ପବିତ୍ର ଦେବସ୍ନାନ ପୂର୍ଣ୍ଣିମା : ସ୍ନାନମଣ୍ଡପରେ ବିଜେ ଚତୁର୍ଦ୍ଧାମୂର୍ତ୍ତି, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ପହଣ୍ଡି ବିଜେରେ ରତ୍ନସଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ହୋଇଛି । ରାତି ୧ଟା ୨୫ରେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ରାତି ୧ଟା ୪୦ରୁ ୩ଟା ୧୦ ଯାଏଁ ପହଣ୍ଡି ନୀତି ହୋଇଥିଲା । ରାତି ୩ଟା ୪୦ରେ ମଦନମୋହନ ବିଜେ ଓ ୪ଟା ୨୦ରେ ମଙ୍ଗଳଆଳତି ଅନୁଷ୍ଠିତ ।
ମଇଲମ ଓ ତଡପଲାଗି ୪ଟା ୩୫ରେ ଓ ଅଧର ପୋଛା ନୀତି ୪ଟା ୫୦ରେ ଶେଷ ହୋଇଛି । ସକାଳ ୫ଟା ୩୦ରେ ଅବକାଶ ନୀତି ଓ ୫ଟା ୪୦ରେ ରୋଷ ହୋମ ଶେଷ ହୋଇଛି । ସକାଳ ୫ଟା ୫୫ରେ ମହାପ୍ରଭୁଙ୍କ ବେଶ ଶେଷ । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଜଳ ବିଜେ ନୀତି ଆରମ୍ଭ ହୋଇଛି । ପୂର୍ବାହ୍ନ ୯ଟା ସମୟରୁ ଜାରି ରହିଛି ସ୍ନାନ। ଶୀତଳା ମନ୍ଦିର ନିକଟ ସୁନା କୂଅରୁ ସୁନା ଗୋସେଇଁ ୧୦୮ କୁମ୍ଭ ଜଳ ଆଣିଛନ୍ତି। ଏଥିମଧ୍ୟରୁ ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୫ କୁମ୍ଭ ଜଳ, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କର ୧୮ କୁମ୍ଭ ଜଳ ରହିଛି।

ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହି ଉପଲକ୍ଷେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅନ୍ୟାନ୍ୟ ନୀତି ଶେଷ ହୋଇଛି। ସ୍ନାନ କାର୍ୟ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ସଜେଇ ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନା କୂଅର ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଛି।

Leave a Reply

Your email address will not be published. Required fields are marked *