ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
ପୁରୀ, (ଓଡିଶା ଟାଇମ୍) : ଶେଷରେ କୋଭିଡ୍ ରିପୋର୍ଟ କଟକଣାର ଅନ୍ତ । ଆଜିଠୁ ନିର୍ବିଘ୍ନରେ କାଳିଆ ଦର୍ଶନ କରିପାରିବେ ସାଧାରଣ ଭକ୍ତ । ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଉ ଭକ୍ତଙ୍କୁ ଦରକାର ପଡ଼ିବନି କୋଭିଡ୍ ନେଗେଟିଭ୍ ରିପୋର୍ଟ । ଏ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଧାଡ଼ି ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍ ଛକରୁ ବାରିକେଡ୍ କରାଯାଇଛି। ସିଂହଦ୍ବାରରେ ଥର୍ମାଲ୍ ସ୍କାନିଂ, ସାନିଟାଇଜର ଆଦିର ବ୍ୟବସ୍ଥା କରାଯାଇଛି। ଥର୍ମାଲ ସ୍କ୍ରିନିଂ ବେଳେ କୌଣସି ଭକ୍ତଙ୍କ ଶରୀରର ତାପମାତ୍ରା ୧୦୦ ଡିଗ୍ରୀ ଉପରକୁ ରହିବ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ । ପୁରୀବାସୀଙ୍କ ପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସ୍ବତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଥିବା ବେଳେ ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି ।
ପ୍ରାଥମିକ ପର୍ଯ୍ୟାୟରେ ଦୈନିକ ୩୦ ହଜାର ଭକ୍ତଙ୍କ ପାଇଁ ଦର୍ଶନ କରାଇବା ବ୍ୟବସ୍ଥା କରାଯାଇଛି। ସେହିଭଳି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁରକ୍ଷିତ ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି ।୨୭ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨ଜଣ ଅତିରିକ୍ତ ଏସପି, ୭ଜଣ ଡିଏସପି, ସମସ୍ତ ଥାନାର ଅଧିକାରୀଙ୍କୁ ଦର୍ଶନ ବ୍ୟବସ୍ଥାର ଦାୟିତ୍ବ ଦିଆଯାଇଛି ।