ଲଘୁଚାପ: ଆଜି ପ୍ରବଳ ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଆଶଙ୍କା ରହିଛି। ବଙ୍ଗୋପସାଗରରର ଉତ୍ତର-ପଶ୍ଚିମ ଦିଗଆଡ଼କୁ ଗତି କରୁଥିବାରୁ ଏହା ଓଡ଼ିଶାର ଦକ୍ଷିଣ ଉପକୂଳ  ନିକଟତର ହୋଇଛି।  ଏହି ଲଘୁଚାପ ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ ବର୍ଷା ଆରମ୍ଭ ହେବା ସହ ଏହା ଅତି ପ୍ରବଳ ବର୍ଷା  ରୂପ ନେବ ବୋଲି ପାଣିପାଗ ବିଭାଗ କହିଛି।

ଗତକାଲି ଲଘୁଚାପ ସମ୍ପର୍କୀୟ ସୂଚନା ଦେବା ସହ ପାଣିପାଗ ବିଭାଗ ପକ୍ଷରୁ ଜୁନ୍‌ ୧ ତାରିଖରୁ ୯ ତାରିଖ ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଧାରଣ ବୃଷ୍ଟିପାତ ପରିମାଣ ଅଭାବ ରହିଥିବା ଦର୍ଶାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ଏହି କମ୍‌ ବୃଷ୍ଟିପାତ ହୋଇଥିବା ଜିଲ୍ଲାଗୁଡ଼ିକ ଭିତରେ ସବୁଠାରୁ ଆଗରେ ରହିଛି କେନ୍ଦ୍ରାପଡ଼ା, ପୁରୀ ଏବଂ ମାଲକାନଗିରି ଜିଲ୍ଲା। ମାଲକାନଗିରି ଜିଲ୍ଲାରେ ଏହି ୯ ଦିନ ଭିତରେ ଯେତିକି ବୃଷ୍ଟିପାତ ହେବ କଥା ସେଥିରୁ ୯୪ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି। ଠିକ୍‌ ସେହିପରି ପୁରୀରେ ୮୧ ପ୍ରତିଶତ କମ୍‌ ବୃଷ୍ଟି ହୋଇଥିବା ବେଳେ କେନ୍ଦ୍ରାପଡ଼ାରେ ୬୮ ପ୍ରତିଶତ କମ୍‌ ବୃଷ୍ଟି ହୋଇଛି।

ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ଜଗତସିଂହପୁର ପ୍ରଭୃତି ଜିଲ୍ଲାରେ ୨୦ରୁ ୫୯ ପ୍ରତିଷତ କମ୍‌ ବୃଷ୍ଟିପାତ ରେକର୍ଡ଼ କରାଯାଇଛି।

ସାଧାରଣତଃ ଜୁନ୍‌ ୧୦ ଓଡ଼ିଶାରେ ମୌସୁମୀ ସ୍ପର୍ଶର ତାରିଖ ହୋଇଥାଏ। କିନ୍ତୁ ଏଯାଏ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ସ୍ପର୍ଶ କରି ନାହିଁ। ଜୁନ୍‌ ୧୨ ତାରିଖ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଟ୍ବିଟରରେ ସୂଚନା ଦେଇ ଆଞ୍ଚଳିକ ପାଣିପାଗ ବିଭାଗ କହିଛି ଯେ, ଆସନ୍ତା ୩ ଦିନ ଭିତରେ ମୌସୁବୀ ବାୟୁ ଓଡ଼ିଶା ଉପକୂଳ ସ୍ପର୍ଶ କରିବା ସମ୍ଭାବନା ରହିଛି।

Leave a Reply

Your email address will not be published.