ଜୁଲାଇ ୮ ତାରିଖ ଯାଏ କଟକ ସହର ସଟଡ଼ାଉନ
କଟକ, (ଓଡିଶା ଟାଇମ୍) : ଜୁଲାଇ ୮ ରାତି ୧୨ଟା ଯାଏଁ କଟକ ସହର ସଟଡ଼ାଉନ ରହିବ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସିଏମସି ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । କେବଳ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ଦୋକାନ ଖୋଲା ରହିବ । ଅନଲାଇନରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ମଗାଇ ହେବ ବୋଲି ଅନୁମତି ମିଳିଛି । ଏହାସହ ଔଷଧ ଦୋକାନ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ଘୋଷଣା କରାଯାଇଛି ।
ସଟ୍ଡାଉନ୍ ବେଳେ କୌଣସି ଅଣ ଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି। ସେହିପରି ସମସ୍ତ ଅଣ ଅତ୍ୟାବଶ୍ୟକ ଦୋକାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଗ୍ରୋସରୀ, ପରିବା, କ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ସକାଳ ୫ରୁ ସଂଧ୍ୟା ୬ଯାଏ ଖୋଲିବ ଗ୍ରୋସରୀ, ପରିବା, କ୍ଷୀର ଦୋକାନ। ତେବେ ଔଷଧ ଦୋକାନ ନିୟମିତ ଖୋଲିବ। ଅନଲାଇନ ଡେଲିଭରି, ବିଦ୍ୟୁତ୍, ପାନୀୟ ଜଳ ଯୋଗାଣ ଚାଲୁ ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଆଜି ସକାଳେ କଟକ ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲେ ସିଏମସି । ସଂପୃକ୍ତ ଅଞ୍ଚଳରୁ ପୁଣି ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ମାଳିସାହି ଅଞ୍ଚଳରୁ ମୋଟ୍ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚମ୍ପାଦେଇ ମନ୍ଦିରଠୁ ମାଳିସାହି ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅନ୍ୟପଟେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଏମାନଙ୍କୁ ମିଶାଇ ଗତ ୧୦ ଦିନ ଭିତରେ ଏଠାରୁ ୭୬ ଜଣ ଚିହ୍ନଟ ହେଲେଣି । ଗୁରୁବାର ୫୫ ଜଣ ଚିହ୍ନଟ ହୋଇଥିବା ବେଳେ, ପୂର୍ବରୁ ୧୬ ଜଣ ଚିହ୍ନଟ ହୋଇଥିଲେ । ଶୁକ୍ରବାର କଟକରୁ ମୋଟ୍ ୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।