ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ନରେନ୍ଦ୍ର ଦାଭୋଲକର ପରି ନହେଉ: ଶରଦ ପାୱାର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ସିବିଆଇ କରିବ ବୋଲି ବୁଧବାର ଦିନ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଖବର ମିଳିବା ପରେ ସୁଶାନ୍ତଙ୍କ ଭଉଣୀଙ୍କ ସମେତ ବଲିଉଡ କଳାକାର ଓ ଫ୍ୟାନ୍ସ ମାନେ ମଧ୍ୟ ଖୁସି ବ୍ୟକ୍ତି କରିଥିଲେ ।
ଏହି ମାମଲାରେ ମହାରାଷ୍ଟ୍ର ସରକାରରେ ସାମିଲ ଏନସିପି ପ୍ରମୁଖ ଶରଦ ପାୱାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।
ଶ୍ରୀ ପାୱାର ଟ୍ୱିଟ୍ କରି କହିଛନ୍ତି ଯେ “ସୁପ୍ରିମକୋର୍ଟ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି । ମୋତେ ଆଶା ରହିଛି ମହାରାଷ୍ଟ୍ର ସରକାର ଏହି ନିର୍ଣ୍ଣୟକୁ ସମ୍ମାନ କରିବ ଏବଂ ଯାଞ୍ଚରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବ” ।
ସେ ଆହୁରି ମଧ୍ୟ କହିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଡ. ନରେନ୍ଦ୍ର ଦାଭୋଲକରଙ୍କ ହତ୍ୟାର ତଦନ୍ତ ଭଳି ନହେଇ ଯାଉ । ଯାହାର ତଦନ୍ତ ୨୦୧୫ ମସିହାରେ ସିବିଆଇ ଦ୍ୱାରା ଆରମ୍ଭ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ।
ଖବର ଅନୁଯାୟୀ, ମହାରାଷ୍ଟ୍ରର ସାମାଜିକ କାର୍ଯ୍ୟକର୍ତ୍ତା ଡ. ନରେନ୍ଦ୍ର ଦାଭୋଲକରଙ୍କ ହତ୍ୟା ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ହୋଇଥିଲା । ଆଜି ସେହି ଘଟଣାକୁ ୭ ବର୍ଷ ପୂରି ଥିବା ବେଳେ ଏହି ଅବସରରେ ଶରଦ ନିଜ ପ୍ରତିକ୍ରିୟାରେ ତାଙ୍କୁ ମନେ ପକାଇଥିଲେ ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଶୁଣାଣି ପରେ ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ରାୟ ସଂରକ୍ଷିତ ରଖିଥିଲେ। ବିହାର ସରକାରଙ୍କ ବରିଷ୍ଠ ଆଡଭୋକେଟ ମନିନ୍ଦର ସିଂ, ମହାରାଷ୍ଟ୍ର ସରକାରଙ୍କ ଅଭିଷେକ ମନୁ ସିଂଭି, ସୁଶାନ୍ତ ସିଂ ରାଜପୁତଙ୍କ ପରିବାରରୁ ଶ୍ୟାମ ଡିଭାନ ରିୟା ଏବଂ ବିକାଶ ସିଂ ଏହି ମାମଲରେ ନିଜ ପକ୍ଷ ସୁପ୍ରିମକୋର୍ଟରେ ରଖିଥିଲେ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।