କାଳିଆ ଦଗା ଦିଆ ନା ଦଗା ଖିଆ ?

କାଳିଆ ନାଁରେ ରାଜନୀତି, କାଳିଆ ନାଁରେ ଭୋଟ୍, କାଳିଆ ନାଁରେ ବେପାର, ପୁଣି କାଳିଆର ପରିଚୟ ନେଇ ସାରା ବିଶ୍ୱରେ ପ୍ରଶଂସା ଗୋଟାଇବାର ପ୍ରୟାସ । କଣ ନଦେଇଛି କାଳିଆ । ହେଲେ ପ୍ରତିବଦଳରେ ସେ ପାଉଛି କଣ ? ସତରେ କାଳିଆ ଦଗା ଦିଆ ନା ଦଗା ଖିଆ ?

 ମହାମାରୀ କରୋନା ଦାଉରେ ସାରା ବିଶ୍ୱ ଥରହର । ଆଉ ସେହି କରୋନାର ପ୍ରଭାବ ପଡ଼ିଲା ଜଗତର ନାଥ ଜଗନ୍ନାଥଙ୍କ ଉପରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ… “ଯଦି ଏଥର ରଥଯାତ୍ରା ପାଇଁ ଅନୁମତି ଦିଆଯାଏ, ତେବେ ମହାପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ” । ଆଉ ତା ପରେ ତୁରନ୍ତ ବୈଠକ ଡକାଇ ରାଜ୍ୟ ସରକାର ଘୋଷଣା କଲେ ଯେ, ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶର ପାଳନ କରାଯିବ । ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ । କିନ୍ତୁ ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁଭଳି ଭୂମିକା ନିର୍ବାହ କଲେ, ତାର ସମୀକ୍ଷା କରାଯିବା ନିହାତି ଜରୁରୀ ।

ଏବର୍ଷ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ପ୍ରଥମରୁ ଦ୍ୱନ୍ଦ୍ୱ ଦେଖାଦେଲା । ବିଭିନ୍ନ ମହଲରୁ ପ୍ରଶ୍ନ ପରେ ବହୁ ବିଳମ୍ବରେ ରଥ ନିର୍ମାଣ ପାଇଁ ସରକାର ଅନୁମତି ଦେଲେ । ତଥାପି କାଳିଆର କୃପା… ରଥଖଳାରେ ଠିକ୍ ସମୟରେ ମହାରଣା ସେବକମାନେ ରଥ ଛିଡ଼ା କରିଦେଇଛନ୍ତି । କିନ୍ତୁ ରଥଯାତ୍ରାକୁ ନେଇ ପ୍ରଥମରୁ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ଉଠି ନଥିଲା । ଜୁନ୍ 30 ତାରିଖ ଯାଏଁ ଧର୍ମୀୟ ଅନୁଷ୍ଠାନରେ କରୋନା କଟକଣା ଜାରି ରହିଥିବାରୁ “ସୁରେନ୍ଦ୍ର ପାଣିଗ୍ରାହୀ ବନାମ ଓଡ଼ିଶା ସରକାର ଏବଂ ଅନ୍ୟମାନେ” ମାମଲାର ଶୁଣାଣି କରି ହାଇକୋର୍ଟ, ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦେଲେ । ରଥଯାତ୍ରା ସପକ୍ଷରେ ଆବେଦନ କରିଥିବା ସୁରେନ୍ଦ୍ର ପାଣିଗ୍ରାହୀଙ୍କ ମେସିନ୍ ଏବଂ ହାତୀ ବ୍ୟବହାର ବିକଳ୍ପ ଉପରେ ଅନୁଧ୍ୟାନ କରି ନିଷ୍ପତ୍ତି ନେବା ରାଜ୍ୟ ସରକାରଙ୍କର ବୋଲି କହିଲେ ହାଇକୋର୍ଟ । କିନ୍ତୁ ରାଜ୍ୟ ସରକାର ସ୍ୱୟଂ ନିଷ୍ପତ୍ତି ନେବାକୁ ସତ୍ ସାହସ ଜୁଟାଇ ପାରିଲେନି । ଶେଷରେ ଓଡ଼ିଶା ବିକାଶ ପରିଷଦ ନାମକ ଏକ ସଂସ୍ଥା ରଥଯାତ୍ରା ବନ୍ଦ ଦାବିରେ ସୁପ୍ରିମକୋର୍ଟ ଗଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା, ରାଜ୍ୟ ସରକାରଙ୍କ ପକ୍ଷରୁ ହରୀଶ ସାଲଭେ ଏବଂ ଆବେଦନକାରୀ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମୁକୁଲ ରୋହତଗୀ ଶୁଣାଣି ବେଳେ ଉପସ୍ଥିତ ଥିଲେ । ନାମୀ-ଦାମୀ ଆଇନଜୀବୀଙ୍କୁ ନେଇ ହେଲା ମାମଲାର ଶୁଣାଣି । କିନ୍ତୁ ଶୁଣାଣି ବେଳେ କାହାର ଭୂମିକା କଣ ଥିଲା, କାହାକୁ ଅଛପା ନାହିଁ । ପ୍ରଥା-ପରମ୍ପରା ରକ୍ଷା ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ଉପସ୍ଥାପନ ପରିବର୍ତ୍ତେ, ଆବେଦନକାରୀ ଓକିଲଙ୍କ ରଥଯାତ୍ରା ବନ୍ଦ ଯୁକ୍ତିକୁ ଏକ ପ୍ରକାର ନିରବ ସମର୍ଥନ ଜଣାଇଲେ ରାଜ୍ୟ ସରକାରଙ୍କ ଓକିଲ । ଆଉ ରାୟ ଆସିଲା, କରୋନା ପାଇଁ ଏବର୍ଷର ରଥଯାତ୍ରା ବନ୍ଦ ।

କରୋନା ପାଇଁ ହଜ୍, ଅଲିମ୍ପିକ୍ ଏବଂ ଆଇପିଏଲ୍ ବନ୍ଦ ହୋଇଛି । ତେଣୁ ପରିବେଶ ଓ ପରିସ୍ଥିତିକୁ ଅନୁଧ୍ୟାନ କରି ରଥଯାତ୍ରା କରିବା କିମ୍ବା ନକରିବା, ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଇଚ୍ଛାଧୀନ ନିଷ୍ପତ୍ତି । ଏଥିରେ କାହାର କିଛି କହିବାର ନାହିଁ । କିନ୍ତୁ ସୁପ୍ରିମକୋର୍ଟ ସେଥିରେ ଲଗାଇଲେ ରୋକ୍ । ଏଠି ପ୍ରଶ୍ନ ଉଠୁଛି, କରୋନା ବେଳେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବା ନିର୍ଦ୍ଦେଶର ଅବଜ୍ଞା କେଉଁଠି କେବେ ହୋଇଛି କି ? ବିନା ଭକ୍ତଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । କିନ୍ତୁ ମେ 30 ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ପୁରୀରେ ହେଲା 5 ହଜାରରୁ ଅଧିକ ଲୋକଙ୍କ ସମାଗମ । କରୋନା ମହାମାରୀ ବେଳେ ଏତେ ଲୋକଙ୍କୁ ସେଠି କିଏ ଠୁଳ କରାଇ ଥିଲା ? ଏବେ କଣ ସେତିକି ସଂଖ୍ୟକ ଲୋକଙ୍କୁ ନେଇ ରଥଯାତ୍ରାର ପ୍ରଥା-ପରମ୍ପରାକୁ ରକ୍ଷା କରାଯାଇ ପାରି ନଥାନ୍ତା । ରଥ ଉପରେ ଠାକୁରଙ୍କ ସେବା ପାଇଁ ଜଣେ ମାତ୍ର ସେବାୟତଙ୍କୁ ଅନୁମତି ଦେଇ ଅନ୍ୟ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଦ୍ୱାରା ସାମାଜିକ ଦୂରତା ରକ୍ଷା କରି ରଥକୁ ଟଣାଯାଇ ପାରି ନଥାନ୍ତା ? ଏଥି ପାଇଁ ଯଦି ପୁରୀ ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିବା ସହ ସାରା ରାଜ୍ୟରେ ଲକ୍ ଡାଉନ୍ କଟକଣାକୁ ପୁଣି କିଛି ଦିନ ପାଇଁ କଡ଼ାକଡ଼ି କରାଯାଇଥାନ୍ତା, ତେବେ ଅସୁବିଧା କଣ ହୋଇଥାନ୍ତା ? ଦୂରଦର୍ଶନ ମାଧ୍ୟମରେ ରଥଯାତ୍ରାର ପ୍ରସାରଣ କରାଯାଇଥିଲେ, ଲୋକେ ଘରେ ବସି ମହାଭାରତ, ରାମାୟଣ ଭଳି ଦେଖିପାରିଥାନ୍ତେ। କିନ୍ତୁ ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଭଳି କିଛି ବିକଳ୍ପ ଯୁକ୍ତି ଉପସ୍ଥାପନ କରାଯାଇ ନାହିଁ ।

କରୋନା, ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟାର କଥା । ତେଣୁ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯେ କୌଣସି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । ରଥଯାତ୍ରା କରିବେ କି ନାହିଁ… ରାଜ୍ୟ ସରକାର ଚାହିଁଥିଲେ, ନିଜେ ଏହା ଉପରେ ସୁପ୍ରିମକୋର୍ଟଙ୍କ ମତାମତ ନେଇପାରିଥାନ୍ତେ । କିନ୍ତୁ ରାଜ୍ୟ ସରକାର ତାହା କରି ନଥିବା ବେଳେ ଓଡ଼ିଶା ବିକାଶ ପରିଷଦ, ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା, କିଛିଟା ସନ୍ଦେହ ସୃଷ୍ଟି କରୁଛି । ଏଠି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ଏବଂ ଓଡ଼ିଶାବାସୀଙ୍କୁ ସାମ୍ନା କରିବାକୁ ସତ୍ ସାହସର ଅଭାବ ହିଁ ସନ୍ଦେହକୁ ଅଧିକ ଘନୀଭୂତ କରୁଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗନ୍ନାଥ ପ୍ରେମୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସତ, କିନ୍ତୁ କେହି ଜଣେ ବି ସର୍ବୋଚ୍ଚ କୋର୍ଟଙ୍କ ରାୟକୁ କେହି ଅବଜ୍ଞା କରୁନାହାନ୍ତି । କେବଳ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏଇ ଯେମିତି ରଥଖଳାରେ ରଥ ନିର୍ମାଣ ଚାଲିଥିଲେ ମଧ୍ୟ, ଭୁବନେଶ୍ୱର କିମ୍ବା ପୁରୀ କେଉଁଠି ବି ହୋଇନି ରଥଯାତ୍ରା ସମୀକ୍ଷା ବୈଠକ । ତେଣୁ ରାଜ୍ୟ ସରକାରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ପୁଣି ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ କହି ସାରିଥିଲେ ମଧ୍ୟ ରଥରେ ରଙ୍ଗ ଦେବାଭଳି ଶେଷ ସ୍ପର୍ଶ ଦିଆଚାଲିଛି । ସେପଟେ ସୋମବାର ସୁପ୍ରିମକୋର୍ଟରେ ହେବାକୁ ଥିବା ରିଭ୍ୟୁ ପିଟିସନର ଶୁଣାଣି ଉପରେ ରହିଛି ସମସ୍ତଙ୍କ ନଜର । ତେଣୁ ସସପେନ୍ସ ଉପରୁ ପରଦା ଯେ, ସମ୍ପୂର୍ଣ୍ଣ ଉଠିଛି, ତାହା କହିବା ମୁସ୍କିଲ୍ ।

ଶ୍ରୀକ୍ଷେତ୍ରରେ ସଂସ୍କାରମୂଳ କାର୍ଯ୍ୟ ହେଉ ବା ସୌନ୍ଦର୍ଯ୍ୟକରଣ… ଏସବୁ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ପ୍ରଶଂସନୀୟ । ଜଗନ୍ନାଥ ପ୍ରେମୀ ତାହାର ପ୍ରଶଂସା କରୁଛନ୍ତି ସତ, କିନ୍ତୁ ଜଗନ୍ନାଥଙ୍କୁ ନେଇ ରାଜନୀତି କିମ୍ବା ଜଗନ୍ନାଥଙ୍କ ସହ କପଟ ସେମାନେ କେବେ ବି ବରଦାସ୍ତ କରିବେ ନାହିଁ ।

କାଳିଆକୁ ନେଇ ଅତୀତରେ ସୃଷ୍ଟି ହୋଇଥିବା ବିବାଦ ଏବେ ବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଦାରୁ ଚୟନ ଦୁର୍ନୀତି, ବ୍ରହ୍ମ ଚୋରି ଏବଂ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଏବେ ବି ଲୋକ ମନେ ରଖିଛନ୍ତି । ସରକାର ଜାଣି ରଖିବା ଉଚିତ, କେହି ଜଣେ ବି କାଳିଆ ଭକ୍ତ ଏନେଇ ତାଙ୍କୁ କ୍ଲିନ୍ ଚିଟ୍ ଦେଇନାହାନ୍ତି । ଜଗତର ନାଥ ଜଗନ୍ନାଥ… ଓଡ଼ିଶାର ଗୌରବ, ଓଡ଼ିଶାର ପରିଚୟ । କିନ୍ତୁ ଓଡ଼ିଆଙ୍କ କାନ୍ଧରେ ବନ୍ଧୁକ ରଖି ଯଦି କେହି ସେମାନଙ୍କ ଆରାଧ୍ୟ ଦେବତାଙ୍କ ବିରୋଧରେ କଳାପାହାଡ଼ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଚେଷ୍ଟା କରୁଥାନ୍ତି, ତେବେ ତାହା ମହଙ୍ଗା ପଡ଼ିପାରେ ।

Leave a Reply

Your email address will not be published.