ହାଥରସ ଗଣଦୁଷ୍କର୍ମ ଘଟଣା : ଯାଞ୍ଚ ଆରମ୍ଭ କଲା ଏସଆଇଟି, ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବେ ରାହୁଲ-ପ୍ରିୟଙ୍କା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଉତ୍ତର ପ୍ରଦେଶ ହାଥରସ୍ ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦଳିତ ଯୁବତୀଙ୍କ ପରିବାରକୁ ଆଜି ଭେଟିବାକୁ ଯାଇପାରନ୍ତି ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧୀ। ପୋଲିସ ଯେଭଳି ଭାବେ ପୀଡ଼ିତାଙ୍କ ଜୋରଜବରଦସ୍ତି ତାଙ୍କର ଅନ୍ତିମ ସଂସ୍କାର କରିଛି ତାକୁ ନେଇ ଏବେ ଉତ୍ତର ପ୍ରଦେଶ ସରକାର ଓ ପୋଲିସ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସହ ଏହି ଘଟଣା ଦେଶବାସୀଙ୍କୁ ଉତ୍ତେଜିତ କରି ରଖିଛି। ତା’ସହ ଏହି ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଉଛି।
ଏହି ସବୁ ମଧ୍ୟରେ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଦେଖା କରିବା ପାଇଁ ହାଥରସ ଯିବେ ବୋଲି ଆଲୋଚନା ହେଉଛି। ପ୍ରିୟଙ୍କା ସହ ତାଙ୍କ ଭାଇ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାଙ୍ଗରେ ଯାଇପାରନ୍ତି। ପ୍ରିୟଙ୍କା ଓ ରାହୁଲଙ୍କ ହାଥରସ ଯିବା ଖବର ସାମ୍ନାକୁ ଆସିବା ପରେ ଜିଲ୍ଲାରେ ସିଆରପିସି ଧାରା ୧୪୪ ଲାଗୁ କରାଯାଇଛି। କେବଳ ଏତିକି ନୁହେଁ ସୀମା ମଧ୍ୟ ସିଲ୍ କରାଯାଇଛି। କାରଣ ଗୋଟିଏ ସ୍ଥାନରେ ପାଞ୍ଚ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ। ଅର୍ଥାତ ଅଧିକ ଲୋକ ଏକତ୍ରିତ ହେବାକୁ ଅନୁମତି ମିଳିବ ନାହିଁ।
ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ଜଣିଆ ଏସଆଇଟି ଟିମ୍ ଗଠନ କରିଥିଲେ । ଆଜି ଏହି ଏସଆଇଟି ଟିମ୍ ତାର ତଦନ୍ତ ଆରମ୍ଭ କରିଛି । ଉକ୍ତ ଟିମରେ ଗୃହ ସଚିବ ଭଗବାନ ସ୍ୱରୂପ, ଡିଜି ଚନ୍ଦ୍ରପ୍ରକାଶ ଏବଂ ସେନାନାୟକ ପିଏସି ଆଗ୍ରା ପୁଣମ୍ ରହିଛନ୍ତି। ଏହି ମାମଲର ତଦନ୍ତ ୭ଦିନ ଭିତରେ ଶେଷ କରି ସବିଶେଷ ରିପୋର୍ଟ ଦେବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।
ପୀଡିତାଙ୍କ ଗାଁକୁ ଗଣମାଧ୍ୟମକୁ ମିଳୁନି ଅନୁମତି
ହାଥରସ ଗଣଦୁଷ୍କର୍ମ ମାମଲା ପୀଡିତାଙ୍କ ଗାଁକୁ କୌଣସି ଗଣାମଧ୍ୟମକୁ ପ୍ରବେଶ ଅନୁମତି ଦେଉନି ଉତ୍ତରପ୍ରଦେଶ ପୁଲିସ । ପୁଲିସ କହୁଛି ଯେ ଉତ୍ତରପ୍ରଦେଶରେ କରୋନା କଟକଣା ପାଇଁ ଗଣମାଧ୍ୟମକୁ ଗାଁକୁ ପ୍ରବେଶ ଅନୁମତି ଦିଆଯାଉନି । ଅନ୍ୟପକ୍ଷେ ଆଉ ଜଣେ ପୁଲିସ କର୍ମଚାରୀ କହିଛନ୍ତି ଯେ ଗଣମାଧ୍ୟମ ଘଟଣାରେ ଏସଆଇସି ତଦନ୍ତରେ ବାଧା ସୃଷ୍ଟି କରୁଥିବା କାରଣରୁ ଗାଁକୁ ପ୍ରବେଶ ଅନୁମତି ଦିଆଯାଉନି।