ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ନଳିନୀଙ୍କ ଆତ୍ମହତ୍ୟା ଉଦ୍ୟମ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ନଳିନୀ ଶ୍ରୀହରଣ ଗତକାଲି ବିଳମ୍ବିତ ରାତିରେ ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି ।
ଏନେଇ ତାଙ୍କ ଓକିଲ ପୁଗଲେନ୍ତି ସୂଚନା ଦେଇଥିବା ନେଇ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆନ୍ ଏକ୍ସପ୍ରେସ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ନଳିନୀ ବର୍ତ୍ତମାନ ଭେଲ୍ଲୋର ଜେଲରେ ଅଛନ୍ତି । ଯେଉଁଠାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନଳିନୀ ଗତ ୨୯ ବର୍ଷ ଧରି ଜେଲ ଭିତରେ ଦିନ କାଟୁଥିବା ବେଳେ ପ୍ରଥମ ଥର ଲାଗି ଏଭଳି ପଦକ୍ଷେପ ଉଠାଇଛନ୍ତି । ଜେଲ୍ ଭିତରେ ତାଙ୍କର କୌଣସି ଅନ୍ତେବାସୀଙ୍କ ସହ ଝଗଡା ହୋଇଥିଲା, ଯେଉଁଥିପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଥାଇ ପାରନ୍ତି ।
ସୂଚନାଯୋଗ୍ୟ, ୧୯୯୧ ମସିହାରେ ଏକ ନର୍ବାଚନୀ ର୍ୟାଲି ବେଳେ ତାମିଲନାଡୁର ଶ୍ରୀପେରୁମ୍ବୁଦର ନିକଟରେ ରାଜୀବ ଗାନ୍ଧୀଙ୍କ ହତ୍ୟା କରାଯାଇଥିଲା ।
ଯେଉଁଥିରେ ଲିଟେ, ବେବି ସୁବ୍ରମଣ୍ୟମ, ମୁଥୁରାଜା, ମୁରଗନ ଓ ଶିବରାସନ୍ ପ୍ରମୁଖ ସାମିଲ ଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ବେଳେ ପରେ ତାଙ୍କୁ ଆଜୀବନ କାରାଦଣ୍ଡରେ ବଦଳାଇ ଦିଆଯାଇଥିଲା ।
ସେହି ଅଭିଯୁକ୍ତଙ୍କ ମଧ୍ୟରେ ନଳିନୀର ସ୍ୱାମୀ ମୁରଗନ୍ ମଧ୍ୟ ସାମିଲ ରହିଥିଲା । ଏବେ ମୁରଗନ ଭେଲ୍ଲୋରର କେନ୍ଦ୍ରୀୟ ଜେଲରେ ସଜା କାଟୁଛନ୍ତି ।