ଆଜିଠୁ ପୁରୀ ପ୍ରବେଶ ଉପରେ କଟକଣା

ପୁରୀ, (ଓଡିଶା ଟାଇମ୍) : ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେହିପରି ଜରୁରୀ କାମ ନଥିଲେ ପୁରୀ ଜିଲାକୁ ନ ଆସିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାହାର ଲୋକଙ୍କୁ ପରାମର୍ଶ ଦିଆଯାଇଛି। ରବିବାରଠାରୁ ଜିଲାର ୩ଟି ମୁଖ୍ୟ ପ୍ରବେଶପଥରେ ବ୍ୟାରିକେଡ କରାଯାଇ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯିବ ବୋଲି ଜିଲାପାଳ କହିଛନ୍ତି। ଜିଲା ବାହାରୁ ଆସୁଥିବା ଲୋକଙ୍କ ପରିଚୟପତ୍ର ଯାଞ୍ଚ ନିମନ୍ତେ ନିର୍ଦେଶ ଦିଆଯାଇଛି। ରଥଯାତ୍ରା ସହ ସଂପୃକ୍ତ ସେବକ ଏବଂ କର୍ମଚାରୀଙ୍କ ପୁଣିଥରେ କୋଭିଡ ପରୀକ୍ଷା କରାଯିବ ବୋଲି ଜିଲାପାଳ କହିଛନ୍ତି।

ଚଳିତମାସ ୩୧ ପର୍ଯ୍ୟନ୍ତ ଅନ୍ୟ ଜିଲା ଲୋକଙ୍କୁ ପୁରୀ ଜିଲାରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କଟକ ଆଚାର୍ଯ୍ୟ ହରିହର କର୍କଟରୋଗ ଗବେଷଣା କେନ୍ଦ୍ର ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ପରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ କଟକଣା ଜାରି ପାଇଁ ପ୍ରଶାସନ ସ୍ଥିର କରିଛି। ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଜରୁରୀ ପରିସ୍ଥିତି ବିନା ଚିକିତ୍ସା ପାଇଁ ଜିଲା ସଦର ହାସପାତାଳ ନଯାଇ ଟେଲି ହେଲଥ୍‌ ବ୍ୟବସ୍ଥା ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଶନିବାରଠାରୁ ପୁରୀ ସହରର ୩୨ଟି ୱାର୍ଡରେ ଘର ଘର ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଥିପାଇଁ ୩୨ ଗୋଟି ଦଳ ଗଠନ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published.