ଆଜି ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି

ପୁରୀ, (ଓଡିଶା ଟାଇମ୍): ଗୌଡୀୟ ମିଶନ ପ୍ରତିଷ୍ଠାତା ଶ୍ରୀଳ ଭକ୍ତିସିଦ୍ଧାନ୍ତ ଗୋସ୍ବାମୀ ପ୍ରଭୁପାଦଙ୍କ ଆଜି ୧୫୦ତମ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ପୁରୀ ଚୈତନ୍ୟ ଗୌଡୀୟ ମଠକୁ ଯାଇ ଶ୍ରୀଳ ଭକ୍ତିସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତିରେ ଭକ୍ତିଅର୍ଘ୍ୟ ପ୍ରଦାନ କରିବା ସହ ଶରଧାବାଲିରେ ଅନୁଷ୍ଠିତ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ବିଶ୍ୱ ବୈଷ୍ଣବ ସମ୍ମିଳନୀର ପ୍ରଥମ ଦିବସରେ ଶନିବାର ଶ୍ରୀଚୈତନ୍ୟ ଗୌଡ଼ୀୟ ମିଶନ ଅନୁଗତମାନେ ଶ୍ରୀକ୍ଷେତ୍ରରେ ନଗର ପରିକ୍ରମା କରିଥିଲେ । ସମୁଦ୍ରକୂଳର ଶ୍ରୀପୁରୁଷୋତ୍ତମ ମଠରୁ ସମୁଦ୍ରକୂଳ, ଆଚାର୍ଯ୍ୟ ହରିହର ଛକ, ପୋଷ୍ଟ ଅଫିସ ଛକ, ଗୋପବନ୍ଧୁ ଆୟୁର୍ବେଦ ହସପିଟାଲ ଛକ, ମେଡିକାଲ ଛକ ଦେଇ ଶ୍ରୀଲ ପ୍ରଭୁବାଦଙ୍କ ଆବିର୍ଭାବ ସ୍ଥାନ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିଥିଲା । ସନ୍ଧ୍ୟାର ଶରଧାବାଲି ନିକଟ ଆଇତୋଟାସ୍ଥିତ ଏକ ଆଶ୍ରମରେ ବିଶ୍ୱ ବୈଷ୍ଣବ ସମ୍ମିଳନୀର ଅଧିବାସ ସଭା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ଅଧିବେଶନର ଅଧିବାସ ସଭାକୁ ଶ୍ରୀମଦ୍‌ ଭକ୍ତି ବିଚାର ବିଷ୍ଣୁ ମହାରାଜ ସଭାପତିତ୍ୱ କରିଥିଲେ ।

ରବିବାର ସକାଳ ସାଢ଼େ ଦଶଟା ବେଳେ ରାଷ୍ଟ୍ରପତି ପୁରୀ ରାଜଭବନରୁ ବାହାରି ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ପହଞ୍ଚିବେ । ମଠ ଆରଧ୍ୟା ଦେବତାଙ୍କୁ ଆଳତି ଓ ପୁଷ୍ପାଞ୍ଜଳି ପର୍ବରେ ରାଷ୍ଟ୍ରପତି ସାମିଲ ହେବ। ସେଠାରୁ ୧୦ଟା୫୦ରେ ଶରଧାବାଲି ଯାଇ ସାଧୁ ସମ୍ମିଳନୀରେ ଏକ ଘଣ୍ଟା ଧରି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକୀର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ।

ପରେ ରାଷ୍ଟ୍ରପତି ଶରଧାବାଲିରୁ ପୁରୀ ହେଲିପ୍ୟାଡ୍‌ ଅଭିମୁଖେ ଦିନ ୧୨ଟା ୧୫ରେ ବାହାରିବେ । ୧୨ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ୧୨ଟା ୫୫ରେ ସ୍ୱତନ୍ତ୍ର ବିମାନରେ ବିଶାଖାପାଟଣା ଯିବେ ।ଗସ୍ତ ସମୟରେ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେହିଦିନ ନିର୍ବାଚନ ଥିବାରୁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହ ୨ ଶହ ପୁଲିସ ଅଧିକାରୀ ମୁତୟନ ହୋଇଛନ୍ତି। ସେପଟେ ଗୌଡୀୟ ମଠ ପରିସରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି କୋବିନ୍ଦ ତୃତୀୟ ଥର ପାଇଁ ପୁରୀ ଗସ୍ତରେ ଆସୁଛନ୍ତି ।

Leave a Reply

Your email address will not be published.