ବାଜ୍ୟାପ୍ତ ହେବ ସି-ସୋରର ୬୫୦ କୋଟି ଟଙ୍କାର ସଂପତ୍ତି, ନିର୍ଦ୍ଦେଶ ଦେଲେ ଅଦାଲତ
ଭୁବନେଶ୍ବର, (ଓଡିଶା ଟାଇମ୍) :ବହୁ ଚର୍ଚ୍ଚିତ ସି ସୋର ଚିଟ୍ଫଣ୍ଡ ସଂସ୍ଥାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତ। ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା, ବ୍ୟାଙ୍କରେ ଜମା ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାଜ୍ୟାପ୍ତ ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ ଲାଗି ନିର୍ଦ୍ଦେଶ। ନିଲାମରୁ ଲବ୍ଧ ଅର୍ଥକୁ ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ ନିର୍ଦ୍ଦେଶ। ବାଜ୍ୟାପ୍ତ ସମସ୍ତ ସମ୍ପତ୍ତି ରଆନୁମାନିକ ୬୫୦ କୋଟି ଟଙ୍କା ହେବ।
ସି ସୋର ଚିଟ୍ଫଣ୍ଡ କମ୍ପାନୀ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ଠକିଛି। ଏହି ମହା ଠକେଇରେ ହଜାର ହଜାର ଜମାକାରୀଙ୍କ ବିଶ୍ୱାସରେ ବିଷ ଦେଇଥିଲେ ସି ସୋର ଚିଟ୍ଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାଶ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସି-ସୋର୍ ସମେତ ଓଡ଼ିଶାର ୪୪ଟି ଚିଟ୍ଫଣ୍ଡ କମ୍ପାନୀର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଥିଲା । ସିବିଆଇ ସି ସୋର୍ ବିରୋଧରେ ଦାୟର କରିଥିବା ଚାର୍ଜସିଟ୍ରେ ୪୮୭ କୋଟି ଟଙ୍କାର ଠକେଇ କଥା ଉଲ୍ଲେଖ କରିଥିଲା।