ଘରୋଇ ଡାକ୍ତରଙ୍କୁ ସରକାରୀ ହସ୍ପିଟାଲରେ କାମ ପାଇଁ ନିର୍ଦ୍ଦେଶ

ମୁମ୍ବାଇ(ଓଡ଼ିଶା ଟାଇମ୍‌): ଏଣିକି ମୁମ୍ବାଇରେ ଘରୋଇ ଡାକ୍ତରମାନଙ୍କୁ ସରକାରୀ ହସ୍ପିଟାଲ୍‌ରେ କାମ କରିବାକୁ ପଡ଼ିବ। ଅନ୍ୟଥା ସେମାନଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ନିର୍ଦ୍ଦେଶ ହୋଇଛି। ଦେଶର ମହାରାଷ୍ଟ୍ରରେ ମହାମାରୀ କରୋନା ପ୍ରଭାବ ସବୁଠାରୁ ଅଧିକ ଥିବାବେଳେ ପ୍ରାୟ ୭୦୦ ଜୀବନ ଗଲାଣି। ସେହିପରି ରାଜ୍ୟର ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ମୁମ୍ବାଇରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚିକିତ୍ସା ଶିକ୍ଷା ଓ ଅନୁସନ୍ଧାନ ନିର୍ଦ୍ଦେଶାଳୟ ପକ୍ଷରୁ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କୁ ସରକାରୀ ହସ୍ପିଟାଲରେ କାମ କରିବାକୁ ଆଦେଶ ଜାରି କରାଯାଇଛି।

ସୂଚନା ଅନୁସାରେ ମୁମ୍ବାଇରେ ଥିବା ସମସ୍ତ ଘରୋଇ ଡାକ୍ତର ସମ୍ପ୍ରତି ସରକାରୀ ହସ୍ପିଟାଲରେ କାମ କରିବା ବାଧ୍ୟତାମୂଳକ ହୋଇଛି। ଆଦେଶକୁ ଅଣଦେଖା କରିଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏହାରେ ପ୍ରକାଶ ଥାଉକି  ମୁମ୍ବାଇରେ ୨୫ ହଜାର ଘରୋଇ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ରହିଥିବା ସୂଚନା ମିଳିଛି। ନିର୍ଦ୍ଦେଶାଳୟର ଆଦେଶ ଅନୁସାରେ ଘରୋଇ ଡାକ୍ତର ଓ ଚିକିତ୍ସା ଅଧିକାରୀଙ୍କୁ କୋଭିଡ୍-୧୯ ହସ୍ପିଟାଲରେ ଅତି କମ୍‌ରେ ୧୫ ଦିନ ପାଇଁ କାମ କରିବାକୁ ପଡ଼ିବ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମହାରାଷ୍ଟ୍ରରେ ମୋଟ ୧୫ ହଜାର ୫୨୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

 

Leave a Reply

Your email address will not be published. Required fields are marked *