ଶ୍ରୀଜୀଉଙ୍କ ଘୋଷଯାତ୍ରା, କଡ଼ା କଟକଣା ଭିତରେ ପୁରୀ ସହର

ପୁରୀ, (ଓଡିଶା ଟାଇମ୍) : ଆଜିଠୁ ମହାପ୍ରଭୁଙ୍କ ୯ ଦିନିଆ ଘୋଷଯାତ୍ରା । ବିନା ଭକ୍ତରେ କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ପୁରୀ ସହରରେ ୪୧ଘଣ୍ଟିଆ କର୍ଫ୍ୟୁ ଜାରି କରାଯାଇଛି । ସୋମବାର ରାତି ୯ଟାରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ୪୧ ଘଣ୍ଟା ପାଇଁ ସହରରେ କର୍ଫ୍ୟୁ ବଳବତ୍ତର ରହିବ ।

ରଥଯାତ୍ରା ପାଇଁ ପୁରୀ ସହରର ସମସ୍ତ ଗଳିକନ୍ଦି ସହିତ ପ୍ରବେଶ ପଥକୁ ସିଲ୍‌ କରି ଦିଆଯାଇଛି । ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ, ପୁରୀ-ବ୍ରହ୍ମଗିରି ରାସ୍ତାକୁ ସିଲ୍‌ କରି ରାତିରୁ ପୋଲିସ୍ ମୁତୟନ କରାଯାଇଛି ।

ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ପଦକ୍ଷେପ ନିଆଯାଇଛି । ଦୀର୍ଘ ୩ ମାସ ଧରି ମହାପ୍ରଭୁଙ୍କ ଦର୍ଶନ ନପାଇ ଭକ୍ତମାନେ ଭାବ ବିହ୍ୱଳ ହୋଇ ରହିଛନ୍ତି ।

ସୋମବାର ବଡ଼ଦାଣ୍ଡରୁ ଅପରାହ୍‌ଣ ୪ଟା ସୁଦ୍ଧା ସମସ୍ତ ଉଠାଦୋକାନ ହଟାଇ ଖାଲି କରାଯାଇଛି । ଗଳିକନ୍ଦି ଓ ବଡ଼ଦାଣ୍ଡରେ ପିସିଆର୍‌ ଭ୍ୟାନ ସାଇରନ୍‌ ଦେଇ ବୁଲିବା ସହ ଘରୁ ନ ବାହାରିବାକୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି । ଯଦି କେହି କଟକଣା ନମାନି ଘରୁ ବାହାରିଲେ ତାହାଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ରହିଛି । କୌଣସି ଲୋକ ଯେପରି ବଡ଼ଦାଣ୍ଡକୁ ପ୍ରବେଶ କରିପାରିବେ ନାହିଁ ସେଥିପ୍ରତି ମଧ୍ୟ କଡ଼ା ନଜର ରଖାଯିବ ।

ବଡ଼ଦାଣ୍ଡକୁ ଲାଗିଥିବା ରାସ୍ତାକୁ ପୋଲିସ୍ ସିଲ୍‌ କରି ଜଗି ରହିଛି । ଏପରିକି ଭକ୍ତ ଛାତ ଉପରେ ମଧ୍ୟ ରଥଟଣା ଦେଖିପାରିବେ ନାହିଁ । ବିନା ପାସ୍‌ରେ କାହାରିକୁ ବାହାରେ ଚଳପ୍ରଚଳ କିମ୍ବା ବଡ଼ଦାଣ୍ଡକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

Leave a Reply

Your email address will not be published. Required fields are marked *