ଅଗଷ୍ଟ ୧୪ରେ ରାଜସ୍ଥାନ ବିଧାନସଭା ଅଧିବେଶନ

ଜୟପୁର, (ଓଡିଶା ଟାଇମ୍‌): ବହୁ ବାଦ ବିବାଦ ପରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିଧାନସଭା ଅଧିବେଶନ ଡକାଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ରାଜ ଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ରାଜସ୍ଥାନ ବିଧାନସଭା ଅଧିବେସନ ସମୟରେ କୋଭିଡ-୧୯ର ସମସ୍ତ କଟକଣା ତଥା ଏସମ୍ପର୍କିତ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ମାନିବା ଲାଗି ରାଜ୍ୟପାଳ କଲରାଜ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।

ପାଖାପାଖି ଦୁଇ ସପ୍ତାହ ହେବ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡକାଇବା ଲାଗି ଦାବି କରି ଆସୁଥିଲେ । ହେଲେ ରାଜ୍ୟପାଳ ତାଙ୍କୁ ବାରମ୍ବାର ମନା କରୁଥିଲେ ।

ନିକଟରେ ସଚିନ ପାଇଲଟ୍ ଉପ-ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ ପରେ ରାଜସ୍ଥାନ ରାଜନୀତି ସରଗରମ ହୋଇ ଉଠିଥିଲା । ପରେ ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ପାଖରେ ବହୁମତ ଥିବା ନେଇ ବାରମ୍ବାର ଦାବି କରି ଆସୁଥିଲେ ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଗେହଲଟ କ୍ୟାବିନେଟ୍ ୪ର୍ଥ ଥର ଲାଗି ସଂଶୋଧିତ ପ୍ରସ୍ତାବ ପଠାଇବା ପରେ ଯାଇ ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ସ୍ୱିକୃତି ପ୍ରଦାନ କରିଛନ୍ତି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡକାଇବାକୁ କହୁଥିଲେ ମଧ୍ୟ ରାଜ୍ୟପାଳ ଅତି କମରେ ବିଧାୟକ ମାନଙ୍କୁ ୨୧ ଦିନର ନୋଟିସ୍ ପଠାଇବାକୁ ପରାମର୍ଶ ଦେଇଥିଲେ । ଏପରିକି ୨୧ ଦିନ ପରେ ଯାଇ ବିଧାନସଭା ଅଧିବେଶନ ଡାକଯାଇ ପାରିବ ବୋଲି ସେ କହିଥିଲେ ।

 

Leave a Reply

Your email address will not be published.