ବାହୁଡ଼ିଲେ ମହାପ୍ରଭୁ, ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଲା ୩ରଥ
ପୁରୀ, (ଓଡିଶା ଟାଇମ୍) : ବିନାଭକ୍ତରେ ହେଉ ପଛକେ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମଧ୍ୟ ଖୁବ୍ ସୁନ୍ଦର ଭାବେ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ପ୍ରତିବର୍ଷ ଘୋଷଯାତ୍ରା ସମୟରେ ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥିଲା ସେଠି ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ଭକ୍ତଶୂନ୍ୟ ହୋଇପଡ଼ିଥିଲା ବଡ଼ଦାଣ୍ଡ ।
ନଅ ଦିନର ରଥଯାତ୍ରା ସାରି ବାହୁଡ଼ିଛନ୍ତି ମହାପ୍ରଭୁ । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ୩ରଥ ପହଞ୍ଚିଛି । ସଂହଦ୍ୱାର ନିକଟରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ପହଞ୍ଚିଛି । ରାଜନଅର ନିକଟରେ ଲକ୍ଷ୍ମୀନାରାୟଣ ଭେଟ ହୋଇଛି । କରୋନା ନେଗଟିଭ ଥିବା ସେବାୟତମାନେ ରଥ ଟାଣିଥିଲେ । ଏଥିସହିତ ବିନା ଭକ୍ତ ଓ କଟକଣା ମଧ୍ୟରେ ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାଯାତ୍ରା ମଧ୍ୟ ସମ୍ପନ୍ନ ହୋଇଛି ।
କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ପାଳନ ହୋଇଥିଲା ସନାତନ ଧର୍ମର ଏହି ମହାନ୍ ପରମ୍ପରା । ଚର୍ମଚକ୍ଷୁରେ ନହେଲେ ବି ଟେଲିଭିଜନ ମାଧ୍ୟମରେ ବିଶ୍ବ ନିୟନ୍ତାଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ବିଶ୍ବବାସୀ ।
ସାରା ସହରରେ ଲାଗିଥିଲା କର୍ଫ୍ୟୁ । ସିଲ୍ ହୋଇଥିଲା ପୁରୀର ସମସ୍ତ ପ୍ରବେଶ ପଥ । ଏମିତିକି ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବ୍ୟାରିକେଡ୍ କରାଯାଇ ବନ୍ଦ କରାଯାଇଥିଲା । ବଡ଼ଦାଣ୍ଡ ତଥା ସାରା ପୁରୀ ସହରକୁ ଜଗି ରହିଥିଲେ ୪୦୦ ଅଫିସରଙ୍କ ସହ ୭୦ପ୍ଲାଟୁନ୍ ଫୋର୍ସ । ୨ଧାଡ଼ି ହୋଇ ଏକା ସାଙ୍ଗରେ ସାଇରନ୍ ମାରି ବଡ଼ ଦାଣ୍ଡରେ ଗଡ଼ୁଥିଲା ୨୪ଟି ପିସିଆର ଭ୍ୟାନ୍ । ଖାଲି ପାଦରେ ରଥ ଟାଣୁଥିଲେ ସେବାୟତ । ଭିଷଣ ଖରାରେ ଯୋଗୁଁ ଭୂଇଁ ତାତି ସେମାନଙ୍କ ଖାଲି ପାଦକୁ କଷ୍ଟ ଦେଇଥିଲା । ତଥାପି ମହାପ୍ରଭୁଙ୍କ କାର୍ଯ୍ୟ କରୁଥିବାରୁ ସେମାନଙ୍କ ମନରେ ଥିଲା ଅସୀମ ଆନନ୍ଦ । ରଥ ଟାଣୁଥିବା ସେବାୟତଙ୍କ କଷ୍ଟ ଲାଘବ ପାଇଁ ବଡ଼ଦାଣ୍ଡରେ ପାଣି ସିଞ୍ଚନ କରୁଥିଲା ଦମକଳ ବାହିନୀ । ପ୍ରାୟ ଦେଢ଼ ଲକ୍ଷ ଲିଟର ପାଣି ସିଞ୍ଚନ ଯୋଗୁଁ ବଡ଼ ଦାଣ୍ଡରେ ସୃଷ୍ଟି ହୋଇଥିଲା କୃତ୍ରିମ ବର୍ଷାର ଭ୍ରମ । ପ୍ରତ୍ୟେକ ରଥର ଦୁଇଶହ ମିଟର ପଛକୁ ଆଉ ୨ଶହ ମିଟର ଆଗକୁ ଅନବରତ ପାଣି ସିଞ୍ଚନ କରାଯାଉଥିଲା ।