ଆଜିଠୁ ୧୦ ଦିନ ଯାଏ ସମ୍ବଲପୁର ସଟ୍ଡାଉନ୍
ସମ୍ବଲପୁର, (ଓଡିଶା ଟାଇମ୍) : ଆଜିଠୁ ୧୦ ଦିନ ଯାଏ ସମ୍ବଲପୁର ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଅନୁଯାୟୀ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ୪ଦିନ ପ୍ରଥମ ପର୍ଯ୍ୟାୟ ସଟ୍ଡାଉନରେ ଜରୁରୀ ଓ ଅତ୍ୟାବଶ୍ୟକ ସେବା (ଡାକ୍ତରଖାନା, କ୍ଲିନିକ, ନର୍ସିଂହୋମ, ଔଷଧ ଦୋକାନ , ଆମ୍ବୁଲାନ୍ସ, ପୁଲିସ, ପୌର ସେବା, ଅଗ୍ନିଶମ ସେବା, ଟେଲିକମ ସେବା, କ୍ଷୀର ବୁଥ୍, ପେଟ୍ରୋଲପମ୍ପ, ଏଲପିଜି ବିତରଣ, ଗଣମାଧ୍ୟମ, ବିଦ୍ୟୁତ ଓ ଜଳଯୋଗାଣ, ଶିଳ୍ପାନୁଷ୍ଠାନ, ନିର୍ମାଣ କାର୍ଯ୍ୟ, କୃଷି କାର୍ଯ୍ୟ, ଜାତୀୟ ରାଜପଥରେ ଦୂରଗାମୀ ଗାଡ଼ି ଚଳାଚଳ) ବ୍ୟତୀତ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଜାତୀୟ ରାଜପଥରେ ଦୂରଗାମୀ ଗାଡ଼ି ଚଳାଚଳ, ପ୍ରଶାସନ ଅନୁମତିରେ ବିବାହ ଓ ଅେନ୍ତ୍ୟଷ୍ଟିକ୍ରିୟା ତଥା ଏଟିଏମ ସେବାକୁ ମଧ୍ୟ ସଟ୍ଡାଉନ କଟକଣାମୁକ୍ତ ରଖାଯାଇଛି। ତେବେ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ସଟ୍ଡାଉନ ସମୟରେ ପନପରିବା ରାସନ ଆଦି ଆବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ସଟ୍ଡାଉନ କଟକଣା ଉଲ୍ଲଂଘନ କଲେ ପାନଡେମିକ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜିଲାପାଳ ଶ୍ରୀ ସାକ୍ସେନା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲାବାସୀଙ୍କୁ ଏହି ଦୁଇ ପର୍ଯ୍ୟାୟ ସଟ୍ଡାଉନର ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି। ଏହି ସଟ୍ଡାଉନ ଅବଧିରେ ସଂକ୍ରମିତ ଅଞ୍ଚଳ ଗୁଡ଼ିକ ଉପରେ ନଜର ରଖାଯିବା ସହ କଣ୍ଟାକ୍ଟ ଟ୍ରେସିଂ, ସ୍ବାବ ସଂଗ୍ରହ କାର୍ଯ୍ୟକୁ ତ୍ବାରନ୍ବିତ କରାଯିବ ବୋଲି ଜିଲାପାଳ କହିଛନ୍ତି।