ପଦରୁ ହଟିବା ପରେ କି ପ୍ରତିକ୍ରିୟା ଦେଲେ ସଚିନ ପାଇଲଟ, ପଢନ୍ତୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସ ମଙ୍ଗଳବାର ଦିନ ସଚିନ ପାଇଲଟଙ୍କୁ ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରିଛି।ଏଥିସହିତ ତାଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ମଧ୍ୟ ବାହାର କରି ଦିଆଯାଇଛି ।

ସୂଚନାନୁଯାୟୀ, ସଚିନ ପାଇଲଟଙ୍କ ସ୍ଥାନରେ ପାର୍ଟି ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରାଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛି । ସେହିପରି ଜୟପୁରରେ ପାର୍ଟି ହେଡ୍ କ୍ୱାଟରରୁ ପାଇଲଟଙ୍କର ପୋଷ୍ଟର ମଧ୍ୟ କାଢି ଦିଆଯାଇଛି ଏବଂ ତାଙ୍କ ସ୍ଥାନରେଗୋବିନ୍ଦ ସିଂହ ଡୋଟାସରାଙ୍କ ପୋଷ୍ଟର ଲଗାଯାଇଥିବା ନଜର ଆସିଛି ।

ଏହା ପରେ ପରେ ସଚିନ ଟ୍ୱିଟର ଆକାଉଣ୍ଟରୁ ତାଙ୍କର ବାୟୋ ବି ଚେଞ୍ଜ କରି ଦେଇଛନ୍ତି । “ଟୋଙ୍କରୁ ବିଧାୟକ । ଭାରତ ସରକାରରେ ପୂର୍ବତନ ଆଇଟି, ଟେଲିକମ୍ ଓ କର୍ପୋରେଟ୍ ମନ୍ତ୍ରୀ” ବୋଲି ଉଲ୍ଲେଖ କରିଛନ୍ତି ।

ଯେତେବେଳେ କି ଏହା ପୂର୍ବରୁ ତାଙ୍କ ଟ୍ୱିଟରେ ବାୟୋ “ଡେପୁଟି ଚିଫ୍ ମିନିଷ୍ଟର ଅଫ୍ ରାଜସ୍ଥାନ । ପ୍ରେସିଡେଣ୍ଟ-ରାଜସ୍ଥାନ କଂଗ୍ରେସ । ପୂର୍ବତନ ଆଇଟି, ଟେଲିକମ୍ ଓ କର୍ପୋରେଟ୍ ମନ୍ତ୍ରୀ” ବୋଲି ଉଲ୍ଲେଖ ରହିଥିଲା ।

ଏହାଛଡା ସଚିନ ପାଇଲଟ୍ ଟ୍ୱିଟ କରି କହିଛନ୍ତି ଯେ ସତ୍ୟକୁ ହଇରାଣ କରାଯାଇପାରେ ହେଲେ ପରାଜିତ ନୁହେଁ ।

ରାଜସ୍ଥାନ ସଙ୍କଟ ଉପରେ ପାଇଲଟ ଏବଂ ତାଙ୍କ ସାଥୀ ନେତାଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପାଇଲଟଙ୍କୁ ରାଜସ୍ଥାନ ଉପ-ମୁଖ୍ୟମନ୍ତ୍ରୀ ପଦ ଏବଂ ରାଜସ୍ଥାନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ବରଖାସ୍ତ କରାଯାଇଥିବା ବେଳେ ତାଙ୍କର ଦୁଇ ସହଯୋଗୀ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂହ ଓ ରମେଶ ମଣିଙ୍କୁ ମଧ୍ୟ ସେମାନଙ୍କର ପଦବୀରୁ ହଟାଇ ଦିଆଯାଇଛି ।

ଏଭଳି ନିଷ୍ପତ୍ତି କଂଗ୍ରେସର ବିଧାୟକ ଦଳ ବୈଠକରେ ଗ୍ରହଣ କରାଯାଇଥିବା ନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, କ୍ରମାଗତ ଭାବେ ଦ୍ୱିତୀୟ ଦିନ ଲାଗି କଂଗ୍ରେସ ଦଳ ପକ୍ଷରୁ ବିଧାୟକ ଦଳ ବୈଠକ ଡକାଯାଇଥିଲା । ଯେଉଁ ବୈଠକରେ ସଚିନ ପାଇଲଟ ଓ ତାଙ୍କର ବିଧାୟକ ମାନେ ସାମିଲ ହୋଇନଥିଲେ ।

Leave a Reply

Your email address will not be published. Required fields are marked *