ଚଳଚଞ୍ଚଳ ରଥଖଳା, ସରିଲା ୨୬ ଚକ ଓ ୨୧ ଅଖ କାମ

ପୁରୀ, (ଓଡିଶା ଟାଇମ୍): ଚକ-ଅଖ ଡ଼େରା ପରେ ଏବେ ରଥର ଉପରିଭାଗ କାମ ଉପରେ ନଜର । ଦ୍ରୁତ ଗତିରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶୁକ୍ରବାର ରଥତ୍ରୟର ୨୬ ଚକ ଓ ୨୧ ଅଖ କାମ ଶେଷ ହୋଇଛି । ରଥ ଉପରିଭାଗର କାମ ଆରମ୍ଭ ହୋଇଯାଇଛି । ରଥର ଓରା ଓ ଖମ୍ବୀ କାର୍ଯ୍ୟ ଚାଲିଛି । ରଥରେ ଲାଗିବ ୪ଟି ଲେଖାଁଏ ଓରା ଓ ୮ଟି ଲେଖାଁଏ ଖମ୍ବୀ । ଏହା ରଥ ଭୂଇଁ ନିର୍ମାଣରେ ଲାଗିବ ।

ଭଉଁରୀରେ ୩ରଥର ୬ଟି ଚକରେ ୩ଟି ଅଖ ସଂଯୁକ୍ତ ହୋଇଥିଲା । ଶୁକ୍ରବାର ପୁଣି ୫ଟି ଚକ କାର୍ଯ୍ୟ ସରିଲା । ତାଳଧ୍ୱଜର ୮ଟି ଚକ ଓ ୭ଟି ଅଖ, ଦେବଦଳନର ୮ଟି ଚକ ଓ ୬ଟି ଅଖ ଏବଂ ନନ୍ଦିଘୋଷର ୧୦ଟି ଚକ ଓ ୮ ଅଖର କାମ ସରିଛି । ବାକି ୧୬ ଚକ ନିର୍ମାଣ ଶେଷ ହେବା ଉପରେ । ଭୋଇ ସେବକମାନେ ଯନ୍ତାଗାଡ଼ରେ ସିଙ୍ଗଡ଼ା (ଅର ସହିତ ତୁମ୍ବ ସଂଯୁକ୍ତ) ପ୍ରସ୍ତୁତ କରି ରଥଖଳାରେ ପହଞ୍ଚାଉଛନ୍ତି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବକମାନେ ବିଲେଇବାଡ଼ିଆ ମାଧ୍ୟମରେ ସିଙ୍ଗଡ଼ାରେ ପଇ ପିନ୍ଧାଇ ଚକ କାମ ସାରୁଛନ୍ତି । ନନ୍ଦିଘୋଷ ଚାଳିରେ ଆଜି କିଛି ସମୟ ପାଇଁ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଏସବୁ କିଛି ନୁହେଁ । କାମ ସମୟରେ ତାଗିଦ୍‌ କରିଥିବାର ମୁଖ୍ୟ ବିଶ୍ୱକର୍ମା କହିଛନ୍ତି ।

ଗୁଜ କାମ ମଧ୍ୟ ଶେଷ ପର୍ଯ୍ୟାୟରେ । ବିଶ୍ୱକର୍ମାମାନେ କାଠ କାଟି ଯୋଗାଇ ଦେବା ପରେ ରୂପକାରସେବକମାନେ ସେଥିରେ ସିଂହବିରାଳ ମୂର୍ତ୍ତି ଖୋଦେଇ କରୁଛନ୍ତି । ଆଗକୁ ସିଂହାସନ ମୁହାଁଟି ଓ ନାଟଗୋଡ଼ କାର୍ଯ୍ୟ ଆରମ୍ଭ ହେବବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

Leave a Reply

Your email address will not be published. Required fields are marked *