହା କରିବେ ବୋଲି ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି ।

ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିନେଇ ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ଆଜି ଛତିଶା ନିଯୋଗର ସେବାୟତଙ୍କ ସହିତ ମାରାଥନ ଆଲୋଚନା କରିଥିଲେ । ଆଲୋଚନା କାଳରେ ସମସ୍ତେ ସଅଳ ପହଣ୍ଡି ସପକ୍ଷରେ ମତ ଦେଇଥିବାବେଳେ ଯେତେ ସଂଖ୍ୟକ ସମ୍ଭବ କମ୍‍ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ସମ୍ପନ୍ନ ପାଇଁ କହିଥିଲେ ।

ତଦନୁଯାୟୀ ରାତି ଗୋଟାଏରୁ ତିନି ଠାକୁର ପହଣ୍ଡିରେ ସ୍ନାନମଣ୍ଡପକୁ ଆସିବେ ଏବଂ ସକାଳ ୭ରୁ ୯ଟା ମଧ୍ୟରେ ୧୦୮ ସୁବାସିତ ଜଳରେ ସ୍ନାନ କରିବେ । ସକାଳ ସାଢେ ୧୦ଟାରେ ଛେରା ପହଁରା ଏବଂ ଦିନ ୧୧ଟାରୁ ୧୨ଟା ମଧ୍ୟରେ ଜୀଉମାନଙ୍କର ହାତିବେଶ ହେବ । ସ୍ନାନବେଦୀରୁ ତିନି ଠାରୁ ସଂଧ୍ୟା ୫ରୁ ୮ଟା ମଧ୍ୟରେ ପହଣ୍ଡିରେ ବାହୁଡିବେ ।

ଗୋଟିଏ ପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଆଗେଇ ଚାଲିଥିବାବେଳେ ଅନ୍ୟ ପଟେ ପ୍ରଶାସନ ପକ୍ଷରୁ ରଥଯାତ୍ରା ପୂର୍ବରୁ ଥିବା ବିଧି ବିଧାନ ଗୁଡିକୁ ସୁଚାରୁ ରୂପେ ପାଳନ କରାଯାଉଥିବାରୁ ଚଳିତବର୍ଷ ରଥଯାତ୍ରା ନିଶ୍ଚିତ ହେବା ନେଇ ଦିନକୁ ଦିନ ଆଶା ବଢିବାରେ ଲାଗିଛି ।

Leave a Reply

Your email address will not be published.