କେନାଲରେ ଓଲଟିଲା ଯାତ୍ରୀବାହୀ ବସ୍: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି
ମଧ୍ୟପ୍ରଦେଶ, (ଓଡିଶା ଟାଇମ୍) : ମଧ୍ୟ ପ୍ରଦେଶ ସିଧି ନିକଟରେ ଏକ ଭୟାବହ ଦୁର୍ଘଟଣା ହୋଇଛି। ସିଧିରୁ ସତନା ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ କେନାଲରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। କେନାଲରୁ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି। ପ୍ରଶାସନ ଉଦ୍ଧାରକାର୍ଯ୍ୟ ଜାରି ରଖିଛି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗ କରି ଉଦ୍ଧାରକାର୍ଯ୍ୟ ଦ୍ରୁତ ଗତିରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାରେ ଏବେ ସୁଦ୍ଧା ୪୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଶବ ଉଦ୍ଧାର କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାର ଘୋଷଣା କରିଛନ୍ତି।
ବସ୍ ନମ୍ବର Mp19p 1882 ଜବଲନାଥ ପରିହାର ଟ୍ରାଭେଲ୍ସର। ବସ୍ ମାଲିକ କମଳେଶ୍ଵର ସିଂହ। ବସ୍ ସିଧିରୁ ସତନା ଯାଉଥିଲା। ୮୦ କିଲୋମିଟର ଯାତ୍ରା କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା। ବସ୍ ରାମପୁର ପାରି କରିବା ପରେ ଏକ କେନାଲରେ ପଡିଯାଇଥିଲା।
ଦୁର୍ଘଟଣାଗ୍ରସ୍ତ ବସ୍ ୩୨ ପ୍ଲସ ଦୁଇ ସିଟର୍ ଥିଲା। ଏଥିରେ ୩୮ ଯାତ୍ରୀ ବସ ଷ୍ଟାଣ୍ଡରୁ ଚଢ଼ିଥିଲେ। ବସ ଧାର୍ଯ୍ୟ ସମୟରେ ସକାଳ ୫ଟା ରୁ ବାହାରିବାର ଥିଲା। କିନ୍ତୁ ବସ ଭୋର ୩ଟାରୁ ବାହାରି ଯାଇଥିଲା। ବସ ଅଲଗା ରାସ୍ତା ଦେଇ ଯାଉଥିଲା। ଟ୍ରାଫିକ ଯାମ କାରଣରୁ ଡ୍ରାଇଭର ହଠାତ ଅଲଗା ରାସ୍ତା ଦେଇ ବସ ନେଇଯାଉଥିଲେ। ରାସ୍ତା ବଦଳାଇବାର ୭ କିଲୋମିଟର ଯିବାପରେ ଦୁର୍ଘଟଣା ହୋଇଥିଲା।