ହୋଟେଲରେ ରାଜସ୍ଥାନ ରାଜନୀତି
- ବରେନ୍ଦ୍ର କୃଷ୍ଣ ସାହୁ: ହୋଟେଲକୁ ଗଲାଣି ରାଜସ୍ଥାନ ରାଜନୀତି । ଯାହାକି, ଆମ ଦେଶରେ ଘୋଡ଼ା ବେପାର ରାଜନୀତିର ଶେଷ ପର୍ଯ୍ୟାୟ । ଅର୍ଥାତ୍, ରାଜସ୍ଥାନ ସରକାର ଭାଙ୍ଗିଯିବା ଏକ ପ୍ରକାର ଥୟ କହିଲେ ଭୁଲ୍ ହେବନି । ସଚିନ୍ ପାଇଲଟଙ୍କ ଅସନ୍ତୋଷ, କଂଗ୍ରେସ ପାଇଁ ରାଜସ୍ଥାନକୁ ଆଉ ଏକ ମଧ୍ୟପ୍ରଦେଶରେ ପରିଣତ କରିବାକୁ ଯାଉଛି । ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଦଳୀୟ ବିଧାୟକମାନଙ୍କୁ ବସ୍ ରେ ବସାଇ ହୋଟେଲକୁ ନେଇଛନ୍ତି । ହୋଟେଲ ରୁମର କବାଟ କିଳି, ଗେହଲଟ୍, ବିଧାୟକମାନଙ୍କୁ ସେଠାରେ ଜଗି ରହିଛନ୍ତି । ବିଧାୟକ ଦଳ ବୈଠକକୁ ସଚିନ୍ ପାଇଲଟ୍ ଆସି ନଥିଲେ ମଧ୍ୟ, କଂଗ୍ରେସ ତାଙ୍କ ପାଇଁ କବାଟ ମେଲେଇ ଅପେକ୍ଷା କରିଥିବା କହିଛନ୍ତି ଦଳର ବରିଷ୍ଠ ନେତା ରଣଦୀପ ସୁର୍ଜେୱାଲା । ସେପଟେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଓ ପ୍ରିୟଙ୍କା ପାଇଲଟଙ୍କୁ ବୁଝାଶୁଝାରେ ଲାଗିଛନ୍ତି । ତେବେ ରାହୁଲ ଗାନ୍ଧିଙ୍କୁ ପାଇଲଟ୍ ଭେଟିବାକୁ ମନା କରିଦେଇ ଥିବା ବେଳେ ତାଙ୍କ ସମର୍ଥକ ଗୋଷ୍ଠୀ, ଦଳକୁ ଦେଇଛି କଡ଼ା ମେସେଜ୍ । ଯଦି, ଗେହଲଟଙ୍କ ପାଖରେ ସଂଖ୍ୟା ଅଛି, ତେବେ ବିଧାୟକଙ୍କୁ ଧରି ରାଜ୍ୟପାଳଙ୍କ ପାଖକୁ ନଯାଇ କାହିଁକି ହୋଟେଲକୁ ଯାଇଛନ୍ତି ? ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଛ ବଗିଚା କିମ୍ବା ହୋଟେଲ ରୁମରେ ମୁଣ୍ଡ ଗଣତିର କିଛି ମାନେ ନଥିବା କହିଛି ପାଇଲଟ୍ ଗୋଷ୍ଠୀ ।
କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ବସିଥିଲା ବିଧାୟକ ଦଳ ବୈଠକ । ଯେଉଁଠି, ଅସନ୍ତୁଷ୍ଟ ଉପ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କୁ ଇଙ୍ଗିତ କରି ପ୍ରସ୍ତାବ ପାରିତ ହୋଇଛି । ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ମନ୍ତ୍ରୀ କିମ୍ବା ବିଧାୟକଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତାବରେ କୁହାଯାଇଛି । ବୈଠକ ସାରି ବସ୍ ଚଢ଼ିବା ପୂର୍ବରୁ ଏବଂ ହୋଟେଲରେ ପହଞ୍ଚିବା ପରେ ଯୋଡ଼ା ଆଙ୍ଗୁଠି ଟେକି ଗଣମାଧ୍ୟମକୁ ଫଟୋ ଏବଂ ଭିଜୁଆଲ୍ ଦେଇଛନ୍ତି ଗେହଲଟ୍ ଗୋଷ୍ଠୀ । ତେବେ ବୈଠକରେ କେତେ ଜଣ ବିଧାୟକ ଉପସ୍ଥିତ ଥିଲେ, ତାହା ନିର୍ଦ୍ଦିଷ୍ଟ ଭାବେ ଏଯାଏଁ କେହି ସ୍ପଷ୍ଟ କରୁନାହାନ୍ତି । ଗେହଲଟ୍ ଗୋଷ୍ଠୀ କହୁଛନ୍ତି, ଦଳର 107 ବିଧାୟକଙ୍କ ମଧ୍ୟରୁ 106 ଜଣ ଉପସ୍ଥିତ ଥିଲେ । ଅର୍ଥାତ୍ କେବଳ ସଚିନ୍ ପାଇଲଟ୍ ଅନୁପସ୍ଥିତ ଥିଲେ । ସମ୍ବାଦ ସରବରାହ ସଂସ୍ଥା ANI କହୁଛି, ବିଧାୟକ ଦଳ ବୈଠକରେ ପ୍ରାୟ 20 ଜଣ ଅନୁପସ୍ଥିତ ଥିଲେ । ସେ ଯାହା ବି ହେଉ, ଆମ ଦେଶରେ ଘୋଡ଼ା ବେପାର ରାଜନୀତିର ଶେଷ ପର୍ଯ୍ୟାୟ ସ୍ୱରୂପ, ହୋଟେଲରେ ରାଜସ୍ଥାନ ରାଜନୀତି ପହଞ୍ଚି ସାରିଥିବା ଧରିନେବାକୁ ପଡ଼ିବ ।
କଣ ସତରେ ପାଇଲଟ୍ କଂଗ୍ରେସ ଛାଡ଼ିବେ ? କଂଗ୍ରେସ ଛାଡ଼ି ସେ ଯିବେ କୁଆଡ଼େ ? ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ସେ କଣ ବିଜେପିରେ ମିଶିବେ ? ରାଜନୈତିକ ଚର୍ଚ୍ଚା ଓ ସମ୍ଭାବନା ସେମିତି କିଛି ଅନେକ ମାତ୍ରାରେ ସୂଚାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି, ପାଇଲଟଙ୍କର ବିଜେପିରେ ମିଶିବା ପ୍ରସଙ୍ଗକୁ ଏଡ଼ାଇ ଚାଲିଛି ତାଙ୍କ ଗୋଷ୍ଠୀ । ସେପଟେଧୂଳିଆ ଜନ୍ଦା ଭଳି ୱେଟ୍ ଆଣ୍ଡ୍ ୱାଚ୍ ମୋଡ୍ ରେ ଥିବା ବିଜେପି କେବଳ ଏତିକି କହୁଛି ଯେ, କଂଗ୍ରେସରେ ଯୁବ ଓ ଦକ୍ଷ ନେତା ସବୁବେଳେ ଉପେକ୍ଷିତ, ଅବହେଳିତ । ବିଜେପି, ସଚିନ୍ ପାଇଲଟଙ୍କୁ ସମର୍ଥନ ଦେବ କି ନାହିଁ ସଫା ସଫା କହୁ ନଥିଲେ ମଧ୍ୟ ଅପସନ୍ ମେଲେଇକି ରଖିଥିବା କହିଛନ୍ତି ଦଳର ରାଜ୍ୟ ସଭାପତି ସତୀଶ ପୁନିଆ ।
ରାଜସ୍ଥାନର ହଲଚଲ୍ ରାଜନୀତିକୁ ନେଇ ଗଣମାଧ୍ୟମରେ ଚାଲିଛି ଜୋରଦାର୍ ଚର୍ଚ୍ଚା । କଂଗ୍ରେସର ଶୀର୍ଷ ନେତୃତ୍ୱ, ବିଶେଷକରି ସୋନିଆ ଏବଂ ରାହୁଲଙ୍କ ପାଇଁ ସଚିନ୍ ପାଇଲଟଙ୍କ ଭଳି ଦକ୍ଷ ଯୁବନେତା ଦଳ ଛାଡୁଥିବା କୁହାଯାଉଛି । ତେବେ ଏସବୁ ଭିତରେ, ଦଳର କରେଣ୍ଟ ଆଫେୟାର୍, ହିଷ୍ଟ୍ରି ଏବଂ କ୍ରାଏସିସକୁ ନେଇ ରାହୁଲ ଗାନ୍ଧି ଆସନ୍ତାକାଲି(ମଙ୍ଗଳବାର), ଗଣମାଧ୍ୟମ ଉଦ୍ଦେଶ୍ୟରେ ଛାଡ଼ିବେ ତାଙ୍କ ଭିଡିଓ ମେସେଜ୍ ।
ପ୍ରତି ମାସରେ ‘ମନ୍ କୀ ବାତ୍’ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ଉଦବୋଧନ କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ କାଉଁଟର୍ କରିବାକୁ କଂଗ୍ରେସ, ମୂଳରୁ ଚେଷ୍ଟା ଚଳାଇଛି । ଗତବର୍ଷ ଅକ୍ଟୋବରରେ ଦଳ, ‘ଦେଶ୍ କୀ ବାତ୍’ ନାମକ ଏକ କାର୍ଯ୍ୟକ୍ରମ କରିବ ବୋଲି କୁହା ଯାଉଥିଲା । କିନ୍ତୁ ତାହା ସମ୍ଭବ ହୋଇପାରି ନଥିବା ବେଳେ ଏବେ ରାହୁଲ କହିବେ ‘ପାର୍ଟି କୀ ବାତ୍’ । ଦେଖାଯାଉ, ରାହୁଲଙ୍କ ‘କଂଗ୍ରେସ କୀ ବାତ୍’, ଗେହଲଟ୍-ପାଇଲଟ୍ ବିବାଦକୁ କେତେ ପ୍ରଶମିତ କରିପାରୁଛି !
