ଫେରିପାରିବେ ପ୍ରବାସୀ, ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମ୍କୋର୍ଟଙ୍କ ରହିତାଦେଶ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଭିନ୍ନ ରାଜ୍ୟରୁ ଓଡ଼ିଶା ଆସିବାକୁ ଥିବା ଶ୍ରମିକଙ୍କ ଆସିବା ଉପରେ ହାଇକୋର୍ଟ ଯେଉଁ ରୋକ୍ ଲଗାଇଥିଲେ ତାହାକୁ ସ୍ଥଗିତ ରଖିଛନ୍ତି ସୁପ୍ରିମ୍କୋର୍ଟ। ଅର୍ଥାତ୍ ବିନା କୌଣସି ଯାଞ୍ଚରେ ବି ଓଡ଼ିଶାକୁ ଶ୍ରମିକ ଫେରିପାରିବେ।
ଗୁରୁବାର ଦିନ ହାଇକୋର୍ଟ ଏକ ଜନସ୍ଵାର୍ଥ ମାମଲାର ବିଚାର କରି ଓଡ଼ିଶାକୁ ଆସିବା ଶ୍ରମିକଙ୍କୁ ଆର୍ଟି-ପିସିଆର୍ ପରୀକ୍ଷଣ ପାଇଁ ବାଧ୍ୟ କରିଥିଲେ। ଯେହେତୁ ରାଜ୍ୟରେ ସଂକ୍ରମଣ ସ୍ଥିତି ଦିନକୁ ଦିନ ଉଦ୍ବେଗ ହେବାରେ ଲାଗିଛି , ତାହାକୁ ଆଖିରେ ରଖି ଏକ ଜନସ୍ଵାର୍ଥ ମାମାଲା ଦାୟାର କରାଯାଇଥିଲା।
ମାତ୍ର ଆଜି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ.କେ.କାଉଲ୍ ଏବଂ ଜଷ୍ଟିସ୍ ବି ଆର ଗବାଇଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିଛନ୍ତି। ଖଣ୍ଡପୀଠ ତାଙ୍କର ଣୁଣାଣିରେ କହିଛନ୍ତି, ଓଡ଼ିଶା ହାଇକୋର୍ଟଙ୍କ ଯେଉଁ ନିର୍ଦ୍ଦେଶ ଲୋକଙ୍କୁ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବେଶକୁ ନିଷେଧ କରିଛି ତାହା ଉପରେ ରହିତାଦେଶ ଜାରି କରୁଛୁ।
ଏହି ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଥିଲେ ଯେ ରାଜ୍ୟମାନେ ଯଦି ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଚାହୁ ନାହାନ୍ତି ତେବେ ସେମାନେ ଏଥି ଲାଗି ବ୍ୟବସ୍ଥା କରିବା ଦରକାର। ମାତ୍ର ଲୋକଙ୍କର ରାଜ୍ୟ ପ୍ରବେଶ ଉପରେ ନିଷେଧାଦେଶ ଜାରି ହୋଇ ପାରିବ ନାହିଁ। ଏଥିସହ ସେ ଯୁକ୍ତି ବାଢ଼ିଥିଲେ, ନିଜ ରାଜ୍ୟ ବାହାରେ ଥିବା ବହୁ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଅନ୍ୟ ବର୍ଗର ଲୋକେ ଲକଡାଉନ୍ଯୋଗୁଁ ଫସି ରହି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲକଡାଉନ ଘୋଷଣା ପରେ ୪୦ ଦିନରୁ ଅଧିକ ସମୟ ଧରି ସେମାନେ ଅବ୍ୟବସ୍ଥା ଭିତରେ ରହି ସାରିଥିବାରୁ ସେମାନଙ୍କୁ ନିଜ ରାଜ୍ୟକୁ ଫେରିବା ଲାଗି ଅନୁମତି ଦିଆଯିବା ଉଚିତ।