ରାଜ୍ୟସଭା ନାଁରେ ପତିଆରା ଲଢେ଼ଇ…

ଭୁବନେଶ୍ୱର: ଚାରିଟି ରାଜ୍ୟସଭା ଆସନ ପାଇଁ ଓଡ଼ିଶାରେ ହେବ ଭୋଟ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେପିର ୨ ଜଣ ଏବଂ ବିଜେଡିର ଜଣେ ନିଶ୍ଚିତ ନିର୍ବାଚିତ ହେବାକୁ ଯାଉଛନ୍ତି । ଏଠି ଚତୁର୍ଥ ଆସନକୁ ନେଇ ଚାଲିଛି ଅଙ୍କକଷା ଏବଂ ଟୁପୁରୁ ଟାପୁରୁ । ବିଜେପି ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ । ସେହିଭଳି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମଧ୍ୟ ଜିତିବା ଥୟ । ତେଣୁ ଏଭଳି ସ୍ଥିତିରେ ଏଠି ଚତୁର୍ଥ ଆସନ ପାଇଁ କେବଳ ନିର୍ବାଚନ ହେଉଛି କହିଲେ ଭୁଲ ହେବନି । ଚତୁର୍ଥ ଆସନ ପାଇଁ ବିଜେଡି ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କରୁଛି ଅକୁଣ୍ଠ ସମର୍ଥନ । ସେପଟେ Dark Horse ଭାବେ ନିର୍ବାଚନୀ ମୈଦାନକୁ ଲମ୍ଫ ମାରିଛନ୍ତି ଦିଲ୍ଲୀପ ରାୟ । ଚତୁର୍ଥ ଆସନ ପାଇଁ ସେ ହୋଇଛନ୍ତି ସ୍ବାଧୀନ ପ୍ରାର୍ଥୀ । ତେଣୁ ଏଠି ଦିଲ୍ଲୀପ ନା ଦତ୍ତେଶ୍ବର ! ଏଇଠି ହିଁ ରହୁଛି ରାଜନୀତିର ଖେଳ ।…

() ହିସାବ ଅନୁଯାୟୀ ବର୍ତ୍ତମାନ ସ୍ଥିତିରେ ରାଜ୍ୟସଭା ନିର୍ବାଚନରେ ଜିତିବାକୁ ହେଲେ, କୌଣସି ପ୍ରାର୍ଥୀଙ୍କୁ ୩୦ ବିଧାୟକଙ୍କ ସମର୍ଥନ ଦରକାର । ବିଜେପିର ବିଧାୟକ ସଂଖ୍ୟା ୭୮ ହୋଇଥିବା ବେଳେ ୪ ଜଣ ସ୍ବାଧୀନ ବିଧାୟକ ସରକାରର ସମର୍ଥନରେ ଅଛନ୍ତି । ତେଣୁ ଏଠି ବିଧାୟକଙ୍କ ସଂଖ୍ୟା ୮୨ ହେଉଛି । ତେଣୁ ବିଜେପିର ୨ ଜଣ ପ୍ରାର୍ଥୀ ନିଶ୍ଚିତ ଜିତିବା ପରେ ଆଉ ୨୨ ବିଧାୟକ ରହୁଛନ୍ତି । ଏମାନେ କାହାକୁ ଭୋଟ ଦେବେ ? ବିଜେପି, ଦିଲ୍ଲୀପ ରାୟଙ୍କୁ ସମର୍ଥନ କରୁଥିବାରୁ ଏହି ଭୋଟ ନିଶ୍ଚିତ ଦିଲ୍ଲୀପଙ୍କ ଖାତାକୁ ଯିବ । ତେଣୁ ଦିଲ୍ଲୀପ ରାୟଙ୍କର ୨୨ ଖଣ୍ଡ ଭୋଟ ପକ୍କା ହୋଇଥିବା ବେଳେ ଦରକାର ଆଉ ୮ ଖଣ୍ଡ । ଆଉ ୮ ଖଣ୍ଡ ଭୋଟ କେଉଁଠୁ ଆସିବ, ସେଇଠି ହିଁ ରହୁଛି ଖେଳ ।…

() ତୃତୀୟ ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ବିଜେଡିର ବିଧାୟକ ସଂଖ୍ୟା ୫୧ ହୋଇଥିବା ବେଳେ, ସେଥିରୁ ୩୦ ଖଣ୍ଡ ଭୋଟରେ ସଂତୃପ୍ତ ମିଶ୍ର ଜିତିବା ପକ୍କା । ଏଭଳି ସ୍ଥିତିରେ ବିଜେଡିର ବାକି ୧୮ ବିଧାୟକ କାହାକୁ ଭୋଟ ଦେବେ ? ଚତୁର୍ଥ ଆସନ ପାଇଁ ଦଳ ପ୍ରାର୍ଥୀ କରିଥିବା ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ଏସବୁ ଭୋଟ ମିଳିବ ତ ! ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ବିଜେଡି, ଦଳରୁ ନିଲମ୍ବନ କରିଛି । ତେଣୁ ଏହି ଦୁଇ ବିଧାୟକ, ଦତ୍ତେଶ୍ବର ହୋତା କିମ୍ବା ବିଜେଡିର ଅନ୍ୟତମ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ଭୋଟ ଦେବାର ଆଦୌ ସମ୍ଭାବନା ନାହିଁ । ତେଣୁ ଏଭଳି ସ୍ଥିତିରେ ବିଜେଡିର ବଳକା ଥିବା ୧୮ ଖଣ୍ଡ ଭୋଟ, ଏଇଠି ୧୬ ଖଣ୍ଡ ହୋଇଗଲା । ନିର୍ବାଚନରେ ହାରିବା ପରେ ବିଜେଡିରେ ଅସନ୍ତୋଷ ତୀବ୍ର ହୋଇଛି । ରାଜ୍ୟ ବାହାରର ଏକ ଶକ୍ତି ଦ୍ବାରା ବିଜେଡିର ଭିତିରିଆ ପରିଚାଳନାକୁ ନେଇ ଅନେକ ସମୟରେ, ଅନେକ ନେତାଙ୍କ ମୁହଁରୁ ବିଷୋଦଗାର ଶୁଣିବାକୁ ମିଳୁଛି । ଏଭଳି ସ୍ଥିତିରେ ବିଜେଡିର ଉପକୂଳର ଆଉ ୨ ଯୁବ ବିଧାୟକଙ୍କ ଉପରେ ସନ୍ଦେହ ହେଉଛି । ବାପାଙ୍କ ହାତ ଧରି ନିର୍ବାଚନୀ ରାଜନୀତିରେ ବିଜୟ ଲାଭ କରିଥିବା ଏହି ଦୁଇ ଯୁବ ବିଧାୟକ, କାହାକୁ ଭୋଟ ଦେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଜିଲ୍ଲାର ଆଉ ଜଣେ ବରିଷ୍ଠ ବିଜେଡି ବିଧାୟକ ବି ସନ୍ଦେହ ଘେରରେ । ଅରବିନ୍ଦ ଓ ସନାତନଙ୍କ ସହ ଯଦି ଏହି ୩ ଜଣଙ୍କୁ Count କରାଯାଏ, ତେବେ ବିଜେଡିର ୧୮ ବିଧାୟକଙ୍କ ସମର୍ଥନ ବଦଳରେ ଡାକ୍ତର ହୋତାଙ୍କୁ ୧୩ ଖଣ୍ଡ ଭୋଟ ମିଳିପାରେ ।…

() ଏବେ ଆସନ୍ତୁ ଯିବା କଂଗ୍ରେସ ଗଣିତକୁ । କଂଗ୍ରେସର ୧୪ ବିଧାୟକ ଥିବା ବେଳେ ବଣାଇଁର ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା, କଂଗ୍ରେସ ସମର୍ଥନରେ ଅଛନ୍ତି । ଚତୁର୍ଥ ଆସନରେ ବିଜେଡି ଦେଇଥିବା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେବ ବୋଲି କହିଛି । ବିଜେଡି ଓ କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ପରେ ଦତ୍ତେଶ୍ବରଙ୍କୁ ସମର୍ଥନ ଘୋଷଣା କରିଛି କଂଗ୍ରେସ । ଆଉ ନିଜର ବଳକା ୧୮ ଏବଂ କଂଗ୍ରେସ ଓ ସିପିଏମର ୧୫ ବିଧାୟକଙ୍କୁ ଭରସା କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଦତ୍ତେଶ୍ବର ହୋତାଙ୍କୁ ପ୍ରାର୍ଥୀ କରିଛନ୍ତି । କିନ୍ତୁ ନିଜର ବଳକା ୧୮ ବିଧାୟକଙ୍କ ଉପରେ ଗ୍ୟାରେଣ୍ଟି ଦେଇପାରିବେ ତ ନବୀନ ପଟ୍ଟନାୟକ ! ବିଜେଡିର ବଳକା ବିଧାୟକ ସଂଖ୍ୟା ଯଦି ୧୩କୁ ଖସି ଆସେ, ଅର୍ଥାତ ଦଳର ୫ ଜଣ ବିଧାୟକ, ଦତ୍ତେଶ୍ବରଙ୍କୁ ସମର୍ଥନ ନକରନ୍ତି, ତେବେ କଣ ହେବ ସ୍ଥିତି ! ବିଜେଡିର ଅତିକମରେ ୫ ଜଣ ବିଧାୟକ, କ୍ରସ୍ ଭୋଟିଂ କରିପାରନ୍ତି । ଆଉ ସେହି ଭୋଟ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ମିଳିବା ସମ୍ଭାବନା ରହୁଛି । ବିଜେପିର ବଳକା ୨୨ ବିଧାୟକଙ୍କୁ ମିଶାଇଲେ ଏଇଠି ଦିଲ୍ଲୀପ ରାୟଙ୍କୁ ୨୭ ବିଧାୟକଙ୍କ ସମର୍ଥନ ମିଳିପାରେ । ଜିତିବାକୁ ହେଲେ ଆଉ ମାତ୍ର ୩ ଖଣ୍ଡ ଭୋଟ ଦରକାର । ଯାହ ସମ୍ଭାବନା କଂଗ୍ରେସରେ ହିଁ ରହିଛି । କଂଗ୍ରେସର ଅତିକମରେ ୫ ଜଣ ବିଧାୟକ Cross Voting କରିବା ସମ୍ଭାବନା ରହୁଛି । ଯଦି ସେହି କଂଗ୍ରେସ ବିଧାୟକମାନେ Cross Voting କଲେ ଏବଂ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କଲେ, ତେବେ ସେ ଜିତିବାର ଯଥେଷ୍ଟ ସମ୍ଭାବନା ରହୁଛି । ଏଇଠି ହାରି ଯାଇପାରନ୍ତି ଡାକ୍ତର ଦତ୍ତେଶ୍ବର ହୋତା ।…

() ଦିଲ୍ଲୀପ ରାୟ, କାହିଁକି ହଠାତ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନୀ ମୈଦାନକୁ ଲମ୍ଫ ମାରିଲେ ? କେଉଁଠୁ ସେ ନିଶ୍ଚିତ ବିଜୟର ପ୍ରତିଶ୍ରୁତି ପାଇଛନ୍ତି କି ! ବିଜେଡି ଓ ଏହାର ନେତୃତ୍ବଙ୍କ ଉପରେ ରକ୍ତଚାଉଳ ଚୋବାଉ ଥିବା ଉପକୂଳର ସେହି ବରିଷ୍ଠ ନେତା ଜଣକ… ଯାହାଙ୍କୁ ନ ପଚାରିଲେ ଦିଲ୍ଲୀପ ରାୟ କିଛି କରନ୍ତି ନାହିଁ, ସେହି ନେତା ଜଣକ, ଦିଲ୍ଲୀପ ରାୟଙ୍କୁ ନିଶ୍ଚିତ ବିଜୟର ପ୍ରତିଶ୍ରୁତି ଦେଇଛନ୍ତି କି ! ଇତିହାସ କହୁଛି, ୨୦୦୨ରେ ଏମିତି ଏକ ନିହାତି Critical ପରିସ୍ଥିତିରେ ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଠିକ ସେହିଭଳି ଏକ ପ୍ରତିକୂଳ ପରିସ୍ଥିତିରେ, ୨୦୧୪ରେ କଂଗ୍ରେସର ରଞ୍ଜୀବ ବିଶ୍ବାଳ ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତେଣୁ ଏଠି, ଏଥର ଯାହା ଲାଗୁଛି, ଦିଲ୍ଲୀପ ରାୟଙ୍କୁ ଶତ ପ୍ରତିଶତ ନିଶ୍ଚିତ ବିଜୟର ପ୍ରତିଶ୍ରୁତି କେବଳ ବିଜେପିରୁ ନୁହେଁ, ଉଭୟ ବିଜେଡ ଓ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀରୁ ବି ମିଳିଛି ।…

() ଯଦି ଦିଲ୍ଲୀପ ରାୟ ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି, ତେବେ ଏ ଲଢ଼େଇ କାହା-କାହା ମଧ୍ୟରେ ବୋଲି ଧରିବାକୁ ହେବ ! ବିଜେଡି ସୁପ୍ରିମୋ ବନାମ ଉପକୂଳର ସେହି ବରିଷ୍ଠ ରାଜନେତା ଜଣକ ନୁହଁନ୍ତି ତ ! ବିଜେଡିରେ ଯଦି Cross Voting ହେଲା, ତେବେ ତାହା କି ସୂଚନା ଦେବ ? ନବୀନ ପଟ୍ଟନାୟକଙ୍କ ନେତୃତ୍ବ ନେଇ ପ୍ରଶ୍ନ ଉଠିବନି ତ ! ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ଦି ଫାଳ କରିଦେଇ ନବୀନଙ୍କ ବିରୋଧରେ ନୈତିକ ବିଜୟର ସ୍ବାଦ ଚାଖିବେନି ତ ଉପକୂଳର ସେହି ବରିଷ୍ଠ ରାଜନେତା ଜଣକ !…

() ବର୍ତ୍ତମାନ ସବୁ ସୁବିଧା ଥାଇ… ସବୁକିଛି ହାତ ପାଆନ୍ତାରେ ଥାଇ ବି ରାଜ୍ୟରେ କଂଗ୍ରେସ ଉଧେଇ ପାରୁନି । ଅବଶ୍ୟ ଗୋଡ଼ଟଣା ରାଜ୍ୟ କଂଗ୍ରେସର ସହଜାତ ପ୍ରବୃତ୍ତି, ସେହି ଦୃଷ୍ଟିରୁ ଦେଖିଲେ ଭକ୍ତ ଦାସଙ୍କ ନେତୃତ୍ବକୁ ନେଇ ଦଳର କିଛି ନେତା ଓ କର୍ମୀ ସେତେଟା ସନ୍ତୁଷ୍ଟ ଥିଲା ଭଳି ମନେ ହେଉନି । ଏଭଳି ସ୍ଥିତିରେ ବିଜେଡିର ଚତୁର୍ଥ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ Common Candidate ଅଭିହିତ କରି ସମର୍ଥନ ଦେବା ପଛରେ କଂଗ୍ରେସ ସଭାପତିଙ୍କର କିଛି ଭିତିରି ଉଦ୍ଦେଶ୍ୟ ନାହିଁ ତ ! ପିସିସି ସଭାପତି ଭାବେ ଭକ୍ତ ଦାସ ନିଜର ସ୍ଥିତି ମଜଭୁତ କରିବାକୁ ଏମିତି କାର୍ଡ ଖେଳି ନାହାଁନ୍ତି ତ ! ଅର୍ଥାତ ଯଦି ଦତ୍ତେଶ୍ବର ହୋତା ଜିତି ଯାଆନ୍ତି, ତେବେ ପାର୍ଟି ହାଇକମାଣ୍ଡଙ୍କ ଆଗରେ ତାଙ୍କ ବିଜୟର ବାଜା ବଜାଇ ଭକ୍ତ ଦାସ, ରାଜ୍ୟରେ ତାଙ୍କ ସ୍ଥିତି ମଜଭୁତ କରିବାକୁ ଉଦ୍ଦେଶ୍ୟ ରଖି ନାହାଁନ୍ତି ତ ! କିନ୍ତୁ ଦତ୍ତେଶ୍ବର ହୋତା ଯଦି ହାରି ଯାଆନ୍ତି, ତେବେ ଭକ୍ତ କରିବେ କଣ ? ସେ କଥା ସମୟ କହିବ, କିନ୍ତୁ ପିସିସି ସଭାପତିଙ୍କ Higher the risk, higher the profit ରଣନୀତି କିଛି ମନ୍ଦ ନୁହେଁ ।…

() ଏବେ ଆସିବା ବିଜେପି ପ୍ରସଙ୍ଗକୁ । ରାଜ୍ୟସଭା ଯିବାକୁ କାଳେ ମନମୋହନ ସାମଲଙ୍କର ଆଦୌ ଇଚ୍ଛା ନଥିଲା । କିନ୍ତୁ ଦଳ ତାଙ୍କ ନାମ ଘୋଷଣା କରିବା ପରେ ସୁନାପୁଅ ଭଳି ସେ ସ୍ବୀକାର କରି ନେଇଛନ୍ତି । ଇଚ୍ଛା ନଥିବା ଲୋକଙ୍କୁ ପ୍ରାର୍ଥୀ କାହିଁକି କରାଗଲା ? ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପଛରେ କାହାର ହାତ ରହିଛି ? କି ଉଦ୍ଦେଶ୍ୟ ରହିଛି ? ମନମୋହନ ସାମଲ ରାଜ୍ୟସଭାକୁ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ । ଆଉ ଯଦି ସେ ନିର୍ବାଚିତ ହେଲେ, ତେବେ ବିଜେପିର ନୀତି ଅନୁସାରେ ଖୁବ ଶୀଘ୍ର ସେ ଦଳର ରାଜ୍ୟ ସଭାପତି ପଦ ଛାଡ଼ିବେ । ଏଇଠି ରହୁଛି ସବୁଠାରୁ ବଡ଼ ଖେଳ । ମନମୋହନ ବିଜେପି ସଭାପତି ପଦ ଛାଡ଼ିଲେ, ସେ ସ୍ଥାନରେ କିଏ ? ଆଗାମୀ ବିଜେପି ରାଜ୍ୟ ସଭାପତିଙ୍କୁ ନେଇ ରାଜ୍ୟର ମୋହନ ମାଝୀ ନେତୃତ୍ବାଧୀନ ସରକାର ପ୍ରଭାବିତ ହେବନି ତ ! ବିଜେପିର ଉପକୂଳ ରାଜନୀତିକୁ ରାଜ୍ୟ ରାଜନୀତିର ତଥାକଥିତ ପଶ୍ଚିମା ଝଡ଼ ପ୍ରଭାବିତ କରିବନି ତ ! କାରଣ ଉପରକୁ ଜଣାପଡୁ ନଥିଲେ ବି ରାଜ୍ୟ ବିଜେପିରେ ଦି ଗୋଷ୍ଠୀ ଅଛନ୍ତି । ଆଉ ମନମୋହନ ରାଜ୍ୟସଭା ପ୍ରାର୍ଥୀ ହେବା ପରେ ବିଜେପିର ଗୋଟେ ଗୋଷ୍ଠୀ ଏତେ ଖୁସି ଯେ, ପାଦ ତଳେ ଲାଗୁନି ।…

() କହିବାକୁ ଗଲେ ଏଥର ରାଜ୍ୟସଭା ନିର୍ବାଚନରେ Common Candidate ଡାକ୍ତର ଦତ୍ତେଶ୍ବର ହୋତା ବନାମ Independent Candidate ଦିଲ୍ଲୀପ ରାୟ ଯେତିକି ରୋଚକ ରଖୁ ନାହାଁନ୍ତି, ତାଠାରୁ ଢେର ରୋଚକ ରହୁଛି ନିର୍ବାଚନ ପଛର Checkmate Politics । କାରଣ ଏହି ଦୁଇ ପ୍ରାର୍ଥୀଙ୍କ ବିଜୟ ଓ ପରାଜୟ ଉପରେ- ବିଜେଡି ଓ ତାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବ, ସରକାରରେ ମୋହନ ମାଝୀଙ୍କ ନେତୃତ୍ବ ଏବଂ ପିସିସି ସଭାପତି ଭାବେ ଭକ୍ତ ଦାସଙ୍କ ନେତୃତ୍ବକୁ ପ୍ରଭାବିତ କରିବ । ଏଥି ସହିତ ଉପକୂଳର ସେହି ବରିଷ୍ଠ ରାଜନେତା ଏବଂ ପଶ୍ଚିମ ଓଡ଼ିଶାର ଜଣେ ତୁଙ୍ଗ କେନ୍ଦ୍ରୀୟ ନେତାଙ୍କ ରଣନୀତି, ପ୍ରଭାବଶାଳୀ ନା ପ୍ରଭାବହୀନ ତାହା ମଧ୍ୟ ପ୍ରମାଣିତ ହେବ ।…

() ଚାରିଟି ରାଜ୍ୟସଭା ଆସନ ପାଇଁ ସିନା ନିର୍ବାଚନ ହେଉଛି, କିନ୍ତୁ ଏହା ଭିତରେ ଭଲ ରକମ ଚାଲିଛି Power Play । ଦତ୍ତେଶ୍ବରଙ୍କ ବିଜୟ କିମ୍ବା ପରାଜୟ, ବିଜେଡିରେ ନବୀନଙ୍କ ନେତୃତ୍ବକୁ ପ୍ରଭାବିତ କରିପାରେ, କିନ୍ତୁ ବର୍ତ୍ତମାନ କେବଳ ନାମକୁ ମାତ୍ର ଅଦୃଶ୍ୟ ହୋଇ ଯାଇଥିବା ବିଜେଡିର ସେହି ବ୍ୟକ୍ତିତ୍ବ ପୂରା ଅଚିନ୍ତାରେ । କାରଣ- ନିଶ୍ଚିତ ବିଜୟ ତାଲିକାରେ ସ୍ଥାନ ପାଇବାକୁ ଯାଉଥିବା ୩ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ତାଙ୍କ ଲୋକ । ସେହି ୨ ଜଣଙ୍କୁ ହିଁ ସେହି ବ୍ୟକ୍ତି ରାଜନୀତିକୁ ଆଣିଛନ୍ତି । ଆଉ ଯଦି ଦତ୍ତେଶ୍ବର ଜିତିଗଲେ, ତେବେ ସେହି ୨ଟା ୩ ହୋଇଯିବ । ପୂରା ବଲ୍ଲେ ବଲ୍ଲେ ହୋଇଯିବେ ବିଜେଡିର ସେହି ତଥାକଥିତ ଅଦୃଶ୍ୟ ବ୍ୟକ୍ତିତ୍ବ ।…

Leave a Reply

Your email address will not be published. Required fields are marked *