ସରକାରୀ ବଙ୍ଗଳା ଛାଡ଼ିବାକୁ ପ୍ରିୟଙ୍କାଙ୍କୁ ନିର୍ଦ୍ଦେଶ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଦିଲ୍ଲୀର ଲୋଧି ଇଷ୍ଟେଟରେ ରହୁଥିବା ପ୍ରିୟଙ୍କା ଗାନ୍ଧିଙ୍କୁ 35 ନମ୍ବର ସରକାରୀ ବଙ୍ଗଳାକୁ ଅଗଷ୍ଟ ପହିଲା ପୂର୍ବରୁ ଖାଲି କରିବାକୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ନୋଟିସ୍ ଜାରି କରିଛି । ଏହା ସହିତ ବକେୟା 3 ଲକ୍ଷ 46 ହଜାର ଟଙ୍କା ମଧ୍ୟ ପଇଠ କରିବାକୁ କୁହାଯାଇଛି । ଆଉ ଯଦି ବଙ୍ଗଳା ନଛାଡ଼ନ୍ତି, ତେବେ ତାଙ୍କ ଉପରେ ଜରିମାନା ଲାଗୁ କରାଯିବ ।
6 ବେଡ୍ ରୁମ୍ ବିଶିଷ୍ଟ ଏହି ବଙ୍ଗଳାରେ 1997 ମସିହାରୁ ପ୍ରିୟଙ୍କା ଗାନ୍ଧି ରହି ଆସୁଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ, 1991 ମସିହାରୁ ଏସପିଜି ସୁରକ୍ଷା ବଳୟରେ ଥିଲେ ସୋନିଆ, ରାହୁଲ ଏବଂ ପ୍ରିୟଙ୍କା । କିନ୍ତୁ ଗତବର୍ଷ ନଭେମ୍ବର 25 ତାରିଖରେ, ସେମାନଙ୍କ ଏସପିଜି ସୁରକ୍ଷା ପ୍ରତ୍ୟାହାର କରି ନେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଏବେ ସେମାନେ Z+ସୁରକ୍ଷାରେ ଅଛନ୍ତି । ସେପଟେ ସୋନିଆ ଓ ରାହୁଲ, ସାଂସଦ ଥିବା ବେଳେ ପ୍ରିୟଙ୍କା କିନ୍ତୁ ନାହାନ୍ତି । ତେଣୁ ଏସପିଜି ସୁରକ୍ଷା ଏବଂ ସାଂସଦ ନଥିବା ବ୍ୟକ୍ତି, ସରକାରୀ ବଙ୍ଗଳାରେ ରହିବାକୁ ହକଦାର୍ ନୁହଁନ୍ତି ବୋଲି କେନ୍ଦ୍ର ଗୃହ ଓ ନଗର ମନ୍ତ୍ରଣାଳୟ, ନୋଟିସରେ ଦର୍ଶାଇ, ଜୁଲାଇ ପହିଲାରୁ ତାଙ୍କ ଆଲଟମେଣ୍ଟ ବାତିଲ୍ କରିଛି ।
କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ କଂଗ୍ରେସରେ ପ୍ରତିକ୍ରିୟା ଦେଖା ଦେଇଛି । ‘ପ୍ରିୟଙ୍କା, ପ୍ରଥମରୁ ହିଁ ସରକାରୀ ବଙ୍ଗଳା ନେବାକୁ ଚାହୁଁ ନଥିଲେ । କେବଳ ଏସପିଜି ସୁରକ୍ଷା ବଳୟରେ ଥିବାରୁ ସେ ବାଧ୍ୟ ହୋଇ ସେଠାରେ ରହୁଥିଲେ’। କିନ୍ତୁ ଏସପିଜି ସୁରକ୍ଷା ପ୍ରତ୍ୟାହାର ପରେ ଏହା ହିଁ ଆଶା କରାଯାଉଥିଲା ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ସରକାରୀ ବଙ୍ଗଳା ଛାଡ଼ିଲେ ମଧ୍ୟ, ପ୍ରିୟଙ୍କା, ରାଜନୀତି କିମ୍ବା ମୋଦି ସରକାରଙ୍କ ବିଫଳତାକୁ ସମାଲୋଚନା କରିବା ଛାଡ଼ିବେ ନାହିଁ ବୋଲି କଂଗ୍ରେସ ମହଲରୁ କୁହାଯାଇଛି ।
ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନି ଏବଂ ମୁରଲୀ ମନୋହର ଯୋଶୀ, କୌଣସି ପଦ ପଦବୀରେ ନଥାଇ ଏବେ ବି ସରକାରୀ ବଙ୍ଗଳାରେ ରହୁଛନ୍ତି । ତେଣୁ ସେମାନଙ୍କ କ୍ଷେତ୍ରରେ ମଧ୍ୟ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପଦକ୍ଷେପ ନେଉ ବୋଲି କଂଗ୍ରେସ ଦାବି କରିଛି । ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି, ତୁରନ୍ତ ପ୍ରିୟଙ୍କାଙ୍କୁ ଏସପିଜି ସୁରକ୍ଷା ସହ ସରକାରୀ ବଙ୍ଗଳାରେ ରହିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । କରୋନା ମୁକାବିଲାରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ସମାଲୋଚନା କରିବା ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ସକ୍ରିୟ ରହିବା କାରଣରୁ, ପ୍ରିୟଙ୍କା, ଆକ୍ରୋଶର ଶିକାର ହୋଇଥିବା କହିଛନ୍ତି ସେ । ରାଜନୈତିକ ତିକ୍ତତା ଥାଇ ମଧ୍ୟ ପଞ୍ଜାବ ସରକାର, ସୁରକ୍ଷା ଦୃଷ୍ଟିକୋଣରୁ ଶିରୋମଣି ଅକାଳୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କୁ ସରକାରୀ ବଙ୍ଗଳା ସହ ସୁରକ୍ଷା ଯୋଗାଇ ଦେଇଥିବା କହିଛନ୍ତି ଅମରିନ୍ଦର ସିଂହ ।