ରେପୋ ରେଟ ହ୍ରାସ କଲା ରିଜର୍ଭ ବ୍ୟାଙ୍କ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଦେଶର ଅର୍ଥନୀତିର ସ୍ଥିତି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ସାମ୍ବାଦକି ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିସଳନୀରେ ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୪୦ ବେସିସ୍ ପଏଣ୍ଟ୍ କାଟି ତା’ର ରେପୋ ରେଟ୍ ୪. ୪% ରୁ ୪%କୁ ହ୍ରାସ କରିଛି । ରେପୋ ରେଟରେ ୪୦ବେସିସ ପଏଣ୍ଟ ହ୍ରାସ ପାଇଛି । ରେପୋ ରେଟ୍ ୪.୪% ରୁ ଖସି ୪%ରେ ପହଞ୍ଚିଛି । ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହୋଇନାହିଁ । ସୁଧ ହାରରେ ୦.୪% ହ୍ରାସ କରିଛି ଆରବିଆଇ । ଛଅ ଜଣିଆ ସଦସ୍ୟ ବିଶିଷ୍ଟ ମନିଟାରି ପଲିସି କମିଟିରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ୍ କାଟି ସପକ୍ଷରେ ୫:୧ ଭୋଟ୍ ମିଳିଛି ବୋଲି ସେ କହିଛନ୍ତି । ଦେଶରେ କରୋନା ଭାଇରସ୍ ସଙ୍କଟ ଯୋଗୁଁ ବିଜୁଳି, ପେଟ୍ରୋଲିୟମ୍ ଉତ୍ପାଦନ ବ୍ୟବହାରର ଚାହିଦା ହ୍ରାସ ପାଇଛି । ଘରୋଇ ବ୍ୟବହାର ଚାହିଦା ମଧ୍ୟ ହ୍ରାସ ପାଇଛି । ବିନିଯୋଗ ଚାହିଦା ମଧ୍ୟ ହ୍ରାସ ପାଇଛି । ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ବିଯୁକ୍ତାତ୍ମକ ବର୍ଗରେ ରହିବ। ବର୍ଷର ଦ୍ବିତୀୟାର୍ଦ୍ଧରେ ଅଭିବୃଦ୍ଧି ହାର କିଛିଟା ବୃଦ୍ଧି ପାଇପାରେ । ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ଅର୍ଥନୈତିକ, ଆର୍ଥିକ ଏବଂ ପ୍ରଶାସନିକ ବ୍ୟବସ୍ଥାର ମିଳିତ ପଦକ୍ଷେପ ଆର୍ଥିକ ପୁନଃରୁତ୍ଥାନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ । ଏହାଛଡ଼ା ୯୦ ଦିନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏସ୍ଆଇଡିବିଆଇ ପାଇଁ ୧୫୦୦୦ କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛି । ଏକ୍ସପୋର୍ଟ କ୍ରେଡିଟ୍ ସମୟ ସୀମା ୧ ବର୍ଷରୁ ୧୫ ମାସ ଯାଏଁ ବୃଦ୍ଧି କରାଯାଇଛି । ଇଏକ୍ସଆଇଏମ୍ ବ୍ୟାଙ୍କ କୁ ୧୫୦୦୦ କୋଟି ଋଣ ଦିଆଯିବ । ମୋରାଟରିୟମ୍ ଉପରେ ଋଣ ପରିଶୋଧ ସମୟ ଆଉ ତିନି ମାସ ବଢ଼ାଇ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଦେଶରେ ନିବେଶ କମିଛି । ମାର୍ଚ୍ଚରେ ସିମେଣ୍ଟ ଉତ୍ପାଦନ ୧୯% କମିଛି । ଏହାସହ ଡାଲି ଦର ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । କରୋନା ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ମହଙ୍ଗା ଦର ନିୟନ୍ତ୍ରଣରେ ରହିବା ଆଶା ରହିଛି । ଅର୍ଥ ବ୍ୟବସ୍ଥା ମଜଭୁତ ପାଇଁ ପ୍ରୟାସ ଚାଲିଛି । ତାଲାବନ୍ଦ ପାଇଁ ଆବଶ୍ୟକତା ଓ ଉତ୍ପାଦନ କମିଛି ।