ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗାଯିବା ଘଟଣା, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ୍‌ ଡିଜି

ପୁରୀ, (ଓଡିଶା ଟାଇମ୍):ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗାଯିବା ଘଟଣାରେ ତନାଘନା ଆରମ୍ଭ ହୋଇଥିବା ବେଳେ ମୁଖ୍ୟୁମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଡିଜିପି ସୁନୀଲ କୁମାର ବଂଶଲ୍ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି। ୪୩ଟି ଚୁଲି ଭଙ୍ଗା ଯାଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି।

ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ସିସିଟିଭି ଫୁଟେଜ ଯାଞ୍ଚରୁ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ସେହି ବ୍ୟକ୍ତି ଜଣକ ଏହା କରିଛନ୍ତି ନାଁ ଆଉ କଣ କାରଣ ଅଛି ତାର ଅନୁଧ୍ୟାନ ଚାଲିଛି। ଭବିଷ୍ୟତରେ ଶ୍ରୀମନ୍ଦିରରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ଅଧିକ ଗୁରୁତ୍ଵ ଦିଆଯିବ। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସଂସ୍ଥାପନ କରାଯିବ। ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଓ ଡିଜିପି କହିଛନ୍ତି। ଶ୍ରୀମନ୍ଦିର ଶୋଧ ହେବା ପରେ ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ପୋଲିସ ବା ବରକନ୍ଦାଜ୍ ଓ ଶ୍ରୀମନ୍ଦିର ଚାରି ଦ୍ଵାରରେ ସଶସ୍ତ୍ର ଓଡ଼ିଶା ପୋଲିସ ମୁତୟନ ଥାଆନ୍ତି । ତେଣୁ ଏଭଳି ଘଟଣା ପଛରେ ଅବହେଳା ହୋଇଥିବା ଡିଜିପି ସ୍ବୀକାର କରିଛନ୍ତି ।

Leave a Reply

Your email address will not be published.