ବିଶିଷ୍ଟ ସ୍ଥପତି ଓ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) :ନିରବି ଗଲା ନିହାଣର ସ୍ଵର। ଅଧାରେ ରହିଗଲା ଦ୍ଵିତୀୟ କୋଣାର୍କର ପରିକଳ୍ପନା। ବିଶିଷ୍ଟ ସ୍ଥପତି, ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ କରୋନାରେ ପରଲୋକ ଘଟିଛି। ରବିବାର ଅପରାହ୍ନ ୩ଟା ୪୯ରେ ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଏ ନେଇ ଭୁବନେଶ୍ଵର ଏମ୍ସ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଗତ ୨୨ ତାରିଖରେ ଏମ୍ସରେ ସେ ଭର୍ତ୍ତି ହୋଇଥିଲେ।

୧୯୪୩ ମସିହା ମାର୍ଚ୍ଚ ୨୪ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାପାତ୍ର ପ୍ରସ୍ତର କାରୁକାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହା ପୂର୍ବରୁ ୧୯୬୪ରେ ସେ ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। ରଘୁନାଥଙ୍କ ବିୟୋଗ ରାଜ୍ୟ ତଥା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି।

୧୯୪୩ ମସିହା ମାର୍ଚ୍ଚ ୨୪ରେ ବିଶିଷ୍ଟ ସ୍ଥପତି ରଘୁରାନ ମହାପାତ୍ର ପୁରୀ ଜିଲ୍ଲାର ଶାସନ ପଡିଆ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଦ୍ଵିତୀୟ କୋଣାର୍କ ମନ୍ଦିରର ପରିକଳ୍ପନା କରିଥିବା ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କୁ ସ୍ଥପତି କ୍ଷେତ୍ରରେ ଅତୂଳନୀୟ ଯୋଗଦାନ ହେତୁ କେନ୍ଦ୍ର ସରକାର କଳା କ୍ଷେତ୍ର ପାଇଁ ତାଙ୍କୁ ରାଜ୍ୟସଭାକୁ ୨୦୧୮ ଜୁଲାଇ ୧୪ରେ ମନୋନୀତ କରିଥିଲେ। ଏପରିକି ୨୦୦୦ ମସିହାରେ ଭାରତୀୟ ସାଂସ୍କୃତିକ ପରିଷଦର ସଦସ୍ୟ ଭାବେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଦ୍ଵାରା ସେ ମନୋନୀତ ହୋଇଥିଲେ।

Leave a Reply

Your email address will not be published. Required fields are marked *