ସତ୍ୟସାଇ ହସ୍ପିଟାଲ ସହ ପୁଣି ଏମ୍ଓୟୁ ସ୍ବାକ୍ଷର: ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା, ମାଗଣାରେ ଚିକିତ୍ସା ହେବେ ଗରିବ ପିଲା

ଭୁବନେଶ୍ବର, (ଓଡିଶା ଟାଇମ୍) : ଅହମ୍ମଦାବାଦର ସତ୍ୟସାଇ ହୃଦରୋଗ ଚିକିତ୍ସାଳୟରେ ଆସନ୍ତା ଦୁଇ ବର୍ଷ ପାଇଁ ଓଡ଼ିଶାର ଗରିବ ଓ ଅଭାବୀ ପିଲାମାନଙ୍କୁ ମାଗଣାରେ ହୃଦରୋଗ ଚିକିତ୍ସା ସେବା ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ଆଜି ଓଡ଼ିଶା ସରକାର ପ୍ରଶାନ୍ତି ମେଡ଼ିକାଲ ସର୍ଭିସେସ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ସହିତ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଭିନିତ ଶରଣ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ, ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ଝାବେରୀ ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ୨୦୧୮ ନଭେମ୍ବର ୧୮ରେ ଓଡ଼ିଶାର ହୃଦରୋଗରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ନିମନ୍ତେ ଏହି ହସ୍ପିଟାଲ ସହିତ ଯୋଗସୂତ୍ର ସ୍ଥାପନ କରାଯାଇଥିଲା। ଚୁକ୍ତି ଅନୁସାରେ ରାଜ୍ୟ ସରକାର ରୋଗାକ୍ରାନ୍ତ ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କୁ ହସ୍ପିଟାଲକୁ ପଠାଇବା ବାବଦ ପରିବହନ ଖର୍ଚ୍ଚ ବହନ କରୁଛନ୍ତି। ସେମାନଙ୍କୁ ‌ସବୁ ଚିକିତ୍ସା ମାଗଣାରେ ଯୋଗାଇଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୧୦୧୯ ଶିଶୁଙ୍କ ହୃଦ ଅ​‌େ​‌ସ୍ତ୍ରାପଚାର କରାଯାଇଛି ଏବଂ ସେମାନେ ଏହାଦ୍ବାରା ଆରୋଗ୍ୟ ଲାଭ କରିଛନ୍ତି। କୋଭିଡ଼ ପରିସ୍ଥିତି ଦୂର ହେଲେ ପରବର୍ତ୍ତୀ ବ୍ୟାଚ ଶିଶୁଙ୍କୁ ହସ୍ପିଟାଲ ପଠାଯିବ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ଗରିବ ଲୋକଙ୍କୁ ଧାର୍ଯ୍ୟ ସମୟରେ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସବୁ ପ୍ରକାର ଉଦ୍ୟମ କରିବାକୁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟର ଗରିବ ଲୋକମାନଙ୍କୁ ‌ମାଗଣାରେ ହୃଦରୋଗ ଚିକତ୍ସା ଯୋଗାଇବା ଏକ ଉଲ୍ଲେଖନୀୟ ପଦକ୍ଷେପ। ରାଜ୍ୟର ୧୦୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦିଆଯାଇଥିବାରୁ ଏଥିରେ ସେ ଖୁସିବ୍ୟକ୍ତ କରିବା ସହିତ ସମ୍ପୃକ୍ତ ହସ୍ପିଟାଲର ପ୍ରଶଂସା କରିଥିଲେ। ଏହି ସେବା ସେପରି ଅବ୍ୟାହତ ରହିବ ତାହାକୁ ଦୃଷ୍ଟିରେ ରଖି ହସ୍ପିଟାଲ ସହିତ ଚୁକ୍ତିନାମା ସମ୍ପ୍ରସାରିତ କରାଯାଇଛି। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିବା କାଳରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଶରଣ ଓଡ଼ିଶାକୁ ତାଙ୍କର ଦ୍ବିତୀୟ ଘର ବୋଲି ବର୍ଣ୍ଣନା କରିଥିଲେ। ରାଜ୍ୟ ପାଇଁ କୌଣସି କାମ କରିବା ତାଙ୍କ ପାଇଁ ଏକ ସୁଯୋଗ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *