ପୁରୀରେ ରଥ ନିର୍ମାଣ ଚୂଡାନ୍ତ ପର୍ଯ୍ୟାୟରେ : ରଙ୍ଗ ଓ ସିଲାଇ କାମ ଜୋରଦାର

ଭୁବନେଶ୍ଵର, (ଓଡିଶା ଟାଇମ୍) : କରୋନା ସଙ୍କଟ ଭିତରେ ଏଥର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାକୁନେଇ ଏବେ ରାସ୍ତା ସଫା ହେବାରେ ଲାଗିଛି। ଶ୍ରୀମନ୍ଦିର ପ୍ରଶାସନ ଆଜି ମହାନାୟକ, ପୂଜାପଣ୍ଡା ଏବଂ ପୁଷ୍ପାଳକ ସେବାୟତଙ୍କ ସହ ଆଲୋଚନା କରିବା ପରେ ରଥଯାତ୍ରା ହେବ ବୋଲି ସମ୍ଭାବନା ଦେଖାଦେଇଛି।

ତେବେ ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ମଧ୍ଯ ଚାଲିଛି । ରଙ୍ଗ ସରିଲା ପରେ ରଥରେ ତାହା ଖଞ୍ଜାଯିବ । ସେହିଭଳି ଗତକାଲି ତିନି ରଥର ୨ଟି ଲେଖାଁଏ ଦୁଆର ଘଡା ପ୍ରସ୍ତୁତ ସହ ରଙ୍ଗ ପାଇଁ ରଥଖଳାକୁ ଆସିଥିବାବେଳେ ସେଥିରେ ପ୍ରାଇମର ଲଗାଯାଇଛି ।

ଆଜି ତିନି ରଥର ଆଶାବାଡି ଖୁଣ୍ଟିଆ କାର୍ଯ୍ୟ ଚାଲିଛି । ପ୍ରତି ରଥରେ ଦୁଇଟି ଲେଖାଁ ଆଶାବାଡି ଖୁଣ୍ଟିଆ ଆବଶ୍ୟକ ହୋଇଥାଏ ଓ ରଥରେ ଘୋଡା ଖଞ୍ଜାଯିବାବେଳେ ଏହା ବ୍ୟବହାର ହୋଇଥାଏ । ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ତଳେ ଚିତ୍ରକର ସେବକମାନେ ରଥା ବାଶ୍ୱର୍ ଦେବାପାଦୀ, କଳସ ଇତ୍ୟାଦିର ରଙ୍ଗକାମ ଜାରି ରଖିଛନ୍ତି । ଦରଜି ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ରଥକନାରେ ଜରିଫିତା ସିଲାଇ ରଥ ଘେର ସିଲାଇ କାମ ଆରମ୍ଭ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଏଲ୍‍ କ୍ଲାମ୍ପ, ଧୂଳିଦଣ୍ଡା, ବିଡିଆ କଣ୍ଟା ପ୍ରସ୍ତୁତରେ ଲାଗିବା ସହ ରଥଦଣ୍ଡାରେ ଖଞ୍ଜା ଯାଇଥିବା କୋଣ ଗୁଜ ଗୁଡିକରେ ଧୂଳିଦଣ୍ଡା କଣ୍ଟା ବାଡେଇଛନ୍ତି । ତିନିରଥରେ ଖଞ୍ଜା ଯାଇଥିବା ପଟ୍ଟାଗୁଜରେ ରୂପକାର ସେବକମାନେ ସିଂହବରାଳ, ଗଜବରାଳ, ଗଜସିଂହ ଖୋଦେଇ କାମ ସହ ରଥଚକା ଦଣ୍ଡା ଇତ୍ୟାଦିର ରଙ୍ଗକାମ କରୁଛନ୍ତି ।

ଆଜି ଶ୍ରୀମନ୍ଦିର ନୀଳାଦ୍ରୀ ଉକ୍ତ ନିବାସ ଠାରେ କରୋନା ସଚେତନତା ସ୍ୱାସ୍ଥ୍ୟ ଶିବିରର ଥିଲା ଚତୁର୍ଥ ଦିନ । ଆଜି ପୁରୀରେ ପୂଜାପଣ୍ଡା ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ଔଷଧ ବିତରଣ କରାଯାଇଥିଲା । ମୋଟ୍‍ ୧୬୧ ଜଣ ସଦସ୍ୟଙ୍କୁ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଅନ୍ୟାନ୍ୟ ସେବକଙ୍କୁ ମିଶାଇ ଆଜି ମୋଟ୍‍ ୨୫୩ ଜଣଙ୍କୁ ଔଷଧ ବଣ୍ଟା ଯାଇଛି । ଆସନ୍ତା କାଲି ଶେଷ ଦିନରେ ଗରାବଡୁ ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟ ସହିତ ହୋମିଓପାଥି ଔଷଧ ସଂଗ୍ରହ କରିନଥିବା ଅନ୍ୟ ସେବାୟତଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବ ।

ଏଥର ବିନା ଭକ୍ତରେ ହୋଇପାରେ ରଥଯାତ୍ରା ଆୟୋଜନ

ଅନ୍ୟପଟେ ଆଜିର ବୈଠକରେ ରଥଯାତ୍ରା ଆୟୋଜନ ଉପରେ ଆଲୋଚନା ହୋଇଥିଲା। ପହଣ୍ଡି ନୀତି, ରଥ ଟଣା କେମିତି ଶୃଙ୍ଖଳାର ସହ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା। କମ୍‌ ସେବାୟତଙ୍କୁ ନେଇ ରଥଯାତ୍ରା ଆୟୋଜନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି। ସ୍ନାନଯାତ୍ରା ଭଳି ରଥଯାତ୍ରା ମଧ୍ୟ ବିନା ଭକ୍ତରେ ଆୟୋଜନ କରିବାକୁ ଆଲୋଚନା ହୋଇଛି ସେବାୟତମାନେ ରଥ ଟାଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ଏନେଇ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରାଯାଇନାହିଁ।

ଅନ୍ୟପଟେ ରଥ ଯାତ୍ରା ପାଇଁ ଭୋର୍ ସାଢ଼େ ୪ଟାରୁ ୫ଟା ଭିତରେ ପହଣ୍ଡି ବିଜେ ନୀତି ଆରମ୍ଭ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ଦିନ ୧୧ଟାରେ ରଥ ଟଣା ହେବ ବୋଲି ପ୍ରସ୍ତାବ ଆସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗ ସହିତ ଆଲୋଚନା କରିବା ପରେ ହିଁ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ସୂଚନା ଦେବେ ।

Leave a Reply

Your email address will not be published. Required fields are marked *