ପେଗାସସ୍ର ସତ୍ୟତା ସାମ୍ନାକୁ ଆସିବା ଦରକାର : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୁପ୍ରିମକୋର୍ଟ ଗୁରୁବାର ପେଗାସସ୍ ଜାସୁସୀ ଘଟଣାର ସତ୍ୟତା ସାମ୍ନାକୁ ଆସିବା ଦରକାର ବୋଲି ସ୍ପଷ୍ଟ କରିଦେଇଛନ୍ତି। ନାଗରିକ, ସାମ୍ବାଦିକ, ମନ୍ତ୍ରୀ, ସାଂସଦ ଓ ବିଭିନ୍ନ କାର୍ଯ୍ୟକର୍ତ୍ତଙ୍କ ଉପରେ ଗୋପନରେ ନଜର ରଖିବା ଲାଗି ସରକାର ଇସ୍ରାଏଲର ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରୁଥିବା ନେଇ ସମ୍ବାଦ ପତ୍ରରେ ପ୍ରକାଶିତ ରିପୋର୍ଟ ତେବେ ସତ୍ୟ ଥିଲା ଓ ଏହା ବାସ୍ତବିକ ଗୁରୁତର ଘଟଣା ବୋଲି ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ) ଜଷ୍ଟିସ୍ ଏନ.ଭି.ରମନ୍ନା ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଦୁଇ ସଦସୀୟ ବେଞ୍ଚ କହିଛନ୍ତି। ଏଣୁ ଆବେଦନକାରୀ ବରିଷ୍ଠ ସାମ୍ବାଦିକ ଏନ.ରାମ, ଏଡିଟର୍ସ ଗିଲ୍ଜଡ ଅଫ ଇଣ୍ଡିଆ, ରାଜ୍ୟସଭା ସଦସ୍ୟ ଜନ୍ ବ୍ରିଟାସ୍ ଏବଂ ପେଗାସସ୍ ସ୍ପାଏୱେର ଦ୍ୱାରା ପ୍ରଭାବିତ ହୋଇଥିବାର ଅଭିଯୋଗ କରୁଥିବା ୫ ଜଣ ସାମ୍ବାଦିକଙ୍କୁ ବେଞ୍ଚ ସେମାନଙ୍କ ଆବେଦନକୁ ସୋଲିସିଟର ଜେନେରାଲ ଓ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ଛଡା ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶୋବନ୍ତ ସିହ୍ନା ମଧ୍ୟ ବରିଷ୍ଠ ଆଡଭୋକେଟ୍ ମନିଷ ତିୱାରୀଙ୍କ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ମାମଲାରେ ଏକ ପିଟିସନ ଦାଖଲ କରିଛନ୍ତି।
ବେଞ୍ଚ ମାମଲାକୁ ଅଗଷ୍ଟ ୧୦ ତାରିଖକୁ ସୂଚୀବଦ୍ଧ କରି କହିଛନ୍ତି ଯେ ଆଗାମୀ ଶୁଣାଣିରେ ସରକାରଙ୍କ ପକ୍ଷରୁ କେହି ହେଲେ ପ୍ରତିନିଧିତ୍ୱ କରନ୍ତୁ ବୋଲି କୋର୍ଟ ଚାହାନ୍ତି। ଅର୍ଥାତ ସରକାରଙ୍କ ପକ୍ଷରୁ କାହାକୁ ହେଲେ କୋର୍ଟରେ ହାଜର ହେବା ଦରକାର ବୋଲି ଜଷ୍ଟିସ୍ ରମନ୍ନା କହିଛନ୍ତି। ତେବେ ଏଥି ଲାଗି ବେଞ୍ଚ ସରକାରଙ୍କୁ କୌଣସି ଔପଚାରିକ ନୋଟିସ୍ ଜାରି କରିନାହାନ୍ତି। ତେବେ ଓକିଲ ମନୋହରଲାଲ ଶର୍ମାଙ୍କ ଦ୍ୱାରା ଆଗତ ପିଟିସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବ୍ୟକ୍ତିଗତ ପକ୍ଷ କରାଯାଇଛି। ସିଜେଆଇ କହିଛନ୍ତି ଯେ କେତେକ ଆବେଦନକାରୀ ସେମାନଙ୍କ ପିଟିସନରେ ପେଗାସସ୍ରୁ ବାହାରକୁ ଯାଇ ଅନ୍ୟାନ୍ୟ ଅଭିଯୋଗ ମଧ୍ୟ ଆଣିଛନ୍ତି। ଯେଉଁଥିରେ ଟେଲିଗ୍ରାଫ ଆକ୍ଟରେ ମଧ୍ୟ ଏକ ଆବେଦନ ଦାଖଲ ହୋଇଥିବା ଦେଖା ଯାଇଛି। ଯାହା ପ୍ରସଙ୍ଗକୁ ଅନାବଶ୍ୟକ ଓ ଜଟିଳ କରୁଛି। ଏଣୁ ଯେଉଁ ପିଟିସନ ଆଧାରରେ ନୋଟିସ ଜାରି କରାଯିବା ଦରକାର ତାହା ଆମକୁ ଏବେ ନିର୍ଣ୍ଣୟ କରିବାକୁ ହେବ ବୋଲି ବେଞ୍ଚ କହିଛନ୍ତି। ତେବେ ଅଧିକାଂଶ ପିଟିସନ ବିଦେଶୀ ସମ୍ବାଦପତ୍ରରେ ପ୍ରକାଶିତ ନ୍ୟୁଜ୍ କ୍ଲିପ୍ ଆଧାରରେ ଦାଖଲ ହୋଇଛି। ଏଣୁ ନ୍ୟୁଜ୍ କ୍ଲିପ ବ୍ୟାତୀତ ଅଭିଯୋଗର ସତ୍ୟତା ପ୍ରମାଣିତ କରୁଥିବା ଅନ୍ୟ କିଛି ସାମଗ୍ରୀ ଅଛି କି ଯାହା ଦ୍ୱାରା ଅଭିଯୋଗର ଯାଞ୍ଚ ଲାଗି ନିର୍ଦ୍ଦେଶ ଜାରି ହୋଇ ପାରିବ ବୋଲି କୋର୍ଟ ପଚାରିଥିଲେ।
ଆବେଦନକାରୀ ପକ୍ଷଙ୍କୁ ସିଜେଆଇ କହିଛନ୍ତି ଯେ ଦାଖଲ ପିଟିସନଗୁଡିକୁ ଆମେ ଅସତ୍ୟ ବୋଲି କହିପାରିବାନି, ଏହାବି କୁହାଯାଇ ନପାରେ ଯେ ଏଥିରେ ସାମଗ୍ରୀ ନାହିଁ। ତେବେ ଅନ୍ତର୍ଜାତୀୟ ସାମଗ୍ରୀ ଓ ସମ୍ବଳ ବାଦେ ଅଭିଯୋଗ ସମ୍ପର୍କିତ ଅଧିକ ତଥ୍ୟ ସଂଗ୍ରହର ଆବଶ୍ୟକତା ଥିଲା କି ନା? ସେହିପରି ଦୁଇ ବର୍ଷ ପୂର୍ବେ ଏପରି ହେଉଥିବାର ସନ୍ଦେହ କରୁଥିଲ, ହେଲେ ଏବେ ହଠାତ କାହିଁକି ଆସିଲ, ଦୁଇ ବର୍ଷ ହେଲା କରୁଥିଲ କଣ ? ତୃତୀୟ କଥା ତୁମେ ସେମାନଙ୍କ ଲକ୍ଷରେ ଥିଲ ତୁମର ଫୋନ ହ୍ୟାକ ହେଉଥିଲା ହେଲେ ବିରୋଧରେ ଅପରାଧିକ ପଦକ୍ଷେପ ନେଇ ନଥିଲେ କାହିଁକି । ଅନ୍ତତଃ ମାମଲାରେ ଏକ ଅଭିଯୋଗ ବି କରିପାରିଥାନ୍ତେ, ହେଲେ କରି ନାହାନ୍ତି କାହିଁକି? ବୋଲି ପଚାରିଥିଲେ।
ବେଞ୍ଚଙ୍କ ପ୍ରଥମ ପ୍ରଶ୍ନର ଜବାବରେ ସାମ୍ବାଦିକ ଏନ.ରାମ ଓ ଶଶି କୁମାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ କପିଲ ଶିବଲ କହିଥିଲେ ଯେ ପେଗାସସ୍ ଏକ ସ୍ପାଇୱେର ବୋଲି କାର୍ଲିଫର୍ଣ୍ଣିଆ କୋର୍ଟ ରେକର୍ଡ କରିଛନ୍ତି। ଯାହା କେବଳ ସରକାରୀ ଏଜେନ୍ସୀଙ୍କୁ ବିକ୍ରି ହୋଇଛି। ଏଣୁ ‘ସାର୍ବଭୌମ ପ୍ରତିରକ୍ଷା’ କାରଣରୁ ସ୍ପାଇୱେରର ନିର୍ମାତା ଏନଏସଓ ଙ୍କ ଆବେଦନ ଅତୀତରେ ଆମେରିକୀୟ କୋର୍ଟରେ ଅଗ୍ରାହ୍ୟ ହୋଇଛି। ଏନେଇ ସାମ୍ବାଦିକ ଏନ.ରାମଙ୍କ ପିଟିସନରେ ହ୍ୱାଟସ୍ ଆପ୍ ଦ୍ୱାରା ଏନଏସଓ ସମୂହଙ୍କ ବିରୋଧରେ ଆଗତ ମାଲୱେର ନେଇ ଦାୟର ମୋକଦ୍ଦମା ସମ୍ପର୍କିତ ବିସ୍ତୃତ ସୂଚନା ଥିବା କହିଥିଲେ।











