ହେମନ୍ତ ଶର୍ମାଙ୍କୁ ଅବ୍ୟାହତି, ସତ୍ୟବ୍ରତ ସାହୁ ହେଲେ ନୂଆ ଏମ୍‌ଏସ୍‌ଏମ୍‌ଇ ଦାୟିତ୍ଵ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟର ଭିତ୍ତିଭୂମି ପ୍ରସ୍ତୁତି ଦାୟିତ୍ଵ ଲାଭ କରିଥିବା ବିବାଦୀୟ ଆଇଏଏସ୍‌ ଅଧିକାରୀ ହେମନ୍ତ ଶର୍ମାଙ୍କୁ ପୁଣି ଏକ ଦାୟିତ୍ଵରୁ ଅବ୍ୟାହତି ଦେଇଛନ୍ତି ରାଜ୍ୟ ସରକାର। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ସେ ଏଥିକି ଆଉ ଅଣୁ, କ୍ଷୁଦ୍ର ତଥା ମଧ୍ୟମ  ଉଦ୍ୟୋଗ ବିଭାଗର ପ୍ରଧାନ ସଚିବ ଦା୍ରିତ୍ଵ ତୁଲାଇବେ ନାହିଁ। ତାଙ୍କ ସ୍ଥାନ ଗ୍ରହଣ କରିବେ ଆଇଏଏସ୍‌ ଅଧିକାରୀ ସତ୍ୟବ୍ରତ ସାହୁ।

ସତ୍ୟବ୍ରତ କେନ୍ଦ୍ରୀୟ ଡେପ୍ୟୁଟେସନ୍‌ ସାରି ଓଡ଼ିଶା ଫେରିଛନ୍ତି। ସତ୍ୟବ୍ରତଙ୍କ ଦାୟିତ୍ଵ ଗ୍ରହଣ ପରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଅତିରିକ୍ତ ଦାୟିତ୍ଵରୁ ଶ୍ରୀ ଶର୍ମାଙ୍କୁ ଅବ୍ୟାହତି ମିଳିବ।

ଆଜି ଏକ ବଦଳି ଆଦେଶ ପ୍ରଦାନ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଆଦେଶରେ ଯୋଜନା ଓ ସମନ୍ବୟ ବିଭାଗର ସ୍ଵତନ୍ତ୍ର ସଚିବ ତଥା ୨୦୦୩ ମସିହା ଏନ୍‌ଏସ୍‌ସିଏସ୍‌ କ୍ୟାଡରର ଆଇଏଏସ୍‌ ଅଧିକାରୀ ଗୋପବନ୍ଧୁ ଶତପଥିଙ୍କୁ ରାଜ୍ୟ ସମବାୟ ବ୍ୟାଙ୍କ୍‌ର ନୂଆ ପରିଚାଳନା ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଏଠାରେ କାର୍ଯ୍ୟ କରୁଥିବା ଆଇଏଏସ୍‌ ଅଧିକାରୀ ଦେବେନ୍ଦ୍ର କୁମାର ଜେନାଙ୍କୁ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଦାୟିତ୍ଵ  ପ୍ରଦାନ କରାଯାଇଛି।

ଓଡ଼ିଶା ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦେଶକ ପଦବୀକୁ ସ୍ଵତନ୍ତ୍ର ସଚିବ ପାହ୍ୟା ମର୍ଯ୍ୟାଦା ପ୍ରଦାନ କରାଯାଇଥିବା ରାଜ୍ୟ ଦରକାରଙ୍କ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published.

%d bloggers like this: