ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ପଳାତକ ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କୁ ସୁପ୍ରିକୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ଏପରିକି ଏହି ମାମଲାର ପୁନଃବିଚାର ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ ।
ଅର୍ଥ ନେଣଦେଣ ସମ୍ବନ୍ଧୀୟ ଏକ ମାମଲାରେ ଶୁଣାଣୀ କରି ଗତ ଅଗଷ୍ଟ ୨୭ ତାରିଖରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ସୂଚନାନୁଯାୟୀ ପଳାତକ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ୨୦୧୭ ମସିହା ମେ’ ୯ ତାରିଖରେ ଏକ ମାମଲାର ପୁନଃବିଚାର ପାଇଁ ଯାଚିକା ଦାଏର କରିଥିଲେ ।
ଉକ୍ତ ମାମଲା ଅନୁଯାୟୀ, ନ୍ୟାୟାଳୟର କଥାକୁ ଅମାନ୍ୟ କରି ନିଜ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୪ ମିଲିୟନ୍ ଆମେରିକୀୟ ଡଲାରକୁ ଟ୍ରାନ୍ସଫର କରିଥିଲେ । ଯାହା ପରେ ଅଦାଲତ ଆଦେଶକୁ ଅବଜ୍ଞା କରି ସେ ଦୋଷୀ ହୋଇଥିଲେ ।
ଅଗଷ୍ଟ ୨୭ ତାରିଖରେ ନ୍ୟାୟମୂର୍ତ୍ତି ୟୁ ୟୁ ଲଲିତ ଓ ନ୍ୟାୟମୂର୍ତ୍ତି ଅଶୋକ ଭୂଷଣ ଏହି ମାମଲାର ଦଲିଲ ଗୁଡିକୁ ଶୁଣିବା ପରେ ରାୟ ସଂରକ୍ଷିତ କରିଥିଲେ ।
ଏପରିକି କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା ଯେ ବିଜୟ ମାଲ୍ୟାଙ୍କ ବିରୋଧରେ ୨ଟି ବଡ ଅଭିଯୋଗ ରହିଛି । ପ୍ରଥମଟି ସେ ନିଜ ସମ୍ପତ୍ତିର ସଠିକ୍ ମୂଲ୍ୟାଙ୍କନ ଦେଇନାହାଁନ୍ତି ଏବଂ ଦ୍ୱିତୀୟଟି ହେଉଛି ସେ ନିଜ ସମ୍ପତ୍ତିକୁ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ ।
ପରବର୍ତ୍ତୀ ସମୟରେ ପ୍ରାୟ ୩ ବର୍ଷ ପାଇଁ କୋର୍ଟରେ ଏହି ପୁନଃବିଚାର ମାମଲାର ଶୁଣାଣି ହୋଇନାହିଁ । ଏପରିକି ବିଳମ୍ବ ପାଇଁ ରେଜିଷ୍ଟିରଙ୍କୁ ସ୍ପଷ୍ଟୀକରଣ ମଧ୍ୟ ମାଗିଥିଲେ କୋର୍ଟ । ଯାହା ପରେ ସମୀକ୍ଷା ଆବେଦନ ଉପରେ ବିଚାର କରାଯାଇଥିଲା ବୋଲି ସୁତ୍ରରୁ ପ୍ରକାଶ ।
ସୂଚନାଥାଉ କି, ଦେଶରେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ମାଲ୍ୟାଙ୍କର କିଙ୍ଗଫିଶର ମଦ, ଏୟାରଲାଇନ୍ସ ଆଦି ବ୍ୟବସାୟ ରହିଥିଲା । ସେ ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ୯୦୦୦ କୋଟି ଟଙ୍କାର ଋଣ ପରିଶୋଧ କରିନପାରି ୨୦୧୬ ମସିହାରେ ଲଣ୍ଡନ ଫେରାର ହୋଇ ଯାଇଥିଲେ ।