ଘରୁ କାମ କରିବା କେତେ ସହଜ?
କରୋନା ସମୟରେ ଗୋଟିଏ ଶବ୍ଦର ବେଶ୍ ଅଧିକ ପ୍ରଚଳନ ଦେଖିବାକୁ ମିଳୁଛି ତାହାହେଲା ୱାର୍କ ଫ୍ରମ ହୋମ ବା ଘରୁ କାମ କରିବା। ବଡ ସହରର ଛୋଟ ଚାକିରିଆ ହେଉ ବା ଛୋଟ ସହରର ବଡ ଚାକିରିଆ ସମସ୍ତେ ଏହି ୱାର୍କ ଫ୍ରମ ହୋମକଥା କହୁଛନ୍ତି । କରୋନା ସଂକ୍ରମଣର ପ୍ରସାର ରୋକିବାକୁ କମ୍ପାନୀ ଲୋକଙ୍କୁ ଅଫିସ୍ ଆସିବାକୁ ମନା କରୁଛି ସତ ହେଲେ ଲୋକଙ୍କୁ ଘରୁ କାମ କରିବାକୁ କହୁଛି । ଅନେକ ଜାଗାରେ ଅନେକ ବେସରକାରୀ ଅନୁଷ୍ଠାନ ଛଟେଇ କରୁଥିବା ବେଳେ ଆହୁରି ଅନେକ ଜାଗାରେ କର୍ମଚାରୀମାନଙ୍କୁ ସେମାନଙ୍କର ଦରମାର ଅଧା ଅଂଶ ହରାଇବାକୁ ପଡିଛି । ଏସବୁ ଭିତରେ ବି କରୋନା କାଳରେ ୱାର୍କ ଫ୍ରମ ହୋମ ଅନେକଙ୍କ ପାଇଁ ଏକ ନୂଆ ମହୌଷଧି ହୋଇ ବାହାରିଛି । ସମସ୍ତେ ଉଣା ଅଧିକେ ଏହାର ଚର୍ଚ୍ଚାରେ ମସଗୁଲ୍ ।
ଭାରତରେ ଏହି ଘରୁ କାମ କରିବା ସଂସ୍କୃତି ସହିତ ଯଦିଓ ଆଗରୁ ଆଇଟି ବା କମ୍ପ୍ୟୁଟର ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଏହା ସହ ବେଶ୍ ପରିଚିତ ଥିଲେ ତେବେ ସାଧାରଣ ଲୋକଙ୍କ ମଧ୍ୟରେ ଏହା ବିଶେଷ ପ୍ରଚଳିତ ନଥିଲା । ଭାରତରେ ପାଖାପାଖି ନବେ ପ୍ରତିଶତ ଲୋକ ଅଣସଂଗଠିତ କ୍ଷେତ୍ରରେ କାମ କରନ୍ତି ଏବଂ ଏମାନଙ୍କ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାଥିବା ଅଫିସ୍ ବ୍ୟବସ୍ଥା ସ୍ୱପ୍ନ । ଏମାନେ ବିଭିନ୍ନ ଜାଗାରେ କାମ କରନ୍ତି । ଆଉ ଯେଉଁମାନେ ଉଭୟ ସରକାରୀ ଆଉ ବେସରକାରୀ ଅଫିସ୍ ଆଦି ସଂଗଠିତ ଅଫିସ୍ ରେ କାମ କରନ୍ତି ସେମାନଙ୍କ ପାଇଁ ଅଫିସ୍ ଗୋଟିଏ ୯ରୁ ୬ ଟା ଯାଏ କର୍ମ କରିବା ପାଇଁ ଏକ ପ୍ରକୃଷ୍ଟ କର୍ମକ୍ଷେତ୍ର । ଝଡ ହେଉ ବା ବର୍ଷା, ଖରା ହେଉ ଅବା ଶୀତ ସକାଳୁ ଉଠି ନିତ୍ୟକର୍ମ ସାରି, ନିଜେ ଖାଇଦେଇ ଟିଫିନ୍ ଧରି ଅଫିସ୍ କୁ ବାହାରିଯିବା ଏମାନଙ୍କର ଏକ ଦୈନନ୍ଦିନ କାର୍ଯ୍ୟ । ଏମାନଙ୍କ ପାଇଁ ଅଫିସ୍ କହିଲେ ଆଠ ଦଶଟା କମ୍ପ୍ୟୁଟରର ଉପରେ କାମ କରୁଥିବା ଲୋକ, ଦିନକୁ ଥରେ ଦୁଇଥର ଚା ବ୍ରେକ୍ , ଥାକ ଥାକ ଫାଇଲ୍, ଅଫିସ୍ରେ ଲମ୍ବା ଲମ୍ବା ବୈଠକ ପୁଣି ସହକର୍ମୀଙ୍କ ସହ ଥଟ୍ଟା ତମସା । ମିଶିକି ଖାଇବା ଏବଂ ବସିକି ଗପିବା ଭିତରେ ଅଫିସ୍ ର କ୍ଳାନ୍ତି କେଉଁଠି ମେଂଟି ଯାଏ ତାହା ଜଣା ପଡେନା ସତ କିନ୍ତୁ ସକାଳର ତାଜାପଣ ସଂଧ୍ୟାରେ ଆଉ ଦେହରେ ନଥାଏ । ସଂଧ୍ୟାବେଳେ ଅଫିସ୍ ଫେରିଲାବେଳକୁ ମୁଁହ ମାନ୍ଦା ପଡିଥାଏ ଆଉ କାନ୍ଧ ଓହଳି ପଡିଥାଏ । ବସ୍ ଠାରୁ କେତେ ଗାଳି ଖାଇଲା ଆଉ କିଏ ବସ୍ ଙ୍କର କେତେ ପ୍ରିୟପାତ୍ର ହେଲା ତାହା ହିସାବ କରୁ କରୁ ଦିନଟି ସରି ଯାଇଥାଏ ।
ତେବେ ଅଫିସ୍ ର ଏ ଚିରା ଚରିତ ବ୍ୟବସ୍ଥାରେ ପରିବ ର୍ନ ଆଣିବାକୁ ଯାଉଛି ଏହି ୱାର୍କ ଫ୍ରମ ହୋମ ବା ଘରୁ କାମ କରିବା ସଂସୃତି । ଏଠି ଯଦିଓ ଦିନ ୯ଟା ବେଳୁ ଅଫିସ୍ ପାଇଁ ବାହାରିବାର ନାହିଁ ତେବେ ଏଥିରେ ଅଫିସ ଆରମ୍ଭ କିମ୍ବା ଶେଷ ହେବାର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟ ନାହିଁ । ମଣିଷ ଦିନ ନ ଟାରୁ ବସୁଛି ଯେ ଅଫିସ ସରିବାର ସମୟସୀମା ଠିକ୍ ଠିକଣା ନାହିଁ । ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଅନେକ ଲୋକ ଏହି ୱାର୍କ ଫ୍ରମ ହୋମ ବା ଘରୁ କାମ କରିବାପାଇଁଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। କାରଣ ଘରୁ କାମ କରିବା ପାଇଁ ଆବଶ୍ୟକ ହେଉଥିବା ଅନେକ ଉପକରଣ ଯଥା ଅଲଗା ଘର, ନିଜସ୍ୱ କମ୍ପ୍ୟୁଟର କିମ୍ବା ଲାପଟପ ବ୍ୟବସ୍ଥା ସହ ଇଂଟର ନେଟ୍ ବ୍ୟବସ୍ଥା ଏବଂ ଅଫିସ୍ ପାଇଁ ଆବଶ୍ୟକ ହେଉଥିବା ପରିବେଶ ଠିକ୍ କରିବା କାଠିକର ପାଠ ହୋଇ ପଡୁଛି । ପିଲାଙ୍କ କୋଳାହଳ, ପଡୋଶୀ ଆଦିଙ୍କ ଗପସପ ଭିତରେ ଅଫିସ ପାଇଁ ୭-୮ ଘଂଟାର ଗୁରୁତ୍ୱପୂର୍ଣ୍ଣ ଆଉ ଗୁଣାତ୍ମକ ସମୟ କାଢିବା କଷ୍ଟକର ହୋଇ ପଡୁଛି । ଯାହା ଫଳରେ ଅଫିସ୍ କାମ ଠିକ୍ରେ ସରି ପାରୁନାହିଁ ବରଂ ଏହା ସଂଧ୍ୟା ଏପରିକି ବିଳମ୍ବିତ ରାତିଯାଏ ଟାଣି ହୋଇ ଯାଉଛି ।
ଘରୁ ଅଫିସ କରିବା ବାହାରକୁ ବେଶ୍ ସୁନ୍ଦର ଦେଖାଯାଉଥିଲେ ବି ପ୍ରକୃତରେ ଏହା ସେତେ ସହଜ ନୁହେଁ । ବରଂ ଏହା ଲୋକଙ୍କ ଉପରେ ଅତିରିକ୍ତ କାମ ଚାପ ସୃଷ୍ଟି କରୁଛି । ଲୋକ ନିଜର କାମକୁ ଅନ୍ୟଦ୍ୱାରା କରାଇ ପାରୁନାହିଁ । ନିଜର ସୁଖ ଦୁଃଖ ଅନ୍ୟ ସହ ବାଂଟିବା ପାଇଁ ଚେଷ୍ଟା କରିବାକୁ ସକ୍ଷମ ହେଉନାହିଁ । ଲେଖିବା ଠାରୁ ଛାପିବା ପର୍ଯ୍ୟନ୍ତ ସବୁ କାମ ନିଜେ କରି କରି ମଣିଷ ଥକି ଯାଉଛି ସିନା ହେଲେ ତାର କାମ ସରୁ ନାହିଁ । ପୁଣି ଘରୁ କାମ କରିବା ସମୟରେ ମଣିଷ ବିନା କାରଣରେ ନିଜ ଛୁଆ ପିଲା ପତ୍ନୀ ଏବଂ ପରିବାର ଉପରେ ବିରକ୍ତ ହେଉଛି । ଘରୁ କାମ କରିବା ଦ୍ୱାରା ମଣିଷର କାର୍ଯ୍ୟ ଦକ୍ଷତା କମିବା ସଂଗେ ସଂଗେ ଏହା ତା ଉପରେ ଅତିରିକ୍ତ ମାନସିକ ଚାପ ସୃଷ୍ଟି କରୁଛି ।
ମହିଳାଙ୍କ ପାଇଁ ତ ଏହା ଅଧିକରୁ ଅଧିକ ସମସ୍ୟା ଡାକି ଆଣୁଛି । କାମ କରିବାକୁ ମେଡ୍ ବା କାମବାଲୀ ବାଈ ଆସୁନଥିବା ବେଳେ ଏକା ସମୟରେ ମହିଳା ଜଣଙ୍କୁ ଘର କାମ ଏବଂ ଅଫିସ୍ କାମ କରିବାକୁ ପଡୁଛି । ଏହା ବାଦ୍ ପିଲାଙ୍କ ଦେଖା ରଖା, ସେମାନଙ୍କ ଯତ୍ନ ନେବା, ରୋଷେଇ କରିବା ଆଦି କାମ ସହ ଅଫିସ୍ କାମ ଏକାଠି କରିବାକୁ ପଡୁଛି । ଏହାଯୋଗୁଁ ସେ ବ୍ୟତିବ୍ୟସ୍ତ ହୋଇ ପଡୁଛି । କରୋନା ଯୋଗୁଁ ଦୀର୍ଘକାଳ ଘରେ ବନ୍ଦୀ ହୋଇ ରହିବା ସହ କାମ କରିବାର ସ୍ପୃହା କମି କମି ଯାଉଥିବା ବେଳେ ଏପରି ସ୍ଥିତି ଏହାକୁ ଅଧିକ ଖରାପ ଆଡକୁ ନେଇ ଯାଉଛି ।
ଏବେ ଯାହା ଜଣା ପଡୁଛି ଯେ କରୋନ କାଳ ପରେ ବି ଘରୁ କାମ କରିବା ବା ୱାର୍କ ଫ୍ରମ ହୋମ ସଂସ୍କୃତି ଭାରତ ବର୍ଷରେ ନିଜର ଆସ୍ଥାନ ଜମାଇ ରହିବ । ଏହା କମ୍ପାନୀମାନଙ୍କ ପାଇଁ ବେଶ୍ ଲାଭ ଦାୟକ ହୋଇଥିଲେ ବି କର୍ମଚାରୀମାନଙ୍କ ପାଇଁ ବିଶେଷ ଲାଭଦାୟକ ନୁହେଁ । ତେବେ କମ୍ପାନୀମାନେ ଘରଭଡା , ବିଜୁଳୀ ଦେୟ , ପିଅନ, ଡ୍ରାଇଭର ଆଦି ରଖିବା ଖର୍ଚ୍ଚକୁ କାଟ କରିବା ପାଇଁ କର୍ମଚାରୀମାନଙ୍କୁ ଦୀର୍ଘକାଳିନ ଭିତ୍ତିରେ କାମ କରିବାକୁ କହିବା ନିଶ୍ଚିତ ବୋଲି ଲାଗୁଛି । ଏପରି ସ୍ଥିତି ସହ ଭାରତୀୟମାନଙ୍କୁ ତୁରନ୍ତ ଆଡଜଷ୍ଟ କରିବାକୁ ପଡିବ । ତେବେ ଯାହା ବି ହେଉ ପାରମ୍ପରିକ ଅଫିସ୍ ବ୍ୟବସ୍ଥା ନିଜର ପ୍ରଭୁସ ।କୁ ପ୍ରମାଣିତ କରି ସାରିଛି ଏବଂ ଭାରତୀୟ ସଂସ୍କୃତିରୁ ଏହା ତୁରନ୍ତ ହଟିଲାପରି ଲାଗୁ ନାହିଁ ।
ଲେଖକ ରୁଦ୍ର ପ୍ରସନ୍ନ ରଥ ଜଣେ ମୁକ୍ତବୃତ୍ତ ସ୍ତମ୍ଭକାର। ତାଙ୍କୁ ଯୋଗାଯୋଗ କରିବା ଠିକଣା: ଧବଳଗିରି, ଯାଜପୁର ରୋଡ, ମୋବାଇଲ ଫୋନ୍ ନମ୍ବର: ୭୯୭୮୬୭୧୭୭୬