କୋଭିଡ୍‌-୧୯: ରିଲାଏନ୍ସ ଫାଉଣ୍ଡେସନ୍‌ର ଚାଷୀଙ୍କୁ ବିପଣନ ସହାୟତା

ଭୁବନେଶ୍ୱର: କୋଭିଡ୍‌୧୯ ଯୋଗୁ ସୃଷ୍ଟି ହୋଇଥିବା ବିପର୍ଯ୍ୟୟ ସମୟରେ ରିଲାଏନ୍ସ ଫାଉଣ୍ଡେସନ୍ ଚାଷୀଭାଇମାନଙ୍କୁ ଆବଶ୍ୟକ ସହଯୋଗର ହାତ ବଢ଼ାଇଛି । ସାଧାରଣ ଚାଷୀଙ୍କଠାରୁ ଆରମ୍ଭ କରି ମତ୍ସ୍ୟଚାଷୀ, ଛେଳି, ଗାଇ, କୁକୁଡ଼ା, ମେଣ୍ଢା ଚାଷୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଏବଂ ଉତ୍ପାଦନ ବିକ୍ରି କରିବା ଲାଗି ଆବଶ୍ୟକ ସୂଚନା ଓ ପରାମର୍ଶ ପ୍ରଦାନ କରିବା ସହ ବିଭିନ୍ନ ସ୍ତରରେ ସରକାରୀ ଅଧିକାରୀଙ୍କ ସହ ଚାଷୀଙ୍କୁ କଥା ହେବାର ସୁଯୋଗ ଦେଇ ସେମାନଙ୍କ ସମସ୍ୟାର ସମାଧାନ କରିପାରିଛି ।

ଏହି ସମୟରେ ବିଶେଷକରି ଚାଷୀମାନଙ୍କୁ ସାର, ବିହନ, କୀଟନାଶକ, ପ୍ରାଣୀଙ୍କ ଖାଦ୍ୟ କିଣାଠୁ ଆରମ୍ଭ କରି ଆବଶ୍ୟକ ବିଶେଷଜ୍ଞଙ୍କ ପରାମର୍ଶ ସହିତ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଆବଶ୍ୟକ ପରିବହନ ପାଇଁ ଉଦ୍ଦିଷ୍ଟ ଅନୁମତି ପତ୍ର ଆବଶ୍ୟକ ପଡ଼ିଥାଏ । ଯଦିଓ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କଟକଣା କୋହଳ କରାଯାଇ ଅନୁମତି ପତ୍ର ପ୍ରଦାନ ବ୍ୟବସ୍ଥା କରାଯାଇଛି କିନ୍ତୁ ସେ ବିଷୟରେ ଚାଷୀଙ୍କ ପାଖରେ ଆବଶ୍ୟକ ସୂଚନା ପହଞ୍ଚିିପାରୁ ନଥିଲା । ଏଣୁ ଚାଷୀମାନେ ସରକାରୀ ସୁବିଧା ବିଷୟରେ ନଜାଣି ନିଜ ଅମଳ ଉତ୍ପାଦକୁ ବିକ୍ରି କରିବାରେ ସମସ୍ୟା ଭୋଗୁଥିଲେ ।
ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ କରାଯାଇଥିଲା ଏକ ଅଭିନବ ଡିଜିଟାଲ୍ ପ୍ଳାଟ୍‌ଫର୍ମ ଜରିଆରେ ବଭିନ୍ନ ସ୍ଥାନରୁ ଏକାଠି ଯୋଡି ହୋଇପାରୁଥିବା ଗ୍ରୁପ୍ ଅଡିଓ କନ୍‌ଫରେନ୍ସ ଯୋଜନା । ଏହି ଡିଜିଟାଲ୍ ମଞ୍ଚ ସହାୟତାରେ ଚାଷୀ ଓ ବିଶେଷଜ୍ଞ ତଥା ସରକାରୀ ଅଧିକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି ସେମାନଙ୍କ ସମସ୍ୟାର ସମାଧାନ କରିବାରେ ସହାୟକ ହୋଇପାରିଛି ରିଲାଏନ୍ସ ଫାଉଣ୍ଡେସନ୍ ।
ଚାଲିଥିବା ଲକ୍‌ଡାଉନ୍ ହେତୁ ଏହି ଚାଷୀଙ୍କ ଭିତରୁ ଅନେକ ସେମାନଙ୍କ ଫସଲ ଲାଗି ଆବଶ୍ୟକ କୀଟ ନାଶକ, ସାର ତଥା ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପାଉ ନଥିବାରୁ ଫସଲର ଯତ୍ନ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅପରପକ୍ଷେ ଦୋକାନ ବଜାର ଓ ହାଟଗୁଡିକ ବନ୍ଦ ରହିବା ହେତୁ ଅଧିକାଂଶ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀ ସେମାନଙ୍କ ଫସଲ ବିକ୍ରି କରିପାରୁନଥିଲେ । ଏହାକୁ ଆଖିରେ ରଖି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଡିଜିଟାଲ୍ କନ୍‌ଫରେନ୍ସିଂ ମଞ୍ଚ ସେମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀରେ ସମସ୍ୟାର ସମାଧାନ କରିବା ଉଦ୍ୟମ କରିଛି । ରାଜ୍ୟରେ ବିଭିନ୍ନ ଅଂଚଳର ଚାଷୀଙ୍କ ପାଇଁ ଏହିଭଳି ପ୍ରାୟ ୩୬ ଟି ଟେଲିଫୋନ୍ ଅଡିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍ ଚାଷୀ, କୃଷି ପରାମର୍ଶଦାତା, ସରକାରୀ ଅଧିକାରୀ ଓ କୃଷି ବିପଣନ ବିଶେଷଜ୍ଞମାନଙ୍କୁ ଏକାଠି କରିଛି ।

ଏହି ଉଦ୍ୟମରେ ରାଜ୍ୟର ୨୦ଟି ଜିଲ୍ଲାରୁ ପ୍ରାୟ ୧୦୫୦ରୁ ଅଧିକ ଚାଷୀ, ମଧୁର ଜଳ ମାଛ ଚାଷୀ, ଛେଳି, ଗାଇ ଓ କୁକୁଡ଼ା ପାଳକ ଆଗ୍ରହ ପ୍ରକାଶ କରି ଅଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ । ସେମାନେ ସିଧାସଳଖ ବିଭାଗୀୟ ଅଧିକାରୀ, କୃଷିବିଜ୍ଞାନ କେନ୍ଦ୍ର, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ସମ୍ମୁଖୀନ ହେଉଥିବା ସମସ୍ୟା ସମାଧାନ ପାଇଁ ଉପାୟ ପଚାରିଥିଲେ । ଏହି ସମୟରେ ଉପସ୍ଥିତ ଅଧିକାରୀମାନଙ୍କୁ ଚାଷୀଙ୍କ ପାଇଁ ଆବଶ୍ୟକ ସହାୟତା ଦେବା ସହଜ ହୋଇଥିଲା। ଏପରିକି ଏହି ଅମଳ ସମୟରେ କୃଷିଜାତ ଦ୍ରବ୍ୟକୁ ବିକ୍ରି କରିବା ଲାଗି ଅନେକ ଚାଷୀ ଗାଡ଼ି ପାସ୍ (ଅନୁମତି ପତ୍ର) ପାଇପାରୁ ନଥିଲେ। ଏହି ଅଡିଓ କନ୍‌ଫରେନ୍ସିଂ ଜରିଆରେ ସୂଚନା ପାଇବାପରେ ଏହି ସମସ୍ୟାର ସମାଧାନ ହୋଇ ଚାଷୀ ଉପକୃତ ହୋଇଥିଲେ ।
ଏହଭଳିି ଅଡିଓ କନ୍‌ଫରେନ୍ସିଂ କାର୍ଯ୍ୟକ୍ରମ ସହ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଭଏସ୍ ଏସ୍‌ଏମ୍‌ଏସ୍‌, ଜିଓ ଚାଟ୍‌, ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଚାଷୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଲକ୍‌ଡାଉନ୍ ସମୟରେ କୃଷି କାର୍ଯ୍ୟ ପାଇଁ ସରକାର ଯୋଜନାମାନ ଘୋଷଣା କରିଥିଲେ ମଧ୍ୟ ତାହାର ସୂଚନା ଚାଷୀଙ୍କ ପାଖରେ ପହଞ୍ଚିିପାରୁନଥିବାରୁ ଫାଉଣ୍ଡେସନ୍ ପକ୍ଷରୁ ଏହି ଯୋଗାଯୋଗ ଉଦ୍ୟମ କରାଯାଇଥିଲା । ପ୍ରାୟ ୨ ଲକ୍ଷରୁ ଅଧିକ ଚାଷୀ, ୩୨୦୦ ମତ୍ସ୍ୟଚାଷୀ, ୩୦ ହଜାର ଛେଳି ଓ କୁକୁଡ଼ା ପାଳକଙ୍କ ପାଖରେ ଓୟୁଏଟି ପକ୍ଷରୁ ଦିଆଯାଇଥିବା ସୂଚନାକୁ ପହଞ୍ଚାଯାଇଥିଲା । କୋଭିଡ୍‌-୧୯ରୁ କବଳରୁ ନିଜକୁ ସୁରକ୍ଷିତ ରଖି କିପରି ଚାଷୀମାନେ ଚାଷକାର୍ଯ୍ୟ କରିପାରିବେ ସେଥିନେଇ ଆବଶ୍ୟକ ସତର୍କତାମୂଳକ ସୂଚନା ପ୍ରଦାନ ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ଫାଉଣ୍ଡେସନ୍ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଇଛି ।
ଫାଉଣ୍ଡେସନ୍‌ର ଏହି ପଦକ୍ଷେପକୁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସ୍ତରରେ ପ୍ରଶଂସା କରାଯାଇଛି । ଚାଷୀମାନଙ୍କ ପାଇଁ ଆୟୋଜନ କରାଯାଇଥିବା ବହୁସ୍ତରୀୟ ଅଡିଓ କନ୍‌ଫରେନ୍ସ ବାବଦରେ ମତ ଦେଇ ଅନୁଗୁଳରେ ଅବସ୍ଥାପିତ ଉଦ୍ୟାନକୃଷି ଉପ ନିର୍ଦେଶକ ପଦ୍ମଲୋଚନ ଦାସ କହିଛନ୍ତି, ଏହି କେଭିଡ୍‌-୧୯ ପରିସ୍ଥିତିରେ ଚାଷୀଙ୍କ ପାଖକୁ ଯାଇ ସେମାନଙ୍କ ସହ ପ୍ରତ୍ୟକ୍ଷ ଭାବେ କଥା ହେବା ତଥା ତାଙ୍କ ଅସୁବିଧାକୁ ସମାଧାନ କରିବା ସମ୍ଭବପର ହୋଇପାରୁ ନାହିଁ । ଏଭଳି ଏକ ଜଟିଳ ପରିସ୍ଥିତିରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଯେଉଁ ଅଡିଓ କନ୍‌ଫରେନ୍ସ ପ୍ଳାଟ୍‌ଫର୍ମ ସୃଷ୍ଟି କରାଯାଇଛି ତାହା ବାସ୍ତବରେ ଯଥେଷ୍ଟ ସମୟୋପଯୋଗୀ ହୋଇପାରିଛି । ଚାଷୀମାନେ କ୍ଷେତରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଜାଣିବା ଏବଂ ସେଗୁଡ଼ିକୁ ତୁରନ୍ତ ସମାଧାନ କରିବା ଦିଗରେ ଏହା ସହାୟକ ହୋଇପାରିଛି । ଏହା ସହ ବିଭିନ୍ନ ସ୍ଥାନରେ ଫୋନ୍ ଯୋଗେ ଏହି ଅଡିଓ କନ୍‌ଫରେନ୍ସରେ ଯୋଗ ଦେଇଥିବା ବିଭିନ୍ନ ଅଞ୍ଚଳର ଶତାଧିକ ଚାଷୀଙ୍କୁ ଆବଶ୍ୟକ ଟେକେ୍‌ନାଲୋଜି ସମାଧାନ ପ୍ରଦାନ କରିବା ମଧ୍ୟ ସହଜ ହେଉଛି ।
ସେହିପରି ଦେବଗଡ଼ ଜିଲ୍ଲା ମତ୍ସ୍ୟସମ୍ପଦ ଅଧିକାରୀ ନରୋତ୍ତମ ନାୟକ ରିଲାଏନ୍ସ ଫାଉଣ୍ଡେସନ୍‌ର ଏହି ପଦେକ୍ଷପ ବାବଦରେ ମତ ଦେଇ କହିଛନ୍ତି, “ଫାଉଣ୍ଡେସନ୍‌ର ଏହି ଡିଜିଟାଲ୍ ପ୍ଳାଟଫର୍ମ କେବଳ ମାଛ ଚାଷୀଙ୍କୁ ନୁହେଁ, ବ୍ୟବସାୟୀ, ମହିଳା ଏସ୍‌ଏଚ୍‌ଜିଙ୍କୁ ବିଶେଷ ସହାୟକ ହୋଇପାରିଛି । ଏବେ ଅମଳ ସମୟ ଚାଲିଥିବାରୁ ଏହି ପ୍ରକାର ଟେକ୍ନୋଲୋଜି ଉପଯୋଗରେ ଆମେ ଚାଷୀଙ୍କ ସହ କଥା ହୋଇ ସେମାନଙ୍କ ଉତ୍ପାଦକୁ କିପରି ଫାର୍ମରୁ ନିକଟସ୍ଥ ବଜାରରେ ପହଞ୍ଚାଯାଇପାରିବ ସେଥିନେଇ ପଦକ୍ଷେପ ନେଇପାରୁଛୁ ।”
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ର ବ୍ରାହ୍ମଣିପାଳ ଗାଁର ମାଛ ଚାଷୀ ଦିଲ୍ଲୀପ କୁମାର ବିଶ୍ୱାଳ ନାମକ ଜଣେ ଏହି ପ୍ଳାଟ୍‌ଫର୍ମରେ ନିଜକୁ ସାମିଲ୍ କରି ଯଥେଷ୍ଟ ଉପକୃତ ହୋଇଥିବା କହିଛନ୍ତି । ସେ କହିଛନ୍ତି, “ଲକ୍‌ଡାଉନ୍ ସମୟରେ ସେ ମାଛ ଧରି ଥରେ ବିକ୍ରି କରିବା ପାଇଁ ଉଦ୍ୟମ କରିବାରୁ ପୁଲିସ ଲାଠି ଖାଇବାକୁ ପଡ଼ିଥିଲା । କିନ୍ତୁ ଏହି ଅଡିଓ କନ୍‌ଫରେନ୍ସରେ ଯୋଗ ଦେଇ ସେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହ କଥା ହୋଇଥିଲେ । ଏବଂ ସେଠାରେ ଆବଶ୍ୟକ ପାସ୍ ଉପଲବ୍ଧ ବୋଲି ଜାଣିବାକୁ ପାଇ ସେଠାରୁ ପାସ୍ ସଂଗ୍ରହ କରିଥିଲେ । ଏହି ଗାଡି ପାସ୍‌କୁ ବ୍ୟବହାର କରି ସେ ବିନା ପ୍ରତିବନ୍ଧକରେ ଏବେ ବଜାରରେ ନିଜ ଫାର୍ମର ମାଛ ପହଞ୍ଚାଇପାରୁଛନ୍ତି । ୨୧ ଏପ୍ରିଲ୍ ରେ ସେ ଏକ କ୍ୱିଣ୍ଟାଲ୍‌ରୁ ଅଧିକ ମାଛ ବିକ୍ରି କରିଥିବା କହିଛନ୍ତି । ଏହା ସହ ଆଗାମୀ ଚାଷ ପାଇଁ ନୂଆ ଯାଆଁଳ ମଧ୍ୟ ସଂଗ୍ରହ କରିିଛନ୍ତି ।
ସେହିଭଳି ମୟୁରଭଞ୍ଜ ରରୁଆଁ ବ୍ଲକ୍ କଲଣ୍ଡା ଗାଁର ପନିପରିବା ଚାଷୀ ପ୍ରହଲ୍ଲାଦ ମହନ୍ତ ନିଜ ଅମଳକୁ ବିକ୍ରି କରିବା ପାଇଁ ସମସ୍ୟା ଭୋଗୁଥିଲେ । କୌଣସି ସୂତ୍ରରୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହେଉଥିବା ବହୁସ୍ତରୀୟ ଅଡିଓ କନ୍‌ଫରେନ୍ସ ବିଷୟରେ ଜାଣି ସେ ସେଥିରେ ଅଂଶଗ୍ରହଣ କରିଥିଲେ । ଏହାପରେ ସେ ସ୍ଥାନୀୟ ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇ ପନିପରିବା ବିକ୍ରି ପାଇଁ ବାଟ କାଢ଼ିଥିଲେ । ଏହାଦ୍ୱାରା ନିଜ ଜମିରୁ ଅମଳ ହେଉଥିବା ଟମାଟୋ, କଲରା, ବାଇଗଣ, ଛଚିନ୍ଦ୍ରା ପ୍ରଭୃତିକୁ ବଜାରରେ ବିକ୍ରି କରିବା ଲାଗି ସୁବିଧା ପାଇଥିଲେ । ସେ କହିଛନ୍ତି “ଏହି ପ୍ଳାଟ୍‌ଫର୍ମ ଦ୍ୱାରା ସହକାରୀ ଉଦ୍ୟାନକୃଷି ଅଧିକାରୀଙ୍କ ସହ କଥା ହୋଇପାରିଲି । ତାଙ୍କୁ ସମସ୍ୟା ବିଷୟରେ ଜଣାଇବାରୁ ସେ ମୋ ପାଇଁ ଓ ଦୁଇଜଣ ସହଯୋଗୀଙ୍କ ପାଇଁ ଗାଡି ଅନୁମତିପତ୍ର ପ୍ରଦାନ ବ୍ୟବସ୍ତା କରିଥିଲେ । ଏହାଦ୍ୱାରା ମୁଁ ପ୍ରାୟ ୫୦ କ୍ୱିଣ୍ଟାଲ୍ ପନିପରିବା ଏହି ଲକ୍‌ଡାଉନ୍ ସମୟରେ ବିକ୍ରି କରି ପ୍ରାୟ ୭୦,୦୦୦ ଟଙ୍କା ଆୟ କରିପାରିଛି’ ।

Leave a Reply

Your email address will not be published. Required fields are marked *