ପ୍ରସ୍ତୁତି ପଥେ ରଥ: ରଙ୍ଗ ଦେଉଛନ୍ତି ଚିତ୍ରକାର

ପୁରୀ, (ଓଡ଼ିଶା ଟାଇମ୍‌):  ଏବର୍ଷର ରଥଯାତ୍ରା ଏକ ଭିନ୍ନ ଆକର୍ଷଣ ବହନ କରିବାକୁ ଯାଉଛି। ଏହା ଆଜି ଯାଏ ଆୟୋଜିତ ସମସ୍ତ ରଥଯାତ୍ରାଠାରୁ ସ୍ଵତନ୍ତ୍ର ହେବ। ବିନା ଭକ୍ତରେ ଶ୍ରୀମନ୍ଦିରରୁ ଶ୍ରୀଜିଉମାନେ ପ୍ରତିଶ୍ରୁତି  ଓ ପରମ୍ପରା ଅନୁସାରେ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବେ। ଏହା ଏକ ବିଶାଳ ଆହ୍ବାନ। ଆଉ ଏହି ଆହ୍ବାନକୁ ମୁକାବିଲା କରିବା ଲାଗି ରଥଖଳାର ମହାରଣା ସେବକଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଓ ରଥଯାତ୍ରା ସହ ଜଡ଼ିତ ସମସ୍ତ ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇଛନ୍ତି। ଏହିକ୍ରମରେ ରଥ ନିର୍ମାଣ କାର୍ଯ୍ୟ ମଧ୍‌ୟ ବିଧା ଅନୁସାରେ ଠିକଣା ସମୟରେ ଆଗକୁ ବଢ଼ୁଥିବା ସୂଚନା ମିଳିଛି।

ରଥଖଳାରେ ଚିତ୍ରକାର ମାନଙ୍କ ରଙ୍ଗତୂଳୀରେ ରଥରେ ଖୋଦେଇ ହୋଇଥିବା ବିଭିନ୍ନ ପାର୍ଶ୍ବ ଦେବଦେବୀଙ୍କ ମୂର୍ତ୍ତି ଓ ବିଭିନ୍ନ ଆଙ୍କରିକ ଖୋଦେଇସବୁ ସ୍ପଷ୍ଟ ରୂପ ନେବାରେ ଲାଗିଛି। ମଙ୍ଗଳବାର ଦିନ ଚାରପରିଛା ପାଡ଼ିଆ ସରିଛି। ରୂପକାର ସେବକମାନେ ଏବେ ଚାରପରଛା ଏବଂ ନାଟଗୋଜରେ ରାହୁଚାପ ଏବଂ ଚାନ୍ଦିଲତା ଖୋଦେଇ କରୁଛନ୍ତି। ଖୋଦେଇ କାମ ସରିଥିବା ନାଟ ଗୋଜ ଗୁଡିକୁ ରଙ୍ଗ କରାଯିବା ପାଇଁ ଚିତ୍ରକର ସେବକମାନଙ୍କ ପାଖକୁ ପଠାଇ ଦିଆଯାଉଛି। ଆଉ ଚିତ୍ରକରମାନେ ସେମାନଙ୍କ ରଙ୍ଗତୂଳୀର ସ୍ପର୍ଶ ସେଥିରେ ଦେଉଛନ୍ତି। ଏହି ଚାରପରିଛା ଉପରେ କତରା ବାଡିଆ ହୋଇ ଏଥିରେ ରଥର ଘୋଡା ବନ୍ଧାଯିବ ।

ରଥଖଳାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ତିନିରଥରେ ନାହାକା ବାନ୍ଧେଣୀ ପାଇଁ ତଳ କଇଁଚି ରଥର ଦକ୍ଷିଣ ପାର୍ଶ୍ବରେ ସ୍ଥାପନ କରାଯାଇଥିଲା । ବାମପାର୍ଶ୍ବ କଇଁଚି ରଥକାମ ବନ୍ଦ ପୂର୍ବରୁ ଲଗାଯାଇଛି । ଆଜି ତିନି ରଥର ବଡଧରା ପୋଟଳ ଲଗାଯାଇଛି । ଏହାପରେ ତିନି ରଥର ମୂଳ ଭୂଇଁରେ କଇଁଚି ବାଡିଆ ସହ ଅଗ ଭୂଇଁରେ କଇଁଚି ବାଡିଆ କାମ ଚାଲିଛି । ଆଜି ତିନି ରଥର ୪ଟି ଲେଖାଁଏ କତରା ଆଗଆଣି-୨ଟି ଏବଂ ପଛଆଣି ୨ଟି ତିଆରି ଚାଲିଛି ।

Leave a Reply

Your email address will not be published.