“ରାହୁଲଙ୍କ ରଣନୀତି ଓ ରାଜ୍ୟ ରାଜନୀତି”
BHUBANESWAR: ଜୁଲାଇ ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିଲେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି । ରାଜ୍ୟରେ କଂଗ୍ରେସର ସ୍ଥିତି ଦୃଶ୍ୟମାନ ହେଉ ନଥିଲେ ବି, ରାହୁଲଙ୍କ ଭୁବନେଶ୍ବର ଜନସଭା, ରାଜ୍ୟରେ କଂଗ୍ରେସର ସ୍ଥିତି ନେଇ ଏକ ଖୁବ ବଡ଼ ସୂଚନା ଓ ସଙ୍କେତ ଦେଇଛି । ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସଭାଠାରୁ କିଛି କମ ଲୋକ ହୋଇ ନଥିଲେ ରାହୁଲଙ୍କ ଜନସଭାରେ… । ସେପଟେ ବିରୋଧୀ ଦଳ ନେତାଙ୍କ ଗସ୍ତକୁ ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବାକୁ ରାଜ୍ୟ ସରକାରଙ୍କ ଦାୟିତ୍ବ ଏବଂ ସହଯୋଗ କିଛି କମ ପ୍ରଶଂସନୀୟ ନୁହେଁ ।
() ବେଶ୍ ବହୁ ସମୟ ଧରି Inactive ଥିବା କଂଗ୍ରେସ ନେତାଏ, ରାହୁଲଙ୍କ ଗସ୍ତକୁ ନେଇ ଖୁବ ତତ୍ପର ଏବଂ ସକ୍ରିୟ ହୋଇ ଉଠିଥିଲେ । କେନ୍ଦ୍ରୀୟ ହାଇକମାଣ୍ଡଙ୍କ ସହ ଖାସ୍ ସମ୍ପର୍କ ରଖୁଥିବା ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବର ପ୍ରଥମ ଝଲକ ଦେଖିଲେ, କେନ୍ଦ୍ରୀୟ ନେତୃତ୍ବ । ରାହୁଲ ଓ ଖଡ଼ଗେ ଭାବୁଥିବେ, ସତରେ… ଓଡ଼ିଶାରେ କଂଗ୍ରେସର ହୃତଗୌରବ ଫେରାଇ ଆଣିବାକୁ ଭକ୍ତଙ୍କର ତାକତ ଅଛି ।…
() ସମସ୍ତଙ୍କୁ ଜଣା, ରାଜନେତା ଓ ମନ୍ତ୍ରୀଙ୍କ ରାଲି କିମ୍ବା ଜନସଭାକୁ ଲୋକେ ମାଗଣାରେ ଆସି ନଥାନ୍ତି । ଏମିତି ସବୁ ରାଜନୈତିକ ଦଳ କରନ୍ତି, ତେଣୁ ଏଠି କଂଗ୍ରେସର ଭୁବନେଶ୍ବର ଜନସଭାକୁ ନେଇ ବିଶେଷ ଗହିରୀ ଚାଷ କରିବାର କୌଣସି ଆବଶ୍ୟକତା ନାହିଁ । ଏମାନଙ୍କ ମଧ୍ୟରୁ ଅଧିକାଂଶ ରାହୁଲ ଗାନ୍ଧିଙ୍କୁ ହୁଏତ ଦେଖିବାକୁ ଆସିଥାଇପାରନ୍ତି । ତେଣୁ ଏବେ ଯଦି ନିର୍ବାଚନ ହୁଏ, ତେବେ କଂଗ୍ରେସ ଯେ, ଏହି ଭୁବନେଶ୍ବର ଜନସଭା ସାମ୍ପଲ୍ ଆଧାରରେ ଜନ ସମର୍ଥନ ପାଇବ, ତାହା ବି କହିବା ସମ୍ଭବ ହେଉନି ।
() ଏବେ ଆସନ୍ତୁ ଜାଣିବା ରାହୁଲ ଗାନ୍ଧିଙ୍କ ଭୁବନେଶ୍ବର ଜନସଭାର ଉଦ୍ଦେଶ୍ୟ କଣ ଥିଲା । କେନ୍ଦ୍ରର ବିଜେପି ସରକାର, ସମ୍ବିଧାନର ହତ୍ୟା କରୁଥିବା, କାହିଁ କେବେଠାରୁ କହି ଚାଲିଛି କଂଗ୍ରେସ । ଅଧିକାଂଶ ଦେଶବାସୀ ବି ତାହା ଅନୁଭବ କରୁଥିବେ ନିଶ୍ଚୟ । ରାହୁଲଙ୍କ ଜନସଭାର ନାଁ ‘ସମ୍ବିଧାନ ବଞ୍ଚାଅ ଅଭିଯାନ’ ହୋଇଥିବା ବେଳେ, ସେ ତାଙ୍କ ମନ୍ତବ୍ୟରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ । ଭୋଟର ତାଲିକାକୁ ନେଇ ବିହାରରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଚାଲିଥିବା Special Intensive Revisionକୁ ତୀବ୍ର ସମାଲୋଚନା କଲେ । ସମ୍ବିଧାନ ବିରୋଧୀ ବୋଲି କହିଲେ । ଯାହାର ଉତ୍ତର ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କଂଗ୍ରେସ ହିଁ ସମ୍ବିଧାନର ହତ୍ୟାକାରୀ ଏବଂ କଂଗ୍ରେସ ହିଁ ସମ୍ବିଧାନକୁ ନେଇ ରାଜନୀତି କରୁଥିବା କହିଛନ୍ତି ଆଇନ ମନ୍ତ୍ରୀ । ଏଠାରେ ଗୋଟେ କଥା ମନେ ପକାଇ ଦେବାକୁ ଚାହିଁବୁ ଯେ, ୨୦୨୪ ସାଧାରଣ ନିର୍ବାଚନ ବେଳେ ବିଜେପିର ଶୀର୍ଷ ନେତୃତ୍ବ ପ୍ରଥମେ, ୪ ଶହ ପାର୍ ନାରାର ସୁରୁୱାତ କରିବା ପରେ ଦଳର କିଛି ନେତାଏ କହିଲେ, ବିଜେପିକୁ ୪ ଶହରୁ ଅଧିକ ଆସନ ମିଳିଲେ, ସମ୍ବିଧାନ ବଦଳା ଯିବ ବୋଲି କହିଥିଲେ। ତେଣୁ ଏଠି ଦୁଇ ଦଳ ମଧ୍ୟରେ ସମ୍ବିଧାନକୁ ନେଇ କଣ ଚାଲିଛି ସାଧାରଣ ମଳିମୁଣ୍ଡିଆ ଲୋକଟେ ବା ବୁଝିବ କଣ ! ମଣିମୁଣ୍ଡିଆ ଲୋକମାନେ କିନ୍ତୁ ନିଶ୍ଚିତ ବୁଝିପାରୁଥିବେ । ତେଣୁ ଏ ପ୍ରସଙ୍ଗରେ ବିଶେଷ ତର୍ଜମା କରି କିଛି ଲାଭ ନାହିଁ ।
() ଏବେ ଆସନ୍ତୁ ଜାଣିବା, ରାଜ୍ୟର କି କି ପ୍ରସଙ୍ଗ ଉଠାଇଲେ ରାହୁଲ ଗାନ୍ଧି । ଗୁଣ୍ଡିଚାରେ ନନ୍ଦିଘୋଷ ରଥଟଣାରେ ବିଭ୍ରାଟକୁ, ତା ପରଦିନର ଗୌତମ ଅଦାନୀଙ୍କ ଗସ୍ତ ସହ ଯୋଡ଼ିଦେଲେ । ରାଜ୍ୟରେ ଆଦାନୀ ସରକାର ଚାଲୁଥିବା କହିଲେ । ମହିଳା ଅପହରଣ, ନିର୍ଯାତନା ଏବଂ ହତ୍ୟା କଥା ଉଠାଇଲେ । ଆଦିବାସୀଙ୍କ ଜଳ, ଜମି ଓ ଜଙ୍ଗଲ ଅଧିକାର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ନେଇଛନ୍ତି । ରାଜ୍ୟର ବିଜେପି ସରକାରକୁ ସମାଲୋଚନା କରିଛନ୍ତି ସତ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାଁ ନେଇ ନାହାନ୍ତି । ଏହା କଣ ସୂଚାଉଛି ? ରାହୁଲଙ୍କ ଏଭଳି ମନ୍ତବ୍ୟ… ଏହା ସୂଚାଉ ନାହିଁ କି, କଂଗ୍ରେସ ପ୍ରତି ଆଦିବାସୀଙ୍କର ଥିବା ସମର୍ଥନକୁ ସେ ହଲଚଲ୍ କରିବାକୁ ଚାହିଁ ନାହାନ୍ତି ! ବେଦାନ୍ତ ବିରୋଧରେ ନିୟମଗିରି ପାଇଁ ରାହୁଲଙ୍କ ନିୟମ ଏହାର ଉଦ୍ଦାହରଣ । …
() ସମ୍ବିଧାନ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କେବଳ କାଉଣ୍ଟର କରିଥିବା ବେଳେ ବିଜେପି ଅନ୍ୟ କୌଣସି ନେତା, ରାହୁଲଙ୍କ ଗସ୍ତକୁ To the point କାଉଣ୍ଟର କରିପାରି ନାହାଁନ୍ତି ।
() ଏବେ ଆସିବା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପଛର Pause Button ରାଜନୀତିକୁ । ରାଜ୍ୟର ବିଜେପି ସରକାର ବିରୋଧରେ ଆନ୍ଦୋଳନ ଚଳାଇଥିବା ଡ୍ରାଇଭର ମହାସଂଘ, ରାହୁଲଙ୍କ ଗସ୍ତ ପାଇଁ ଦିନଟିଏ Ceasefire କଲା । କୌନ୍ ସା ପାପା ନେ ୟହାଁ ୟୁଦ୍ଧ ରୁକୱା ଦିୟା ! ଛାଡ଼ନ୍ତୁ ସେ କଥା, ରାହୁଲଙ୍କ ଗସ୍ତ ଏବଂ ଡ୍ରାଇଭର ମହାସଂଘର Pause Button ରାଜ୍ୟବାସୀଙ୍କୁ କିଛିଟା ଆଶ୍ବସ୍ତି ଦେଇଛି । ବିଶ୍ବସ୍ତ ସୂତ୍ରର ସୂଚନା ଅନୁଯାୟୀ, ମହାସଂଘ କାଳେ 3 ଖଣ୍ଡ ହୋଇଯାଇଛି ! ଡ୍ରାଇଭର ମହାସଂଘର ଏହି ଆନ୍ଦୋଳନ ରୂପକ ଯାଦୁକୁ ଭଲ କରିବାକୁ କେଉଁ ମଲମ ଭିତିରିଆ ବ୍ୟବହାର ହେଲା କି ! ଛାଡ଼ ସେ କଥା, ଆମର କଣ ଯାଉଛି …
() ରାହୁଲ ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗ ଉଠାଇବା ସହ ଉପକୂଳରେ କଂଗ୍ରେସକୁ ସୁଦୃଢ଼ କରିବାକୁ ଦଳର ରାଜ୍ୟ ନେତାଙ୍କୁ ଆହ୍ବାନ ଦେଇଛନ୍ତି । ରାଜ୍ୟରେ ସରକାର ଗଠନରେ ଉପକୂଳର କଣ ପ୍ରଭାବ ରହିଛି, ତାହା ବୋଧେ କହିବାର ଆବଶ୍ୟକତା ନାହିଁ !
() ରାହୁଲ କହିଲେ, ରାଜ୍ୟ ରାଜନୀତିରେ କାଳେ ବିଜେଡି ଆଉ ଦୌଡ଼ରେ ନାହିଁ । ରାଜ୍ୟ ରାଜନୀତିର ପୋଖତ ବିଶାରଦମାନେ ଏହା ବୋଧହୁଏ ଭଲ ଭାବେ ଜାଣିଥିବେ ! ତେଣୁ ଏଠି ଅଧିକ ଆଲୋଚନା ଅନାବଶ୍ୟକ ।
() ଏବେ ତ ନିର୍ବାଚନ ନାହିଁ… କାହିଁକି ଆସିଥିଲେ ରାହୁଲ!!! କାହିଁ, ଗତ ସାଧାରଣ ନିର୍ବାଚନ ବେଳେ ତ’ ତାଙ୍କ ସାଲେପୁର ଓ ବଲାଙ୍ଗିର ଗସ୍ତ ବେଳେ ଏମିତି ଦେଖିବାକୁ ମିଳି ନଥିଲା ! ତେବେ ବର୍ତ୍ତମାନ ଆସିବାର କାରଣ କଣ ? ନିର୍ବାଚନ ନଥିଲା ବେଳେ କଂଗ୍ରେସର କୌଣସି କେନ୍ଦ୍ରୀୟ ନେତୃତ୍ବଙ୍କ ଓଡ଼ିଶା ଗସ୍ତ ବେଳେ ଏଭଳି ଜନସମୁଦ୍ର ଦେଖିବାକୁ ମିଳି ନଥିଲା । ୨୦୧୨ ପରଠାରୁ କଂଗ୍ରେସ ଜନସଭାରେ ଏତେ ସଂଖ୍ୟାରେ ଲୋକଙ୍କୁ ଦେଖିବାକୁ ମିଳି ନଥିଲା । କିନ୍ତୁ ଏଥର ରାହୁଲଙ୍କ ଗସ୍ତରେ ତାହା ଦେଖିବାକୁ ମିଳିଛି । କଣ ରାହୁଲ ଅନୁଧ୍ୟାନ କରି ନେଇଛନ୍ତି କି, ରାଜ୍ୟ ରାଜନୀତିରେ କଂଗ୍ରେସ ପାଇଁ ଏକ ଭଲ ପୋଜିସନ୍ ସୃଷ୍ଟି ହୋଇଯାଇଛି ! ରାହୁଲଙ୍କ ଏହି ଅଦିନିଆ ଗସ୍ତ କାଳବୈଶାଖୀ ଝଡ଼ବର୍ଷାର ପ୍ରଭାବ ଭଳି, ପରେ ପ୍ରଭାବଶୂନ୍ୟ ହୋଇଯିବନି ତ ! ଛାଡ଼ନ୍ତୁ, ସେ କଥା…ସମୟ ହିଁ କହିବ, ଆମେ କାହିଁକି ଏବେଠୁ ଏତେ କଥା ଚିନ୍ତା କରିବା…
() ରାହୁଲ ଗାନ୍ଧି, ବିଜେଡିକୁ କେବଳ ଦୌଡ଼ରେ ନଥିବା କହିବା ଛଡ଼ା, ଆଉ କିଛି କହି ନାହାଁନ୍ତି । ସେପଟେ ବିଜେଡି ମଧ୍ୟ ରାହୁଲଙ୍କ ଗସ୍ତ ଉପରେ ମନ୍ତବ୍ୟ ଦେଇନି । ଦେଖାଯାଉ, ରାଜନୀତି ପାଣିପାଗ କେତେବେଳେ, କେମିତି ବଦଳୁଛି !!!











