ଅସହାୟତା ନା ଚତୁରତା: ସଞ୍ଜୟଙ୍କ ‘ଷଡ଼ଯନ୍ତ୍ର’ର ନାୟକ କିଏ?
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଦଳ ଭିତରେ ସବୁକିଛି ଏବେ ଆଉ ଠିକ୍ ଚାଲିନି। ବିଗତ ପଚିଶ ବର୍ଷରେ ରାଜ୍ୟର କୋଣ ଅନୁକୋଣକୁ ମାଡ଼ିଥିବା ଶଙ୍ଖର ସବୁଜ ଲହଡ଼ି ସୀମା ଲଙ୍ଘି ଏବେ ସଂଗଠନର କୂଳ ଖାଇବାକୁ ବସିଲାଣି। ଗୋଟିଏପଟେ ଉପନିର୍ବାଚନରେ ପ୍ରାର୍ଥୀ ସଙ୍କଟ ଆଉ ଅନ୍ୟପଟେ ଉପକୂଳରେ ତୁଙ୍ଗ ନେତାଙ୍କ ରଣହୂଙ୍କାର ଦଳର ସାଂଗଠନିକ ଦକ୍ଷତାର ଅପାରଗତାକୁ ପଦାରେ ପକାଇ ‘ବାଡ଼ କ୍ଷେତ ଖାଇବା’ ନ୍ୟାୟରେ ବଢ଼ିଛି। ଆଉ ଏଥିରେ ଆତଙ୍କିତ ହେଲେଣି ନେତା। ଅବଶ୍ୟ ପୂର୍ବରୁ ଏମିତି ହୂଙ୍କାର ଦେଇଥିବା ନେତାଙ୍କୁ ବିଜେଡି ଧକିଆ ମାରି ଦଳ ଓ ରାଜନୀତିରୁ ବିତାଡ଼ିତ କରିଛି, ହେଲେ ଏଥର କିନ୍ତୁ ପରିସ୍ଥିତି ବଦଳିବ ବୋଲି ଭବିଷ୍ୟବାଣୀ ଦେଇଛନ୍ତି ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା।
ଅସହାୟ ସଞ୍ଜୟ
ସଞ୍ଜୟ ଏବେ ଲୋକଙ୍କ ନଜରରେ ଦଳରେ କୋଣଠେସା; ହେଲେ ଦଳରେ ମୁଖ୍ୟାଳୟ ସାଧାରଣ ସମ୍ପାଦକ। ଆଜି ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସଞ୍ଜୟ, ଦଳର ମୁଖିଆଙ୍କୁ ଦଳର ପରିସ୍ଥିତି ବିଷୟରେ ସତର୍କ କରାଇଦେଉଛନ୍ତି। ମହାଭାରତ ଯୁଦ୍ଧର ବିବରଣୀକୁ ଦିବ୍ୟ ଦୃଷ୍ଟି ଦେଖିପାରିବା ଭଳି ବୋଧହୁଏ ସଞ୍ଜୟ ଆଗୁଆ କିଛି ବିପର୍ଯ୍ୟୟକୁ ଦେଖିପାରିଛନ୍ତି। ସେଥିଲାଗି ଦଳର ସଭାପତିଙ୍କୁ ସମ୍ମାନ ଦେଇ ପରିସ୍ଥିତି ବିଷୟରେ କର୍ମୀଙ୍କୁ ସଚେତନ କରାଇଛନ୍ତି। ବ୍ରହ୍ମଗିରିର ରାଜନୀତିରେ ତାଙ୍କ ଠିକଣା ଆଗକୁ ହଜିଯିବାର ଆଶଙ୍କା ବୋଧହୁଏ ସେ ପୂର୍ବରୁ ଅନୁମାନ କରିପାରିଛନ୍ତି। ସେଥିଲାଗି ମହିଳାଙ୍କ ପଣତକାନୀ ତଳେ ତାଙ୍କ ଭବିଷ୍ୟତକୁ ସେ ସାଉଁଟିଛନ୍ତି। ଅବଶ୍ୟ ଏ ରାଜନୀତିକ ବୟାନ ଅନେକ କିଛି ଇଙ୍ଗିତ କରୁଛି କିନ୍ତୁ ତାଙ୍କ ବୟାନରୁ ସ୍ପଷ୍ଟ ଯେ ସେ ଅଲୋଡ଼ା ହୋଇ ଯାଇଛନ୍ତି। ଯେଉଁ ସଞ୍ଜୟଙ୍କୁ ପ୍ରଥମ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସରକାରୀ ମୁଖ୍ୟ ସଚେତକ, ପରେଯୁବ ସଭାପତି, ମନ୍ତ୍ରୀପଦ ପ୍ରଭୃତି ଦେଇଥିଲେ, ସଂଗଠନକୁ ସମ୍ଭାଳିବା ଦାୟିତ୍ୱ ଦେଇଥିଲେ। ନିର୍ବାଚନରେ ହାରିଲେ ମଧ୍ୟ ଯୋଜନାବୋର୍ଡ଼ ଅଧ୍ୟକ୍ଷ କରିଥିଲେ, ସେ ସଞ୍ଜୟ ଆଜି ଦଳ ପାଇଁ ଗୁରୁତ୍ୱହୀନ ହୋଇଛନ୍ତି। ଏଣୁ ସେ ନିଜର ଭୋଟରଙ୍କୁ ଆଳରେ ଅନେକ କଥାର ଇଙ୍ଗିତ ଦେଇଛନ୍ତି।
ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଲୁଟ
ଏହି ଇଙ୍ଗିତରେ ସେ ବହୁତ ବଡ଼ କଥାଟି ପଦାକୁ ଆଣିଛନ୍ତି ତାହା ହେଲା, ଓଡ଼ିଶାର ଖଣିଜ ସମ୍ପତ୍ତି ଓ ରତ୍ନ ଭଣ୍ଡାର ଅସୁରକ୍ଷିତ। ତାହା ଉପରେ ବିଦେଶୀ ଶକ୍ତିଙ୍କ ଲୋଲୂପ ଦୃଷ୍ଟି ପଡ଼ିଛି। କଥାଟି ଶୁଣିଲେ ହାଲୁକା ଲାଗୁଥାଇପାରେ, ହେଲେ ଯେଉଁ ମୁହଁରୁ ଏ କଥା ବାହାରିଛି, ଆଉ ଯେଉଁ ପ୍ରସଙ୍ଗ ଉଠାଯାଇଛି ତାହା ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ରହିଛି ଖଣିଜ ପଥର। ନିକଟ ଅତୀତରେ ଖଣିଜ ନିଲାମକୁ ତାହା ଇଙ୍ଗିତ କରୁଥାଇପାରେ, ଆଉ ଦ୍ୱିତୀୟରେ ରହିଛି ରତ୍ନ ଭଣ୍ଡାର। ଏହି ରତ୍ନଭଣ୍ଡାର ଅନ୍ୟ କିଛି ନୁହେଁ, ବରଂ ତାହା ଶ୍ରୀମନ୍ଦିରର ହିଁ ହୋଇପାରେ। କାରଣ ନିକଟ ଅତୀତରେ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ଏବଂ ଏହାର ଯାଞ୍ଚକୁ ନେଇ ସରକାର ଯେମିତି ଏଡ଼ାଇ ଚାଲିଛନ୍ତି ସେ ବାବଦରେ ସଞ୍ଜୟ ବେଶ୍ ଭଲ ଭାବେ ଅବଗତ ଅଛନ୍ତି। ପୁଣି ବିଦେଶୀ ଶକ୍ତି ବୋଲି ଇଙ୍ଗିତ ଦେବାର ଅର୍ଥ କ୍ଷମତା ଅଳିନ୍ଦରେ ଥିବା ଅଣ ଓଡ଼ିଆ ଅଧିକାରୀଙ୍କୁ ହିଁ ବୁଝାଉଛନ୍ତି। ଦିନକୁ ଦିନ ଯେମିତି ଅଣଓଡ଼ିଆ ଅଧିକାରୀମାନେ କନିଷ୍ଠ ହେଲେ ବି ବରିଷ୍ଠ ଉପରେ ହୁକୁମ ଚଳାଇଛନ୍ତି ଏବଂ ଯାହା ଚାହୁଁଛନ୍ତି ନେତାଙ୍କଠାରୁ ତାହା କରାଇ ନେଉଛନ୍ତି ତାହାକୁ ମଧ୍ୟ ସଞ୍ଜୟ ଆଲୋଚନା ପରିଧିକୁ ଆଣିଛନ୍ତି। ନେତାଙ୍କୁ ପଛରେ ପକାଇ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ୍ କରାଯାଉଛି ବୋଲି ସେ ଯାହା କହିଛନ୍ତି ତାହା ପୂର୍ବ ଦିନମାନଙ୍କରେ ହୋଇଥିବା ପରିଚାଳନା ବୋର୍ଡ ବୈଠକରୁ ସ୍ପଷ୍ଟ ହେଉଛି। ସେତେବଳେ ରତ୍ନ ଭଣ୍ଡାର ଖୋଲିବା ପାଇଁ ଅନେକ ଦାବି ହୋଇଥିଲେ ମଧ୍ୟ ତାହାକୁ ପରିଚାଳନା ବୋର୍ଡ ବୈଠକ ଏଜେଣ୍ଡାରେ ବି ରଖାଯାଇ ନଥିଲା। ଅନ୍ୟପକ୍ଷରେ ପୁରୀରେ ଯେଉଁଭଳି ଭାବେ ମଠ ମନ୍ଦିରକୁ ଧ୍ବଂସ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ହେଉଛି ତାହା ବି ଏହି ବୟାନରେ ଖିଅ ରଖିଛି।
ଷଡ଼ଯନ୍ତ୍ର ବିରୁଦ୍ଧରେ ଲଢ଼ିପାରିବେ କି ସଞ୍ଜୟ
ରାଜ୍ୟ ବିରୁଦ୍ଧରେ ତଥା ବିଜେଡି ମୁଖିଆଙ୍କ ନାଁରେ ଏକ ଷଡ଼ଯନ୍ତ୍ର ଚାଲିଛି ବୋଲି ସଞ୍ଜୟ ଇଙ୍ଗିତ କରିଛନ୍ତି। ହେଲେ ଏହା ବି ଜାଣିବା ଦରକାର ଯେ ସଞ୍ଜୟ ଏହି ମାମଲାରେ ପ୍ରଥମ ନୁହନ୍ତି। ତାଙ୍କ ପୂର୍ବରୁ ଅନେକ ଏମିତି ଅଭିଯୋଗ କରି ନିଜର ସତ୍ତା ହରାଇଛନ୍ତି। ଏବେ ସଞ୍ଜୟ କ’ଣ ଷଡ଼ଯନ୍ତ୍ର ବିରୁଦ୍ଧରେ ଲଢ଼ି ନିଜ ସତ୍ତା ସୁରକ୍ଷିତ ରଖିପାରିବେ?