ନାଗାର୍ଜୁନ ବେଶରେ ଦର୍ଶନ ଦେବେ ପତିତପାବନ!
ପୁରୀ, (ଓଡିଶା ଟାଇମ୍) :କାର୍ତ୍ତିକ ମାସର ନୀତିକାନ୍ତି ସହ ନାଗାର୍ଜୁନ ବେଶ ଉପରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବେଶର ଅଗ୍ରଗତି ଓ ଏହା କିଭଳି ସୁରକ୍ଷିତ ଶ୍ରୀମନ୍ଦିରରେ ପହଞ୍ଚିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ବଡ଼କଥା ହେଉଛି, କରୋନା କଟକଣା ଭିତରେ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖି ନ ପାରିଲେ ବି ପତିତପାବନକୁ ନାଗାର୍ଜୁନ ବେଶରେ ଦର୍ଶନ କରିବାର ଆଶା ସଂଚାର ହୋଇଛି । ପୂଜାପଣ୍ଡା ନିଯୋଗ ପତିତପାବନଙ୍କୁ ନାଗାର୍ଜୁନ ବେଶରେ ସଜାଇବା ନେଇ ନିଷ୍ପତ୍ତି ନେଇସାରିଥିବା ଜଣାପଡ଼ିଛି।
ବେଶ ନିର୍ମାଣ କରୁଥିବା ବଳରାମ ଖୁଣ୍ଟିଆ ଓ ଅନ୍ୟ ସହଯୋଗୀମାନେ ଉପସ୍ଥିତ ରହି ବେଶ ଅଗ୍ରଗତି ସଂପର୍କରେ ସୂଚନା ଦେଇଥିଲେ। ମଝିରେ ମଝିରେ ଅଭିଜ୍ଞ ବରିଷ୍ଠ ସେବକମାନେ ବେଶ ପ୍ରସ୍ତୁତି ସ୍ଥଳ ଯାଇ ଯାଞ୍ଚ କରିବା ଉପରେ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପଡ଼ୁଥିବାବେଳେ ଲାଗି ହେବାକୁ ଥିବା ବେଶ କିଭଳି ଶ୍ରୀମନ୍ଦିରରେ ସୁରକ୍ଷିତ ପହଞ୍ଚିବ ସେ ଉପରେ ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ସେବାୟତମାନେ ଗୁରୁତ୍ବାରୋପ କରିଥିଲେ। ପ୍ରସ୍ତୁତି ସ୍ଥଳ ଠାରୁ ମନ୍ଦିର ପର୍ଯ୍ୟନ୍ତ ଶ୍ରୀମନ୍ଦିର ପୁଲିସ ଓ ବାହାର ପୁଲିସଙ୍କ ସୁରକ୍ଷା ବଳୟ ଭିତରେ ବେଶ ଆଣିବା ଉପରେ ନିଷ୍ପତ୍ତି ହୋଇଥିଲା।