ସାଲେପୁର ବିଧାୟକ କରୋନାରେ ଆକ୍ରାନ୍ତ
କଟକ, (ଓଡିଶା ଟାଇମ୍) : କଟକ ଜିଲ୍ଲାର ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପିଏସଓ ଡ୍ରାଇଭର୍ ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବିଧାୟକ ଶ୍ରୀ ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚିନ୍ତା ବଢ଼ିଯାଇଛି । ବିଧାୟକଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି, ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ବିଧାୟକଙ୍କ ସମେତ ଅନ୍ୟ ୨ ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସେହିପରି କିଛି ଦିନ ତଳେ ନୀଳଗିରି ବିଧାୟକ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲା । ଯାହାପରେ ତାଙ୍କୁ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ କ୍ୱାରେଣ୍ଟାଇନ୍ରେ ରହିଛନ୍ତି ।
ଅନ୍ୟପଟେ, ରାଜ୍ୟରେ ଆଜି ଆଉ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୫୨୭ଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।