କରୋନା ଭୁତାଣୁ ପ୍ରଭାବ: ରାତି ଅଧରେ ଶିବ-ପାର୍ବତୀ ବାହାଘର
ସମ୍ବଲପୁର ,(ଓଡ଼ିଶା ଟାଇମ୍): ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଉତ୍ସବକୁ କରୋନା ଭୁତାଣୁ ନଜର ଲାଗିଛି। ପରମ୍ପରା ଓ ଆଡ଼ମ୍ବର ଏହାଦ୍ଵାରା ପ୍ରଭାବିତ ହୋଇଛି। ଯେଉଁ ରୋଷଣୀ ଓ ବରଯାତ୍ରୀଙ୍କ ସମାବେଶରେ ଶିବଙ୍କ ଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆସର ଜମେ ସେଥିରୁ ବିଚ୍ୟୁତ ହୋଇଛି ସାରା ସମ୍ବଲପୁର।
ସାଧାରଣତଃ ଏହି ବିବାହ ଉତ୍ସବରେ ଯୋଗ ଦେବାକୁ ମହାଦେବ ରୋଷ୍ଣୀ ଏବଂ ବରଯାତ୍ରୀଙ୍କ ସହ କନ୍ୟା ପିତାମାତା ବା ସେହି ବର୍ଷ ପାଇଁ ପାର୍ବତୀଙ୍କ ପିତାମାତା ହେବାର ସୌଭାଗ୍ୟ ପାଇଥିବା ଦମ୍ପତ୍ତିଙ୍କ ଘରକୁ ବିରାଜମାନ କରିଥାଆନ୍ତି। ସେହିଠାରେ ବିବାହ ପାଇଁ ପାରମ୍ପରିବ ବେଦୀ ନିର୍ମାଣ କରାଯାଇଥାଏ। କିନ୍ତୁ ଏଥର ବାବାଙ୍କ ମନ୍ଦିର ବିବାହ ମଣ୍ଡପରେ ପରିଣତ ହୋଇଛି। ମୁଖ୍ୟ ମନ୍ଦିରରୁ ବାବା ବାହାରି ମଣ୍ଡପରେ ଦେବୀ ପାର୍ବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତୁତି ହୋଇଛି। ସମ୍ବଲପୁରର ୫ଟି ପ୍ରତିଷ୍ଠିତ ପୀଠରେ ଏହି ବୈଦିକ ରୀତିନୀତି ଏବଂ ପରମ୍ପରାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି।
ଗହଳି ରୋକିବା ତଥା କୋଭିଡ୍-୯ ନିୟମାବଳୀକୁ ପାଳନ କରିବା ଲାଗି ଏହିପରି ନିଷ୍ପତ୍ତିସବୁ ନିଆଯାଇଛି, ଯାହା ଶୀତଳ ଷଷ୍ଠୀ ପରମ୍ପରାରେ କେବେ ଦେଖିବାକୁ ମିଳି ନଥିଲା। ଏଥିଲାଗି ବିଭିନ୍ନ ଶିବ ମନ୍ଦିରରେ ମହାଦେବଙ୍କୁ ସାଜସଜ୍ଜା କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇଛି। ପୂର୍ବରୁ ମନ୍ଦିର କର୍ତ୍ତପକ୍ଷ ଜିଲ୍ଲା ପ୍ରଶାସନଙ୍କ ତତ୍ତ୍ଵାବଧାନରେ ସରକାରଙ୍କୁ ନିରାଡ଼ାମ୍ବର ରୋଷଣୀ ପାଇଁ ଅନୁମତି ମାଗିଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ଜବାବ ମିଳି ନଥିଲା।
ପଞ୍ଚ ମହାଦେବଙ୍କ ଭିତରେ ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କୁ ମଧ୍ୟ ସଂଧ୍ୟାରୁ ବେଶ କରାଯାଇଛି। ଆକର୍ଷଣୀୟ ପରଭାରେ ସଜ୍ଜିତ ଲୋକନାଥ ବାବାଙ୍କର ମନ୍ଦିର ପରିସରରେ ମହାଆଳତି ପରେ ଆରଣ୍ୟକ ମଣ୍ଡପରେ ସଜ୍ଜିତ ବାହା ବେଦୀକୁ ନିଆଯାଇଛି। ସେଠାରେ ଉପସ୍ଥିତ କନ୍ୟା ପକ୍ଷ ମାତା ପାର୍ବତୀଙ୍କୁ ନବବଧୁ ରୂପରେ ସଜ୍ଜିତ କରାଯାଇଛି। ରାତିରେ ଆରଣ୍ୟକ ରୀତିନିତିରେ ବିବାହ କାର୍ଯ୍ୟ ଚାଲିବ।
ସେହିପରି ନନ୍ଦପଡ଼ାର ବଂବଂ ବରାଡ୍ ବାଲୁଙ୍କେଶ୍ବର ବାବାଙ୍କୁ ବୁଧବାର ସଂଧ୍ୟାରୁ ବରବେଶରେ ସଜାଇବା ଆରମ୍ଭ ହୋଇଛି। ସୁନା ଓ ରୁପା କାରୁକାର୍ଯ୍ୟରେ ସଜ୍ଜିତ ପରଭାରେ ଶୋଭିତ ବାଲୁଙ୍କେଶ୍ବରଙ୍କ ମନ୍ଦିର ସମ୍ମୁଖ ଆସ୍ଥାନରେ ମହା ଆଳତି ପରେ ବାଲୁଙ୍କଶ୍ବର କଲ୍ୟାଣ ମଣ୍ଡପସ୍ଥିତ ବାହା ବେଦୀକୁ ନିଆଯିବ। ସେଠାରେ ପୂର୍ବରୁ ଉପସ୍ଥିତ କନ୍ୟା ପକ୍ଷ ବରପକ୍ଷଙ୍କୁ ସ୍ବାଗତ କରିଥିଲେ। ମଧ୍ୟରାତ୍ରୀରେ ବିବାହ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।
ମୁଦିପଡ଼ାର ଜାଗେଶ୍ବର ବାବାଙ୍କର ମଧ୍ୟ ଅନୁରୂପ ଢଙ୍ଗରେ ବେଶଭୂଷା, ପୂଜାର୍ଚ୍ଚନା ଓ ଆଳତି ହେବାକୁ ଯାଉଛି। ମନ୍ଦିର ପ୍ରାଙ୍ଗଣରେ ଲୋକାଚାର ଭିତ୍ତିରେ ମାନବୀୟ ରୀତିନୀତିରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବାକୁ ଯାଉଛି।
ବଡ଼ବଜାରର ଶୀତକେଶ୍ଵର, ଠାକୁର ପଡ଼ାର ଗୁପ୍ତେଶ୍ଵରଙ୍କର ମଧ୍ୟ ଅନୁରୂପ ଭାବେ ବିବାହ ଉତ୍ସବ ଆୟୋଜନ କରାଯାଇଛି।
ବିବାହ ପରେ ଦେବ ଦମ୍ପତ୍ତି ସର୍ବ ସାଧାରଣଙ୍କ ଦର୍ଶନ ନିମନ୍ତେ ମଣ୍ଡପରେ ବିରାଜମାନ କରିବେ। ଏହାପରେ ୨୯ ତାରିଖ ସନ୍ଧ୍ରାରେ ମନ୍ଦିର ପ୍ରବେଶ କରିବେ।