ରଥଯାତ୍ରା ହେବ, ଟିଭିରେ ଦେଖିବ

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ହେବ। ବଡ଼ ଦାଣ୍ଡରେ ରଥ ଗଡ଼ିବ। ସେବାୟତ ଓ ପୁଲିସ ଛାଡ଼ିଛାଡ଼ି ହୋଇ ଟାଣିବେ କିନ୍ତୁ ଭକ୍ତ ସ୍ଵଚକ୍ଷୁରେ ଦେଖିବେ ନାହିଁ। ଟିଭି ପର୍ଦାରେ ଏଥିଲାଗି ସରକାର ବ୍ୟବସ୍ଥା କରିବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ଏକ ପ୍ରକାର ସ୍ଥିର କରିଛି। ଏପରିକି କୋଭିଡ୍‌ ଭୟରେ ନୀଳାଦ୍ରୀ ବିଜେ ଶେଷଯାଏ ପୁରୀକୁ କୌଣସି ଭକ୍ତଙ୍କୁ ଅନୁମତି ମିଳିବ ନାହିଁ ବୋଲି ସ୍ଥିର ହୋଇଛି। ଆଉ ଏହି ସ୍ଥିରୀକୃତ ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇଛି। 

ରାଜ୍ୟ ସରକାର ଅନେକ ପୂର୍ବରୁ ଏହି କଥାକୁ ଆଲୋଚନା କରିଥିବା ଜଣାଯାଏ।  ଏହା ହୋଇ ନଥିଲେ ପୁରୀକୁ ଟ୍ରେନ୍‌ ଚାଳନା ଉପରେ କଟକଣା ଲାଗି ନଥାଆନ୍ତା। ଏଣୁ ସରକାରଙ୍କ ପୂର୍ବ ନିର୍ଦ୍ଧାରଣକୁ ପରିଚାଳନା କମିଟି କେବଳ ସନ୍ତକ ଲଗାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। 

ଶନିବାର ପୂର୍ବହ୍ନରେ ଏଥିଲାଗି ନୀତି ଅନୁସାରେ ଆବଶ୍ୟକ ଏକ ବୈଠକ ଭିଡିଓ କନ୍‌ଫରେନ୍ସିଂ ଯୋଗେ ହୋଇଥିଲା। ଭୁବନେଶ୍ଵରରେ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ବୈଠକକର ଅଧ୍ୟକ୍ଷତା କରିଥିଲେ। ଅନ୍ୟ କିଛି ଅଧିକାରୀ ଭୁବନେଶ୍ଵରରେ ଥିବା ବେଳେ ପୁରୀରେ ସେବାୟତ ଓ ଅନ୍ୟ ସଦସ୍ୟ ରହିଥିଲେ।

ସୀମିତ ସେବକ, ପ୍ରଶାସନିକ ଅଧିକାରୀ ଓ ପୁଲିସଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇପାରିବ। ରଥଯାତ୍ରା ସମୟରେ ବଡଦାଣ୍ଡକୁ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ରହିବ, କୌଣସି ଭକ୍ତ ବଡ଼ଦାଣ୍ଡକୁ ପ୍ରବେଶ କରିପାରିବେ ନାହିଁ । ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ ବୋଲି ବି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଗଜପତି ମହାରାଜ କହିଛନ୍ତି। ରାଜ୍ୟ ସରକାରଙ୍କ ଅନୁମତି ପାଇଲେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। 

ନୂଆ ଲକ୍‌ଡାଉନ୍‌ ନିୟମ ଘୋଷଣା ପରେ ଦେବାଳ୍ର ଉପରେ କଟକଣା କୋହଳ ହେବ ବୋଲି ଆଶା କରାଯାଉଛି। ହେଷଲ ଯାତଆ ଥିବାରୁ ପୁରୀରେ ଏହି କଟକଣା ଅଧିକ କଠୋର ହୋଇପାରେ। ଏପରିକି ରଥଯାତ୍ରାକୁ ଯଦି ସରକାର ହଁ କରନ୍ତି ତେବେ ପୁରୀ ବଡ଼ ଦାଣ୍ଡରେ ୧୪୪ ଧାରା ମଧ୍ୟ ଲାଗୁ ହେବା ଆଶଙ୍କା ରହିଛି। ଅପରପକ୍ଷେ ଭକ୍ତର ଭଗବାନ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିନା ଭକ୍ତରେ ପାଳନ କରିବା  ପ୍ରଶାସନ ପାଇଁ ଏକ ଆହ୍ବାନ ହେବ ବୋଲି ବିଚାର କରାଯାଏ। 

Leave a Reply

Your email address will not be published.