ରାଜ୍ୟରେ କେବେ ଗଡ଼ିବ ବସ ! କାଲି ହେବ ନିଷ୍ପତ୍ତି
ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଘରୋଇ ଚଳାଚଳ ପାଇଁ ଆସନ୍ତାକାଲି ବସିବ ମାଲିକ ସଂଘର ବୈଠକ । ଯଦି ବୈଠକ ସଫଳ ହୁଏ, ତେବେ ମେ ୨୮ରୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ଆରମ୍ଭ ହେବ । ବସର ସିଟ୍ ସଂଖ୍ୟା ଅନୁସାରେ ଯାତ୍ରୀ ପରିବହନ ପାଇଁ ସଂଘ ପ୍ରସ୍ତୁତ ଅଛି । ବସ୍ କର୍ମଚାରୀଙ୍କୁ ସଚେତନ କରାଇବେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏଥିପାଇଁ ଆଜି ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘର ବୈଠକ ହୋଇଥିଲା । ଏନେଇ ଘରୋଇ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ୟ୍ୟ ସୂଚନା ଦେଇଛନ୍ତି ।
ପରିବହନ ବିଭାଗ ତରଫରୁ ୩ ମାସ ପାଇଁ ବସର ରୋଡ୍ ଟ୍ୟାକ୍ସ୍ ଛାଡ କରାଯାଇଛି । ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ବସ୍ ମାଲିକଙ୍କୁ ରୋଡ଼ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । ଏହାପରେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି । ଆଜି ଘରୋଇ ବସ୍ ସଂଘ ସହ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବସ୍ ଚଳାଚଳ ନେଇ ଆଲୋଚନା କରିଛନ୍ତି । ଆଲୋଚନାରେ ସଂଘ ପକ୍ଷରୁ କିଛି ସର୍ତ ରଖାଯାଇଛି । ଯେତିକି ସିଟ୍ ସେତିକି ଯାତ୍ରୀ ବ୍ୟବସ୍ଥାରେ ସଂଘ ଖୁସି ନୁହେଁ । ତେଣୁ ଏହାଉପରେ ସରକାର କୋହଳ ମନୋଭାବ ପୋଷଣ କରିବାକୁ ସଂଘ ଦାବି କରିଛି । ସେହିପରି ଲକ୍ ଡ଼ାଉନ ୨ମାସର ଗାଡ଼ି ଟିକସ ନେଇ ମଧ୍ୟ ସଂଘ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଆଲୋଚନା ସକାରାତ୍ମକ ରହିଛି ବୋଲି ଉଭୟ ପକ୍ଷରୁ କୁହାଯାଇଛି । ତେବେ କେଉଁଦିନ ନିର୍ଦିଷ୍ଟ ବସ ଚଳାଚଳ କରିବ ତାହା ଜଣାପଡ଼ିନାହିଁ । ଆଞ୍ଚଳିକ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ରାଜ୍ୟ ସଂଘ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ସଂଘର ଅନୁରୋଧକ୍ରମେ ପରିବହନ ବିଭାଗ ୩ ମାସ ପାଇଁ ରୋଡ଼ ଟ୍ୟାକ୍ସ ଛାଡ଼ କରିଛି । ତେଣୁ ଗାଡ଼ି ଚଳାଚଳ ଖୁବ୍ ଶୀଘ୍ର ସ୍ବାଭାବିକ ହେବ ବୋଲି ସେ କହିଛନ୍ତି ।