ପାରମ୍ପାରିକ ପର୍ବ ରଜ ପର୍ବ, କେତେଦିନ ପାଳନ କରାଯାଏ, ପହିଲି ରଜ ମହତ୍ତ୍ଵ…
ଆଜି ରଜର ପ୍ରଥମ ଦିନ। ସେଥିପାଇଁ ଗାଁରୁ ସହର ହୋଇ ଉଠିଛି ଚଳଚଞ୍ଚଳ ରଜ ଏପରି ଏକ ପର୍ବ ଯେଉଁ ପର୍ବକୁ ପ୍ରତିଟି ଓଡ଼ିଆ ପାଳନ କରିବା ଲାଗି ବର୍ଷ ଯାକ ଅପେକ୍ଷା କରିଥାନ୍ତି । ରଜ ନାଁ ଶୁଣିଲେ ପ୍ରତିଟି ଓଡ଼ିଆ ବିଦେଶରେ ଥିଲେ ବି ଟିକେ ସମୟ ପିଲାବେଳର ସେହି ସ୍ମୃତିକୁ ମନେ ପକାଇବାଲାଗି ନିଜକୁ ବାଧ୍ୟ କରିଥାଏ । କାରଣ ରଜ ହେଉଛି ପ୍ରତିଟି ଓଡ଼ିଆଙ୍କ ପର୍ବ । ସାଧାରଣତଃ ରଜକୁ ଏକ କୃଷିଭିତ୍ତିକ ପର୍ବ କୁହାଯାଇଥାଏ । ଏହାକୁ ତିନି ଦିନ ପାଳନ କରାଯାଇଥାଏ , ମାତ୍ର ଏହି ପର୍ବକୁ ପାଳନ କରିବା ଲାଗି ଗାଁ କହଳିରେ ମାସେ ଆଗରୁ କେତେ କଣ ପ୍ରସ୍ତୁତି ହୋଇଥାଏ । ଅନେକ ସ୍ଥାନରେ ଯେଉଁମାନେ ବାହାରେ ରହିଥାନ୍ତି ସେମାନେ ଏହି ସମୟରେ ଘରକୁ ଆସିଥାନ୍ତି । ରଜ ତିନି ଦିନ ଯାକ ଅନେକ ମଉଜ , ପିଠାପଣାଠୁ ଆରମ୍ଭ କରି ପୁଚିଖେଳ , ରଜ ଦୋଳି , ରଜ ପାନରେ ଗାଁ ଦାଣ୍ଡ ହସିଉଠିଥାଏ । ତିନି ଦିନ ମଧ୍ୟରେ ପ୍ରଥମ ଦିନ ହେଉଛି ପହିଲି ରଜ , ଦ୍ବିତୀୟ ରଜ ସଙ୍କ୍ରାନ୍ତି , ତୃତୀୟ ଦିନ ହେଉଛି ଭୂମି ଦହନ ଓ ତାପରଦିନ ହେଉଛି ବସୁମତି ସ୍ନାନ । ଝିଅ ମାନେ ଏହି ତିନିଦିନ ଯାକ କୌଣସି କାମ କରିନଥାନ୍ତି । ସହରଠାରୁ ଗାଁ ଏହି ରଜକୁ ଲୋକେ ଅଧୁକ ଯାକଜକମରେ ପାଳନ କରିଥାନ୍ତି ଗାଁର ଝିଅ , ବୋହୁଙ୍କଠୁ ଆରମ୍ଭ କରି ପୁରୁଷ ଓ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଢ଼ଙ୍ଗରେ ରଜକୁ ପାଳନ କରିଥାନ୍ତି । କାରଣ ବର୍ଷକୁ ଥରେ ରଜ ଆସିଛି । ଗାଁ ଦାଣ୍ଡରେ ତାସ , କବାଡିର ଆସର ଜମିଥାଏ । ସହରରେ ଗାଁର ମହକ ନଥିଲେ ଅନେକ ସ୍ଥାନରେ ଯେଉଁ ମାନେ ବାହାରେ ରହୁଛନ୍ତି ସେମାନେ ବି ଏହି ରଜପର୍ବକୁ ପାଳନ କରିଥାନ୍ତି।
କେବେ ଏବଂ କେମିତି ପାଳନ ହୁଏ ଏ ପର୍ବ ?
ଜୁନ୍ ୧୪ କୁ ପ୍ରଥମ ରଜ ବା ପହିଲି ରଜ କୁହାଯାଏ ଓ ଜୁନ୍ ୧୫ କୁ ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି କୁହାଯାଏ ଓ ଜୁନ୍ ୧୬ କୁ ବାସି ରଜ ବା ଭୁ ଦାହ କୁହାଯାଏ ଓ ଜୁନ୍ ୧୭ କୁ ଶେଷ ରଜ ବା ବସୁମତୀ ସ୍ନାନ କୁହାଯାଏ ଓ ଶେଷ ରଜ ଦିନ ପୃଥିବୀ ବା ବସୁମତୀ ମାତା ଭାବରେ ଶିଳପୁଆ କୁ ହଳଦୀ , ସିନ୍ଦୁର , ଚନ୍ଦନ , ପୁଷ୍ପ ଦେଇ ପୂଜା କରାଯାଏ ।
ରଜ ପର୍ବ ମାନେ କଣ ? ଏବଂ କଣ ଏହି ପର୍ବ ?
ଜ୍ୟଷ୍ଠ ମାସ ଶେଷ ଏବଂ ଆଷାଢ଼ ମାସର ଆରମ୍ଭ ଅର୍ଥାତ ରଜ ସଂକ୍ରାନ୍ତି ଦିନ ଜ୍ୟଷ୍ଠ ମାସ ଶେଷ ହେଇ ଆଷାଢ଼ ମାସ ଆରମ୍ଭ ହେଇଥାଏ ଓ ଏହା ଏକ ଗୁରୁତ୍ୱପୂର୍ଣ ଦିନ ଅଟେ ଓ ଶାସ୍ତ୍ର ଅନୁଯାଇ ପୃଥିବୀ ମା ର ଏହିଦିନ ରଜସ୍ୱଳା ହେଇଥାଏ ଓ ଅର୍ଥାତ ମାଟି ମା ଖରା ସହି ଶୁଷ୍କ ଥିବା ସମୟରେ ଆଷାଢ଼ ମାସର ପହିଲି ବର୍ଷାର କିରଣ ଭୂମିର ଉର୍ବରତା ବଢ଼ାଇଥାଏ ଏବଂ ଭୂମି ଚାଷୋପଯୋଗୀ ହେଇଥାଏ ।
ପୃଥିବୀ ମା ରଜସ୍ୱଳା ଥିବା ହେତୁ ସାଧାରଣତଃ ଝିଅ ମାନେ ଚପଲ ପିନ୍ଧି ନଚାଲି କଦଳୀ ପାଟୁଆ ପାଦରେ ବାନ୍ଧି ଚାଲନ୍ତି ଓ ଏହି ତିନିଦିନ କୁମାରୀ ଝିଅ ମାନଙ୍କୁ କୌଣସି କାର୍ୟ୍ୟ କରିବାକୁ ଦିଆଯାଏ ନାହିଁ ଓ ନାରୀ ଠୁ ସୃଷ୍ଟି ତିଆରି ହେଇଚି ଓ ତେଣୁ ନାରୀକୁ ସନମାନ ଦିଆଯାଇ ଏହି ପର୍ବରେ ଝିଅମାନଙ୍କୁ ଅଗ୍ରାଧିକାର ଦିଆଯାଇଥାଏ ଓ ଝିଅମାନେ ପୋଡପିଠା , ପାଟିରେ ପାନ ଚୋବାଇ ,, ପାଦରେ ଅଳତା ନାଇ ଦୋଳି ଖେଳିଥାନ୍ତି ଓ ଚାଷ କାର୍ୟ୍ୟ ଏହା ପରେ ଆରମ୍ଭ ହେଉଥିବାରୁ ଏହି ପର୍ବକୁ କୃଷିଭିତ୍ତିକ ପର୍ବ କୁହାଯାଏ।
ଶୁଦ୍ଧ ସ୍ନାନ ଦ୍ୱାରା ବସୁମତୀ ମା ପୁନଶ୍ଚ ପବିତ୍ରତା ପ୍ରାପ୍ତ ହେଇଥାନ୍ତି ଓ ଏ ପର୍ବ ର ମୁଖ୍ୟ ଆକର୍ଷଣ ହେଉଛି ପୋଡପିଠା ଓ ଘରେ ଘରେ ପୋଡପିଠା ସହିତ ବିଭିର୍ଣ୍ଣ ପ୍ରକାର ପିଠା ହେଇଥାଏ ଓ ପିଠା ସାଙ୍ଗକୁ ଦୋଳି ଖେଳ ଏବଂ ରଜ ପାନ ର ସ୍ୱାଦ ନିଆରା ଓ ଗାଁ ଆମ୍ବ ତୋଟା ହେଉ କିମ୍ବା ସ୍କୁଲ ହତା ହେଉ ,ଦୋଳିରେ ଗାଁ ଝିଅ ର ବଡ ପାଟିରେ ରଜ ଦୋଳିର ଗୀତ ଖୁବ ନିଆରା ଓ ଗାଁ ଗହଳିରେ ଝିଅ ମାନେ ଦୋଳି ଖେଳି ଗୀତ ଗାଉଥିବେ
“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ,ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥ରଜ ଦୋଳି କଟ କଟ,ମୋ ଭାଇ ମଥାରେ ସୁନା-ମୁକୁଟ,ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ।
ଏବେ ତ ସହରୀ ସଭ୍ୟତା ଧସେଇ ପଶିଆସିଲାଣି ଓଡିଶାକୁ ସେହି ଆଧୁନିକୀକରଣ ରେ ଧୀରେ ଧୀରେ ହଜିଯିବାକୁ ବସିଛି ଏହି ପର୍ବ ଓ ରଜ କହିଲେ ଆଜିର ଆଧୁନିକ ସହରୀ ଝିଅ ମାନେ ଆବାକାବା ହେଇ ଅନେଇରହୁଛନ୍ତି ! ସତେ ଯେପରି ପୂର୍ବରୁ ଏ ବିଷୟରେ ଶୁଣିନଥିଲେ ଓ ଏହା ଯେମିତି କୌଣସି ଏକ ଜଙ୍ଗଲୀ ଅଜଣା ଜନ୍ତୁ ବୋଧହୁଏ ! ଏବେ ସେ ସମୟ ଆସିଛି ଆମ ସଭ୍ୟତା ଯେତେ ଆଧୁନିକ ଆଡକୁ ଗତିକଲେ ମଧ୍ୟ ଆମେ ଆମ ସଂସ୍କୃତି ପରମ୍ପରା କୁ ଭୁଲି ନଯାଇ ଏହାକୁ ଉଜ୍ଜୀବିତ ରଖିବା ।
ରଜ ଦୋଳି ଖେଳ
ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ ।
ବସୁମତୀ ସ୍ନାନ
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ରଜସ୍ଵଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ । ବସୁମାତା ରଜସ୍ଵଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି ।
ଖାଲିପାଦରେ ଚାଲିବା ମନା
ମା’ପାଇଁ ସମସ୍ତ ଯତ୍ନ, ଶ୍ରଦ୍ଧା ଅଜାଡ଼ି ଦିଆଯିବା ପରି ରଜରେ ରଜସ୍ୱଳା ଧରିତ୍ରୀ ମା’ ପାଇଁ ସମସ୍ତ ସେବା, ଯତ୍ନ, ଶ୍ରଦ୍ଧାର ଲୋଡ଼ା ପଡେ଼ । କେତେ ପଦାଘାତ, କେତେ ଖନନ ଅବିରତ ସହୁଥିବା ଏ ଧରିତ୍ରୀ ମା’କୁ ଟିକିଏ ଆଶ୍ୱସ୍ତି ଦେବାର ପ୍ରୟାସ କରାଯାଇଥାଏ ରଜରେ । ଧରଣୀମାତାଙ୍କ ପ୍ରତି କୃତଜ୍ଞତା ସ୍ୱରୂ ଭୂମିକୁ ଆଘାତ ନଦେବା ପାଇଁ କୁମାରୀମାନେ ଖାଲି ପାଦରେ ଚାଲନ୍ତି ନାହିଁ, ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଧୀର ପଦପାତରେ ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।
ରଜ ପାନ
ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ’ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ’ଟି ଆନ୍ତରିକତା ଓ ନିବିଡ଼ତାର କଥା । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ । ଢ଼ଗରେ ଅଛି-
‘ପାନଖିଆ ରସିକ ପାଟି,ଖୋଜି ବୁଲୁଥିଲା ରାଜାଙ୍କ ହାତୀ,ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’ ।
ପିଠାପଣା
ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ; ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ ।
ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି।