ନିଜ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣ ଖର୍ଚ୍ଚ ବହନ କରିବ ରିଲାଏନ୍ସ

ମୁମ୍ବାଇ, (ଓଡିଶା ଟାଇମ୍) :କର୍ପୋରେଟ ସେକ୍ଟର ବି ବର୍ତ୍ତମାନ ନିଜ କର୍ମଚାରୀଙ୍କୁ କରୋନା ଟିକା ଦେବା ପ୍ରତିବଦ୍ଧତା ପୁରା କରିବା ଦିଗରେ ଆଗେଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ନୀତା ଅମ୍ବାନୀ ରିଲାଏନ୍ସ କର୍ମଚାରୀଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣର ପୁରା ଖର୍ଚ୍ଚ ରିଲାଏନ୍ସ ବହନ କରିବ। ନୀତା ଅମ୍ବାନୀ ପତ୍ରରେ କହିଛନ୍ତି ଯେ ଯୋଗ୍ୟ କର୍ମଚାରୀ ସରକାରଙ୍କ ଦ୍ୱାରା ଜାରି ଟିକାକରଣ ଅଭିଯାନରେ ଶୀଘ୍ର ପଞ୍ଜିକରଣ କରନ୍ତୁ। ନୀତା ଅମ୍ବାନୀ କହିଛନ୍ତି କରୋନା ବିରୋଧରେ ସେ ଦେଶ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛନ୍ତି।

ଏହା ପୂର୍ବରୁ ୨୦୨୦ ଡିସେମ୍ବର ଶେଷ ଆଡକୁ ‘ରିଲାଏନ୍ସ ଫ୍ୟାମିଲି ଡେ’ ଅବସରରେ ନୀତା ଅମ୍ବାନୀ ଓ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ କହିଥିଲେ ଯେ ଯେମିତି ଜରୁରୀ ଅନୁମତି ମିଳିବ ସେ ରିଲାଏନ୍ସ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣ ଅଭିଯାନ ଆରମ୍ଭ କରିବେ।

ଭାରତ ସରକାର ଦ୍ୱାରା ଚାଲିଥିବା କରୋନା ଟିକାକରଣ ଅଭିଯାନ ସମ୍ପର୍କରେ ନୀତା ଅମ୍ବାନୀ କହିଛନ୍ତି, ‘ଆଉ କିଛି ସମୟର କଥା, ଦେଶ କରୋନା ଯୁଦ୍ଧ ଜିତିଯିବ। ଆଶା, ବିଶ୍ୱାସ ଓ ଆନନ୍ଦ ସହ ଦେଶ ଏକ ନୂଆ ପର୍ଯ୍ୟାୟରେ ପାଦ ରଖିବ।’ ରିଲାଏନ୍ସ ଗ୍ରୁପରେ ୬ ଲକ୍ଷ କର୍ମଚାରୀ କାମ କରନ୍ତି। ଏହି କର୍ମଚାରୀଙ୍କ ପରିବାରକୁ ସାମିଲ କରିବା ପରେ ମୋଟ ସଂଖ୍ୟା ପାଖାପାଖି ୧୯ ଲକ୍ଷ ରହିଛି।

ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ନୀତା ଅମ୍ବାନୀ ନିଜ କର୍ମଚାରୀଙ୍କୁ ଭରସା ଦେଇଛନ୍ତି ଯେ ସମସ୍ତଙ୍କ ସହଯୋଗରେ ଶୀଘ୍ର ଏହି ମହାମାରୀରୁ ମୁକ୍ତି ପାଇପାରିବୁ। ତାସହ ସେ ସଚେତନ କରାଇଛନ୍ତି ଯେ କରୋନା ଯାଇନାହିଁ। ସେଥିପାଇଁ ଆମକୁ ସଚେତନ ଓ ସତର୍କ ରହିବାକୁ ହେବ।

Leave a Reply

Your email address will not be published. Required fields are marked *