ଥନ୍ତଲ ପେଟିଆ ପୁଲିସ୍‌

ରୁଦ୍ର ପ୍ରସନ୍ନ ରଥ

ଚାକିରି କରିବ ପୁଲିସ ମାଛ ଖାଇବ ଇଲିସ୍ ବୋଲି ଗୋଟିଏ ଢଗ ଆମ ଓଡିଆରେ ବେଶ୍ ପ୍ରଚଳିତ । ଏହାବାଦ୍‌ ପୁଲିସ ଚାକିରି ଆମ ମାନଙ୍କ ଭିତରୁ ଅନେକଙ୍କ ପାଇଁ ଗୋଟିଏ ସମ୍ମାନସ୍ପଦ ଚାକିରିଭାବେ ପରିଗଣିତ ମଧ୍ୟ ହୋଇଥାଏ । ଆଇନ ଶୃଙ୍ଖଳା ରକ୍ଷା କରିବା ସହ କୌଣସି ଦୋଷୀକୁ ଧରି ନ୍ୟାୟ ଦେବାରେ ପୁଲିସ ଭୁମିକା କଣ ତାହା ଆମେ ସମସ୍ତେ ଜାଣିଛେ। ପୁଲିସ ପାଇଁ ହିଁ ଆମ ଧନଜୀବନ ସୁରକ୍ଷିତ ରହେ, ଆମେ ରାତିରେ ଆରାମରେ ଶୋଇପାରୁ, ର୍ନିବିଘ୍ନରେ ଚଲାବୁଲା କରିପାରୁ! ସାମଗ୍ରିକ ଭାବେ ପୁଲିସ ଆମ ଭାରତୀୟ ବିଧି ବ୍ୟବସ୍ଥାର ଏକ ବଳିଷ୍ଠ ଅଙ୍ଗଭାବେ ଗଣା ହୁଏ ଯାହା ଉପରେ ଆଇନ୍ ଶୃଙ୍ଖଳା ରକ୍ଷାର ଗୁରୁଦାୟିତ୍ୱ ନ୍ୟସ୍ତ ହୋଇଛି । ଏଥିପାଇଁ ସ୍ମାର୍ଟ ଏବଂ ବୁଦ୍ଧିମାନ ପୁଲିସ ଆବଶ୍ୟକ । ତେବେ ଅନେକ ସମୟରେ ଦେଖାଯାଏ ଯେ ପୁଲିସର ପେଟ ପୁଲିସର ସ୍ମାର୍ଟନେସ୍ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଏ । ଏଣୁ ପୁଲିସ କହିଲେ ଆମ ଆଖି ଆଗରେ ସ୍ମାର୍ଟ ପୁଲିସ ଅପେକ୍ଷା ଥନ୍ତଲପେଟିଆ ପୁଲିସର ଚେହେରା ବେଶୀ ଭାସି ଉଠେ । ପୁଲିସର ପେଟ ଆମ ସମସ୍ତଙ୍କ ପାଇଁ ସବୁବେଳେ ହସର ଖୋରାକ୍ ଯୋଗାଇଥାଏ ।

ଏବେ ଏହି ପୁଲିସନିଜ ପେଟ ପାଇଁ ପୁଣିଥରେ ଚର୍ଚ୍ଚାକୁ ଆସିଛି । କମିଶନରେଟ୍ ପୁଲିସର ସର୍ବୋଚ୍ଚ ବାବୁ ପୁଲିସକମିଶନର କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ ଅଧିନରେ କାମ କରୁଥିବା ସମସ୍ତ ପୁଲିସ କର୍ମୀମାନଙ୍କୁ ତାଗିଦା କରିଛନ୍ତି । ପୁଲିସମାନେ ଯଦି ଆଗାମୀ ତିନିମାସ ମଧ୍ୟରେ ନିଜର ବିଏମଆଇକୁ ୩୦ରୁ ତଳକୁ ନ ଆଣିବେ ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ସେମାନଙ୍କର ଇନକ୍ରିମେଣ୍ଟ ବନ୍ଦ ହେବା କିମ୍ବା ଧାର୍ଯ୍ୟ ସମୟ ପୂର୍ବରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦିଆଯାଇପାରେ । ଆଗାମୀ ନଭେମ୍ବରରେ ସେମାନଙ୍କର ବିଏମଆଇ ପରୀକ୍ଷଣ ହେବ ଏବଂ ଯେଉଁମାନଙ୍କର ୩୦ରୁ କମ୍ ବିଏମଆଇ ତଥାପି ହୋଇନଥିବ ସେମାନଙ୍କୁ ୬ ମାସିଆ ରିଫ୍ରେସର କୋର୍ସ କିମ୍ବା ଦୈନିକ ସକାଳେ ବାଧ୍ୟତାମୂଳକ ବ୍ୟାୟାମ କରିବାକୁ ପଡିବ । ପୁଲିସ କମିଶନରଙ୍କ ମତରେ ନୂଆ ନୂଆ ପୁଲିସ ଚାକିରୀରେ ଯୋଗ ଦେବା ବେଳକୁ ଲୋକଙ୍କର ଯେଉଁ ଆଗ୍ରହ ଥାଏ ତାହା ଆଗକୁ ରହେନାହିଁ । ଯାହା ଫଳରେ ଲୋକ ଚାହିଁଲେ ବି ନିଜର ଫିଟନେସ୍ ସ୍ତରକୁ ବଜାୟ ରଖିପାରେ ନାହିଁ ।  ଯାହା ଫଳରେ ଆଗାମୀ ଦିନରେ ସେମାନେ ଅନେକ ଜୀବନନାଶକାରୀ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ ଆଦିର ଶିକାର ହୋଇ ପଡନ୍ତି । ଏହା ସେମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ପ୍ରଭାବ ପକାଏ ।

କେବଳ ଓଡିଶା ପୁଲିସ ନୁହେଁ, ସମଗ୍ର ଦେଶର ପୁଲିସ ବାହିନୀର ଅନ୍ୟତମ ପରିଚୟ ହେଉଛି ତାହାର ଥନ୍ତଲପେଟ ପୁଲିସ।  ନିଜର ପେଟକୁ ନେଇ ପୁଲିସଜଣଙ୍କ ସାଧାରଣରେ ବେଶ୍ ସମାଲୋଚିତ ହୁଏ । ଅଧିକାଂଶ ଭାରତୀୟ ପୁଲିସର ପେଟ ବଡ ଆଉ ଗୋଡ଼ ସରୁ । ଏହାର ମୁଖ୍ୟ କାରଣ ହେଉଛିଯେ ଜଣେ ଥରେ ପୁଲିସ୍‌ରେ ଯୋଗ ଦେଲା ପରେ ତାର ଖାଇବା ପିଇବା କିମ୍ବା କସରତ କରିବାରେ ଆଦୌ ଠିକଣା ନଥାଏ । ଅନିୟମିତ ବିଶ୍ରାମ ଆଉ ଅସନ୍ତୁଳିତ ଆହାର ଯୋଗୁଁ ତାର ସ୍ୱାସ୍ଥ୍ୟହାନୀ ଘଟିଚାଲେ । ଶରୀରର ମଧ୍ୟବର୍ତ୍ତୀ ସ୍ଥାନରେ ଚର୍ବି ଜମାହୋଇ ପେଟ ଟି ଟାୟର ପରି ବଢି ବଢି ଚାଲେ । ପୁଣି ୨୪ ଘଂଟିଆ ଡ୍ୟୁଟି ଭିତରେ ତାକୁ ଆଦୌ ବିଶ୍ରାମ ମିଳୁନଥିବାରୁ ସେ ନିଜ ସ୍ୱାସ୍ଥ୍ୟ କଥା ସଂପୂର୍ଣ୍ଣ ଭୁଲି ଯାଇଥାଏ । ଏଇଥିପାଇଁ କର୍ଣ୍ଣାଟକରେ ବର୍ଷକୁ ୧୦୦ ରୁ ୧୫୦ ପୁଲିସ ଉଚ୍ଚ ରକ୍ତଚାପ, ମଧୁମେହ ଜନିତ ଦୁର୍ବଳ ସ୍ୱାସ୍ଥ୍ୟର ଶୀକାର ହୋଇ ମୃତ୍ୟୁବରଣ କରନ୍ତି । ମାତ୍ର ପୁଲିସ କର୍ମୀମାନଙ୍କ ମଧ୍ୟରେ ଏ ନେଇ ସଚେତନତାର ମାତ୍ରା ଏତେ କମ୍ ଯେ ସେମାନେ ବଡ଼ ପେଟକୁ ସମୃଦ୍ଧିର ପ୍ରତୀକ ବୋଲି ବିବେଚନା କରନ୍ତି । ଆହୁରି ଅନେକ ତ ଏହାକୁ ଏକ ସମସ୍ୟାବୋଲି ମାନିବାକୁ ନାରାଜ ।

ଭାରତୀୟ ପୁଲିସର ବଢି ଚାଲିଥିବା ପେଟକୁ କମାଇବାକୁ ନେଇ ଅନେକ ରାଜ୍ୟ ଏବଂକେନ୍ଦ୍ର ସରକାର ଅନେକ ପ୍ରକାର ଚିନ୍ତା କରି ଚାଲିଛନ୍ତି । କେତେବେଳେ ସେମାନଙ୍କୁ ପ୍ରମୋଶନ ରୋକିଦେବାର ଭୟ ଦେଖାଯାଇଛି ତ ଆଉ କେତେବେଳେ ପୁଲିସମେଡାଲ ନ ଦେବାର । ମାତ୍ର ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିନାହିଁ । ଉଚ୍ଚ ପାହ୍ୟାରେ ଥିବା ପୁଲିସ ଅଫିସରମାନଙ୍କ ପାଇଁ ଜିମ୍ ଯିବା କିମ୍ବା ପ୍ରାତଃ ଭ୍ରମଣ କରିବାର ସୁଯୋଗ ଥିଲାବେଳେ ତଳ ପାହ୍ୟାର ଅଫିସରଙ୍କପାଇଁ ଏ ସବୁଲାଗି ସମୟ କାଢ଼ିବା ପ୍ରାୟତଃ ଅସମ୍ଭବ ହୋଇପଡ଼େ । ପୁଲିସବାହିନୀର ୯୦ ଭାଗ କର୍ମଚାରୀ ତଳ ସ୍ତରର ହୋଇଥିବା ଯୋଗୁଁ ଏମାନଙ୍କର ସ୍ଥାନକାଳ ପାତ୍ର ବିଶେଷରେ ସ୍ୱାସ୍ଥ୍ୟରେ ବିଶେଷ ପରିବର୍ତ୍ତନ ଆସେ ନାହିଁ ବରଂ ପରିସ୍ଥିତି ଯାହା ଥିଲା ତାହା ରହେ । ସମୟ ବଢିବା ସହ ତାଳ ଦେଇ ଗୋଡ଼ ସରୁ ଆଉ ପେଟ ବଡ ହୋଇ ଯାଏ । ଏହି କ୍ରମରେ ଦେଖିବାକୁ ଗଲେ କଟକ-ଭୁବନେଶ୍ୱର ପୁଲିସକମିଶନରଙ୍କର ଉଦ୍ୟମ ଆଦୌ ନୁଆ ନୁହେଁ  ବା ଏହି ଉଦ୍ୟମରୁ ଯେ ସେମିତି ବଡ ଫାଇଦା ପୁଲିସମାନଙ୍କୁ ମିଳିବ ବା ପୁଲିସମାନଙ୍କର ପେଟ୍ ସହଜରେ ଭିତରେ ପଶିଯିବ ତାହା ଆଶା କରିବା ଏକ ଅତିଶୟକ୍ତି ବୋଲି ଆମେ ମନେ କରିବା ସ୍ୱଭାବିକ୍ । ନଭେମ୍ବରରେ ଏପରି ବିଏମଆଈର ଫଳାଫଳ ଯେ ସରକାର ଗଣମାଧ୍ୟମକୁ ଦେବେ ତାହା ବି ଦେଖିବାର କଥା ।

ଭାରତୀୟ ପୁଲିସଉପରେ ବୋଝ ପ୍ରବଳ । ପ୍ରାୟ ସବୁ ସମୟରେ ସବୁ କାମରେ ତାକୁ ଦାୟିତ୍ୱ ଦିଆଯାଏ । ର୍ନିବାଚନଠାରୁ ଆରମ୍ଭ କରି ଖେଳ ଆୟୋଜନ ଯାଏ ତାକୁ ସବୁ ବେଳେ ବ୍ୟସ୍ତ ରଖାଯାଏ । ଏପରି ବ୍ୟସ୍ତତା ଭିତରେ ସେ ପରିବାର ପାଇଁ ସମୟ ମଧ୍ୟ ଦେଇପାରେ ନାହିଁ । ଦିନ ରାତି କାମ କରିବା ଭିତରେ ଖାଇବା ପିଇବା ର ଠିକଣା ନଥାଏ । ରାତିରେ ପେଟ୍ରୋଲିଂରେ ଥିଲା ବେଳେ ସେ ଯାହା ନାହିଁ ତାହା ଖାଇବାକୁ ବାଧ୍ୟ ହୋଇଥାଏ । ରାତିରେ ଢାବା ମାନଙ୍କରେ ନିହାତି ଅସ୍ୱାସ୍ଥ୍ୟକର ପରିସ୍ଥିତିରେ ପୁଲିସମାନେ ଖାଦ୍ୟ ଗ୍ରହଣ କରିଥାନ୍ତି । ଅତ୍ୟଧିକ ତେଲ ମସଲା ଯୁକ୍ତ ଖାଦ୍ୟରେ ପୁଷ୍ଟିସାରର ପରିମାଣ ନିହାତି କମ ଥାଏ । ଏହା ବାଦ ଅନେକ ପୁଲିସକର୍ମଚାରୀଙ୍କର ମଦ୍ୟପାନ ପରି ର୍ଦୁଗୁଣ ମଧ୍ୟ ଅଛି ଏହି ସବୁ କାରଣ ମଧ୍ୟ ପୁଲିସର ଅସ୍ୱଭାବିକ ଭାବେ ପେଟ ବଢିବା ପାଇଁ ଦାୟୀ ।  ଧିରେ ଧିରେ ପୁଲିସଲୋକ ମୁଖରେ ଥନ୍ତଲପେଟିଆ ପୁଲିସନାମରେ ପରିଗଣିତ ହେଉଛି । ସାମାଜିକ ଗଣମାଧ୍ୟମରେ ଏଥିନେଇ ତାକୁ ଅନେକ ସମୟରେ ଥଟ୍ଟା ପରିହାସର ଶୀକାର ହେବାକୁ ପଡୁଛି । ଦେଖାଯାଉଛି ଯେ  ୨୦ ବର୍ଷରୁ ୪୫ ବର୍ଷ ମଧ୍ୟରେ ଯଦି ପେଟ ବାହାରି ପଡୁଛି ତେବେ ତାହା ତା ପାଇଁ ବିପଦର କାରଣ ସାଜିବା ସହ ତାର ଦକ୍ଷତାକୁ ପ୍ରଭାବିତ କରିପାରୁଛି । ପରେ ଯେତେ ଚେଷ୍ଟା କଲେ ବି ଏହା କମିବାର ଦେଖାଯାଉ ନାହିଁ । ପୁଲିସର ସ୍ୱସ୍ଥ୍ୟ ଏକ ବ୍ୟାପକ ଚର୍ଚ୍ଚାର ବିଷୟ ବସ୍ତୁ ହୋଇଥିଲେ ବି ଏହା ଉପରେ ଚର୍ଚ୍ଚା କରିବାକୁ କେହି ନାହିଁ । ଏକ ସାମଗ୍ରିକ ବ୍ୟବସ୍ଥା ଗ୍ରହଣ  କରି କିପରି ଏହାକୁ ରୋକାଯାଇ ପାରିବ ତାହା ଦେଖିବାକୁ କେହିନାହିଁ । ପୁଲିସର ସ୍ୱସ୍ଥ୍ୟ ଉପରେ ଚର୍ଚ୍ଚା କେବଳ ତାହାର ପେଟକୁ ନେଇ ସୀମିତ । ଯଦିଓ ଆମ ପୁଲିସଶାରୀରିକ ଏବଂ ମାନସିକ ସ୍ଥରରେ ଏହାଠାରୁ ଢେର ଅଧିକ ଅସୁସ୍ଥ ।

ଯେତେବେଳେ ଯାଏ ପୁଲିସକୁ ୨୪ ଘଂଟିଆ କାମ ଚାପରୁ ମୁକ୍ତ କରାନଯାଇଛି ସେବେଯାଏ ଏ ପରିସ୍ଥିତିରେ ବିଶେଷ ଉନ୍ନତି ଆସିବା ଅସମ୍ଭବ । ଅନ୍ୟମାନଙ୍କ ପରି ପୁଲିସକୁ ନିର୍ଦ୍ଦିଷ୍ଟ କାର୍ଯ୍ୟ ନିର୍ଘଂଟ, ବିଶ୍ରାମ ଏବଂ କର୍ମ ଓ ଜୀବନ ମଧ୍ୟରେ ସନ୍ତୁଳନ ବଜାୟରଖିବା ର ସୁଯୋଗ ଦେବା ଆବଶ୍ୟକ । ସେହି ପରି ଅଧିକ ସଂଖ୍ୟକ ପୁଲିସର ନିଯୁକ୍ତି, ନିୟମିତ ବ୍ୟାୟମ କରିବା ପାଇଁ ସୁଯୋଗ ଦେବା ସହ ଥାନା ମାନଙ୍କରେ ଜିମ୍ ଖୋଲିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ।  ଅଫିସରରୁ ଘରୁ ସାଇକେଲ ରେ ଯିବା ଆସିବା କରିବା ସହ ସେମାନଙ୍କ ପାଇଁ ଅଳ୍ପ ମୂଲ୍ୟରେ ସୁଷମ ଗରମ ଖାଦ୍ୟ ଦିଆଯିବା ଆବଶ୍ୟକ । ଏସବୁ ନକରି କେବଳ କିଛି ସମୟ ମଧ୍ୟରେ ତୁରନ୍ତ ପେଟ କମାଇବାକୁ କହିବା ହୁଏତ ବିଶେଷ ଫଳାଫଳ ଆଣି ନପାରେ । ଯଦି ବି ଏ ନେଇ କେହି କିଛି ଚେଷ୍ଟାକରନ୍ତି ତାହାର ଫଳାଫଳ ଦୀର୍ଘସ୍ଥାୟୀହୋଇ ନପାରେ ।

ସେହିପରି ପେଟ କମାଇବାକୁ ପୁଲିସମାନଙ୍କୁ କୁହାଯିବା ସହ ଏହାକୁ ପାଳନ କରୁନଥିବା ଅଫିସରମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ପେଟ ବାହାରି ନଥିବା ପୁଲିସଆମ ସମାଜର ଆଉ ଏକ ଆବଶ୍ୟକତା କହିଲେ ଭୁଲ୍ ହେବ ନାହିଁ ।

ଲେଖକ ଜଣେ ମୁକ୍ତବୃତ୍ତ ସ୍ତମ୍ଭକାର। ତାଙ୍କ ସହ ଯୋଗାଯୋଗ କରିବା ଠିକଣା: ଧବଳଗିରି, ଯାଜପୁର ରୋଡ,  ମୋବାଇଲ୍‌ ୭୯୭୮୬୭୧୭୭୬

Leave a Reply

Your email address will not be published. Required fields are marked *