ରେଡ୍ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର
ଭୁବନେଶ୍ବର, (ଓଡିଶା ଟାଇମ୍): ରେଡ୍ ଆଲର୍ଟରେ ଭୁବନେଶ୍ବର ବିମାନବନ୍ଦର । ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ନୂଆଦିଲ୍ଲୀ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ଦେବା ପରେ ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଗଷ୍ଟ ୧୦ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନନ୍ଦର କଡା ସୁରକ୍ଷା ବଳୟ ମଧ୍ୟରେ ରହିବ । ଏନେଇ ସ୍ବତନ୍ତ୍ର SOP ମଧ୍ୟ ଜାରି କରାଯାଇଛି । ଏହାସହ ସମସ୍ତ ଯାତ୍ରୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଉଛି ।
ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଉଡାଇ ଦେବାକୁ ଧମକ ମିଳିଥିଲା । ପୋଲିସକୁ ଇମେଲ ମାଧ୍ୟମରେ ଧମକ ମିଳିବା ପରେ ବିମାନବନ୍ଦରରେ ସୁରକ୍ଷାକୁ ଆହୁରି କଡାକଡି କରାଯାଇଥିଲା । ଏହାସହ ପୋଲିସ ଓ ସିଆଇଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଥିଲା ।
ରବିବାର ସକାଳେ ଏହି ଧମକପୂର୍ଣ୍ଣ ମେଲ ଆସିଥିଲା । ଏଥିରେ ଲେଖାଯାଇଥିଲା ଯେ, କରଣବୀର ସୁରୀ ଆକା ମହମ୍ମଦ ଜାଲାଲ ଏବଂ କରଣବୀର ସୌରୀଙ୍କ ପତ୍ନୀ ଶୈଲି ଶାରଦା ଆକା ହସେନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି । ବିମାନବନ୍ଦର ଉପରେ ବୋମା ପକାଇବାକୁ ଯୋଜନା କରୁଛନ୍ତି । ତେବେ ଅଲକାଏଦା ନାମରେ ଏହି ଧମକପୂର୍ଣ୍ଣ ଇମେଲ୍ ଆସିଥିଲା । ପୂର୍ବରୁ ମଧ୍ୟ ମାର୍ଚ୍ଚ ମାସରେ ସମାନ ଧମକ ଆସିଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ତଦନ୍ତ ଆରମ୍ଭ ହୋଇଛି । ସମସ୍ତ ଯାତ୍ରୀଙ୍କୁ କଡାକଡି ଭାବେ ଯାଞ୍ଚ କରାଯାଉଛି । ସିଆଇଏସଏଫ ଓ ସ୍ଥାନୀୟ ପୋଲିସକୁ ମଧ୍ୟ ହାଇ ଆଲର୍ଟ କରାଯାଇଛି । ଏହାସହ ଟ୍ରାଫିକ୍ କଣ୍ଟ୍ରୋଲ୍ ଡିପାର୍ଟମେଣ୍ଟକୁ ଧମକ ବାବଦରେ ମଧ୍ୟ ଅବଗତ କରାଯାଇଥିବା କର୍ତ୍ତୃପକ୍ଷ କହିଥିଲେ ।











