ବାଟ ଫିଟୁଛି: ବିନା ଭକ୍ତରେ ରଥଯାତ୍ରା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତି
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ପୁରୀରେ ବିନା ଭକ୍ତଙ୍କ ଉପସ୍ଥିତିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବାଟ ଫିଟୁଛି। ସୁପ୍ରିମ୍କୋର୍ଟଙ୍କ ପୂର୍ବ ରାୟରେ ପରିବର୍ତ୍ତନ ଆଣି ରଥଯାତ୍ରାକୁ କଟକଣା ସହ ପାଳନ କରିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମତ ଉପସ୍ଥାପନ କରାଯାଇଛି। ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାର ମାମଲାରେ ନିଜ ମତ ରଖି କହିଛନ୍ତି ଯେ, ରଥଯାତ୍ରା ବିନା ଭକ୍ତରେ କରାଯିବା ଆବଶ୍ୟକ। ଏହାର ସିଧା ପ୍ରସାରଣ ହେବା ଉଚିତ। ଯେହେତୁ ପରମ୍ପରା ଅନୁସାରେ ଯଦି ଠାକୁର ରଥଯାତ୍ରାରେ ନ ଆସନ୍ତି ତେବେ ୧୨ ବର୍ଷ ପ୍ରଥା ବନ୍ଦ ହେବା ଆଶଙ୍କା ରହିଛି, ଏଣୁ ଏଥିଲାଗି ଅନୁମତି ମିଳିବା ଆବଶ୍ୟକ। ହେଲେ କୋଭିଡ୍ ନିର୍ଦେଶାବଳୀର ସମସ୍ତ ନିୟମାବଳୀ ପାଳନ ପାଇଁ ନିର୍ଦେଶ ରଖିବାକୁ ସେ ଅନୁରୋଧ କରିଛନ୍ତି।
ରାଜ୍ୟ ସରକାର ମଧ୍ୟ ଗଜପତି ମହାରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଅଧ୍ୟକ୍ଷ ଦିବ୍ୟସିଂହ ଦେବଙ୍କ ଚିଠିକୁ ଆଧାର କରି କେବଳ ପୁରୀରେ ଭକ୍ତ ବିହୁନ ରଥଯାତ୍ରା କରାଇବାକୁ ଅନୁରୋଧ କରିଛନ୍ତି। ଏନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି।
ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହାର ଶୁଣାଣି କରୁଛନ୍ତି। ସନ୍ଧ୍ୟାରେ ଏହାର ଆବଶ୍ୟକ ନିର୍ଦେଶାବଳୀ ଆସିବା ସମ୍ଭାବନା ରହିଛି।