ମହାସ୍ନାନ ପରେ ଅଣସରକୁ ଗଲେ ଶ୍ରୀଜିଉ

ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍ନାନମଣ୍ଡପରେ ୧୦୮ଗଡୁ ଜଳରେ ସ୍ନାନ ଯୋଗୁଁ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିର ଅଣସରଘରେ ପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ ହୋଇଛି । ଏଥିପାଇଁ ଆଜିଠାରୁ ପଟିଦିଅଁଙ୍କୁ ପୂଜା କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ନାରାୟଣ, ଶ୍ରୀବଳଭଦ୍ରଙ୍କ ପାଇଁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ବରୀଙ୍କୁ ପୂଜା କରାଯିବା ବିଧି ରହିଛି । ଗତକାଲି ଗୋଟି ପହଣ୍ଡିରେ ବଡ଼ଠାକୁର ବଳଭଦ୍ରଙ୍କର ପହଣ୍ଡି, ପରେ ପରେ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କର ପହଣ୍ଡି ହୋଇଥିଲା ।

କରୋନା କଟକଣା ଯୋଗୁଁ କଡ଼ା ସୁରକ୍ଷା ବଳୟରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଦେବସ୍ନାନ ନୀତି ସଂପନ୍ନ ହୋଇଥିଲା ।ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଥିବାରୁ ମାର୍କେଟ୍ ଛକଠାରୁ ଜନସାଧାରଣଙ୍କ ପାଇଁ ପ୍ରବେଶ ନିଷେଧ ଥିଲା ।

ଶ୍ରୀଜିଉ ଅସୁସ୍ଥ ଥିବାରୁ ଦଇତାପତି ସେବକମାନେ ଅଣସରଘରେ ଠାକୁରଙ୍କ ଗୁପ୍ତସେବା କରିବେ। ପ୍ରଭୁଙ୍କୁ ଜ୍ବର ହୋଇଥିବାରୁ ପଣା ଏବଂ ଚକଟା ଭୋଗ କରାଯିବ। ଏହିସମୟରେ ମହାପ୍ରଭୁଙ୍କ ଶୁକ୍ଳଫୁଲ ଏବଂ ସୂତାବସ୍ତ୍ର ପରିଧାନ କରିବେ। ଜ୍ବରପୀଡା ଲାଘବ ପାଇଁ ଠାକୁରଙ୍କୁ ଫୁଲୁରିତେଲ ମାଲିସ କରାଯିବା ସହ ଦଶମୂଳ ମହୋଷଧି ଖାଇବାକୁ ଦିଆଯିବ। ସମ୍ପୂର୍ଣ୍ଣ ସୁସ୍ଥହେବା ପରେ ଶ୍ରୀଜିଉ ଚକା ବିଜେ କରିବେ।

Leave a Reply

Your email address will not be published.