ଚାରି ଦିନ ଯାଏଁ ଘଡଘଡି ଓ ବର୍ଷା, ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍):ଆଗାମୀ ୪ ଦିନ ଯାଏ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୨ ଜିଲ୍ଲାର ବହୁ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏଥିପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଗତ କିଛି ଦିନ ଧରି ରାଜ୍ୟରେ ଅସମ୍ଭାଳ ତାତି ଅନୁଭୂତ ହେଉଥିଲା । ପଶ୍ଚିମ ଓଡି଼ଶାରେ ବହୁଥିବା ତତଲା ହାୱାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିଲା ।
ଗୁରୁବାର ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ୫ ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଥିଲା । ପ୍ରଚଣ୍ଡ ତାତିରେ ଲୋକେ ଛଟପଟ ହେଉଥିଲେ । ଉପକୂଳରେ ତାତି କମ୍ ରହୁଥିଲେ ବି ଭୀଷଣ ଗୁଳୁଗୁଳି ନାକେଦମ୍ କରୁଥିଲା । ଶୁକ୍ରବାରଠୁ ଏଥିରୁ ମୁକ୍ତି ମିଳିଛି । ରାଜ୍ୟର ଅଧିକାଂଶ ଜିଲ୍ଲା ଥଣ୍ଡା ପଡ଼ିଛି । ଟିଟିଲାଗଡ଼ରେ ଦିନକରେ ତାପମାତ୍ରା ପ୍ରାୟ ୧୪ ଡିଗ୍ରୀ କମିଛି ।
ଗୁରୁବାର ଏଠାରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ଥିବାବେଳେ ଶୁକ୍ରବାର ଏହା ୩୧.୭ ଡିଗ୍ରୀକୁ ଖସି ଆସିଛି । ବଲାଙ୍ଗୀରରେ ମଧ୍ୟ ଦିନକରେ ତାପମାତ୍ରା ୮.୮ ଡିଗ୍ରୀ କମିଛି । ଶନିବାରଠାରୁ ତାପମାତ୍ରା ଆହୁରି କମିବ । କିଛି ସ୍ଥାନରେ ବର୍ଷା ହେବ । ରାଜ୍ୟର ୧୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାକାନ୍ତ ଦାଶ କହିଛନ୍ତି ।